ଲକ୍ଡାଉନ୍ ସମୟରେ ପୁଲିସ କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା : ଏସ୍ପି
ଛତ୍ରପୁର : କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଛି । ଏହି ସମୟରେ ପୁଲିସ କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ନିଷ୍ଠାସହ କାର୍ଯ୍ୟ କରିବା ତେବେ ଜନସାଧାରଣଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷିତ ରଖିପାରିବା । ଜରୁରୀ ନଥିଲେ କୌଣସି ଲୋକଙ୍କୁ ଘରୁ ପଦାକୁ ନ ବାହାରିବା ପାଇଁ ଜନସାଧାରଣଙ୍କୁ କୁହାଯାଇଛି । ତେଣୁ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳ ଗୁଡିକରେ ପଇଁତାରକୁ କଡାକଡି ଜାରି ରଖାଯିବାକୁ ଗଞ୍ଜାମ ଏସ୍ପି ବ୍ରିଜେଶ୍ କୁମାର ରାଏ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଦେଶ ଓ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ସୂଚନା ପାଇଁ ଗାଁ ଗାଁରେ ଦେଖାଦେଉଥିବା ବିବାଦ ପରିସ୍ଥିତିକୁ ନିୟନ୍ତ୍ରଣ କରାଯିବ । ସନ୍ଦିଗ୍ଧଙ୍କୁ ସଙ୍ଗରୋଧ କକ୍ଷ ଗୁଡିକରେ ରଖିବା ପାଇଁ ସଚେତନତା କରାଯିବ । ସେମାନଙ୍କ ଗତିବିଧି ଉପରେ ତୀକ୍ଷଣ ଦୃଷ୍ଟି ରଖିବା ପାଇଁ କହିଛନ୍ତି । ଏଥିସହ ଲକ୍ଡାଉନ୍ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଏସ୍ପି ଶ୍ରୀ ରାଏ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାରୀ ଉପରେ ତୀକ୍ଷଣ ନଜର ରଖିବା ସହ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ଜନସାଧାରଣଙ୍କୁ ସାମାଜିକ ଦୂରତ୍ୱ ଅବଲ୍ମବନ କରିବା ପାଇଁ ସଚେତନତା କରାଯିବ । ସକାଳ ୭ ରୁ ୧୨ ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଗୁଡିକରେ ଯେଭଳି ଭିଡ ନ ଜମିବ ସେଥିପ୍ରତି ଜନସାଧାରଣ ଏବଂ ଦୋକାନୀଙ୍କୁ ସଚେତନ କରିବା ଲାଗି ପୁଲିସ କର୍ମଚାରୀଙ୍କୁ କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର, ଡିଏସ୍ପି ଅଜୟ କୁମାର ମିଶ୍ର, ଉତ୍କଳ କେଶରୀ ଦାଶ ଓ ସାମୁଲେସ୍ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।