ଲକ୍‌ଡାଉନରେ ଅଣକୋଭିଡଜନିତ ମୃତ୍ୟୁସଂଖ୍ୟା ଛୁଇଁଛି ୯୦୦

ନୂଆଦିଲ୍ଲୀ : କରୋନାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବାରେ ଏବେ ବି ସକ୍ଷମ ହୋଇନାହାନ୍ତି କୌଣସି ଦେଶ। କୋଭିଡ୍-୧୯ ସଂକ୍ରମଣର ବ୍ୟାପକତାକୁ କମାଇବା ଲାଗି ସରକାର ଲକ୍‌ଡାଉନ୍‌ ପରି ନେଇଛନ୍ତି। ଲାଗୁ ହୋଇଥିବା ଚାରି ପର୍ଯ୍ୟାୟ ଲକ୍‌ଡାଉନ୍ ଅବଧି ମଧ୍ୟରେ କରୋନାଭୂତାଣୁ ସଂକ୍ରମଣ ହାରକୁ ବିଚାରକୁ ନେଲେ ଏହାର ଅନୁକୂଳ ଫଳ ଦେଶବାସୀ ଅନୁଭବ କରିଛନ୍ତି ନିଶ୍ଚୟ। ତେବେ ଏଭଳି ବିଷମ ପରିସ୍ଥିତି ବେଳେ ୯୦୦ ପାଖାପାଖି ଅଣକୋଭିଡ୍ ମୃତ୍ୟୁ ହୋଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି। ବିଶେଷ କରି କଳକାରଖାନା ବନ୍ଦ ସହ ଯାତାୟାତ ଠପ୍ ହୋଇଯିବା ଯୋଗୁଁ ରୋଜଗାର ପନ୍ଥା ହରାଇ ନିଜ ଭିଟାମାଟିକୁ ଫେରିବାକୁ ଚାହୁଥିବା ପ୍ରବାସୀ ଶ୍ରମିକଙ୍କ ଅନାହାର ପରି ଅକଥନୀୟ ନିର୍ଯାତନା ହିଁ ଏପରି ପରୋକ୍ଷ ମୃତ୍ୟୁର ଅଂଶବିଶେଷ ଥିଲା ବୋଲି ଜଣାଯାଇଛି। ଭାରତ ଓ ଆମେରିକାର କିଛି ଗବେଷକ ଚଳାଇଥିବା ଏହି ଅନୁଧ୍ୟାନରେ କୋଭିଡ୍-୧୯ ବ୍ୟତିରେକ ରାସ୍ତା ଦୁର୍ଘଟଣା, ଅନାହାର ଓ ଅବସାଦ ଜନିତ ଆତ୍ମହତ୍ୟା ଆଦି ମୃତ୍ୟୁର କାରଣ ରହିଥିବା ଦେଖାଯାଇଛି। ସେଥି ମଧ୍ୟରୁ କାମଧନ୍ଦା ହରାଇ ନିଜ ଘରକୁ ଯିବାକୁ ବ୍ୟାକୁଳ ହୋଇଥିବା ପ୍ରବାସୀ ଶ୍ରମିକମାନେ ଗାଡ଼ିମୋଟର ନପାଇ ଚାଲି ଚାଲି ଗଲା ବେଳେ ରାସ୍ତା ଦୁର୍ଘଟଣାରେ ହିଁ ୨୦୯ ଜଣ ଆଖି ବୁଜିଛନ୍ତି। ସେହିପରି ଆର୍ଥିକ ଦୁଶ୍ଚିନ୍ତା ଓ ଅନାହାର ଯୋଗୁଁ ୧୬୭ ଜଣ ଏବଂ ସଂକ୍ରମଣ ଆଶଙ୍କା, ନିଃସଙ୍ଗତା ଓ ଗୃହବନ୍ଦୀ ଜୀବନ ଯୋଗୁଁ ମାନସିକ ଅବସାଦରେ ୧୨୫ ଜଣ ଆତ୍ମହତ୍ୟା କରିଛନ୍ତି। ଅପରପକ୍ଷେ, ଶ୍ରମିକ ଟ୍ରେନ୍‌ରେ ୯୫ ଜଣ, ଅନ୍ୟ ରୋଗରେ ପୀଡ଼ିତ ଥାଇ ଉପଯୁକ୍ତ ଚିକିତ୍ସା ସୁବିଧା ଅଭାବରୁ ୬୩ ଜଣ ଏବଂ ମଦ ନମିଳିବା କାରଣରୁ ୪୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ସେହିପରି ଅତ୍ୟଧିକ ଚାଲିବାରୁ କ୍ଲାନ୍ତ ହୋଇ କିମ୍ବା ରିଲିଫ୍ ପାଇଁ ଧାଡ଼ିରେ ଛିଡ଼ା ହୋଇ ୪୭ ଜଣ, ସଂଗରୋଧ କେନ୍ଦ୍ରରେ ୩୬ ଜଣ, ଆପରାଧିକ ଘଟଣାରେ ୧୮ ଜଣ ଏବଂ ପୁଲିସ ନିର୍ଯାତନାରେ ୧୨ ଜଣଙ୍କର ଜୀବନ ଯାଇଛି। ତେବେ ଏହି ଲକ୍‌ଡାଉନ୍‌ ବେଳେ ଅନ୍ୟାନ୍ୟ ଭିନ୍ନ କାରଣରୁ ୬୦ ଜଣ ଆଖି ବୁଜିଥିବା ବେଳେ ଅନେକ ମୃତ୍ୟୁ ମଧ୍ୟ ଲୋକଲୋଚନକୁ ଆସିନଥିବା ଏହି ଗବେଷକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ