ଲକ୍ ଡାଉନ୍ ପରବର୍ତ୍ତୀ ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ପ୍ରଶାସନିକ ପ୍ରସ୍ତୁତି

ଛତ୍ରପୁର (ଓ୍ବାଇଏନ୍ଏସ୍)  : ବର୍ଦ୍ଧିତ ଲକ୍ ଡାଉନ୍ ମଇ ୩ ତାରିଖରେ ଶେଷ ହେବା ପରେ ବାହାର ରାଜ୍ୟରେ ଥିବା ଗଞ୍ଜାମ ଜିଲ୍ଲାର ଲୋକମାନେ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ଅଧିକ ହୋଇଛି । ଏଥିପାଇଁ ସାମଗ୍ରୀକ ପ୍ରସ୍ତୁତିକୁ ଠିକ୍ ଭାବରେ ପରିଚାଳନା କରିବାପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମ ସ୍ତରରେ ଏବଂ ସହରାଞ୍ଚଳରେ ସମସ୍ତ ସ୍କୁଲ ଘର, ଅନ୍ୟାନ୍ୟ ସରକାରୀ ଘର, ବାତ୍ୟା ଆଶ୍ରୟ ସ୍ଥଳ, କଲ୍ୟାଣ ମଣ୍ଡପ ପ୍ରଭୃତି ସ୍ରସ୍ତୁତ କରି ରଖାଯିବ । ସେଠାରେ ପାଇଖାନା, ପାନୀୟ ଜଳ ଏବଂ ବିଦ୍ୟୁତ୍ ବ୍ୟବସ୍ଥା ସୁନିଶ୍ଚିତ କରାଯିବ । ଯେଉଁ ଠାରେ ପାଇଖାନା ନାହିଁ ସେଠାରେ ତୁରନ୍ତ ପାଇଖାନା ନିର୍ମାଣ କରାଯିବ । ନିମ୍ନମାନର ପାଇଖାନା ହେଲେ ଅଧିକାରୀଙ୍କ ଦରମାରୁ ସେହି ଅର୍ଥ ଭରଣା କରାଯିବ । ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଡାକ୍ତରୀ ପରୀକ୍ଷା ଅନିବାର୍ଜ୍ୟ । ସେମାନଙ୍କୁ ଏକୋଇଶି ଦିନିଆ କ୍ବାରେଣ୍ଟାଇନ୍ ରେ ରଖାଯିବ । ଯେଉଁ କର୍ମଚାରୀମାନେ ଭୁବନେଶ୍ବରରୁ ଫେରିବେ ସେମାନଙ୍କ ପାଇଁ ୨୧ ଦିନିଆ କ୍ବାରେଣ୍ଟାଇନ୍ ବାଧ୍ୟତା ମୂଳକ । ଅଧିକାରୀ ଏହା ସୁନିଶ୍ଚିତ ନ କଲେ ତାଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ହେବ । ଜିଲ୍ଲାରେ ଅଦ୍ୟାବଧି ବାହାର ରାଜ୍ୟର ଲୋକମାନଙ୍କୁ ଯେଉଁ ସବୁ ଟ୍ରାଞ୍ଜିଟ୍ କ୍ୟାମ୍ପରେ ରଖାଯାଇଛି ସେମାନଙ୍କ ପାଇଁ ଦୈନିକ ସାରଣୀ ଧାର‌୍ୟ୍ୟ କରିବା ସହିତ ମନୋରଞ୍ଜନ ପାଇଁ ସେଠାରେ ଟେଲିଭିଜନ୍ ସେଟ୍ ଲଗାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ଯାଂଚ୍ ଗେଟ୍ ଗୁଡିକରେ ପୋଲିସ୍ ସହିତ ସରକାରୀ କର୍ମଚାରୀ ମାନେ କାର‌୍ୟ୍ୟରତ ରହିବେ । ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ପାଇଁ ଆଗ୍ରହ ପ୍ରକାଶ ପାଉଥିବାରୁ ସେଥିପାଇଁ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ୟୁନିଟ୍ କାର‌୍ୟ୍ୟକରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରୀ ପରାମର୍ଶ ପାଇଁ ଜିଲ୍ଲା ବାହାରକୁ ଯିବାରଥିଲେ ଉପଜିଲ୍ଲାପାଳ ପାସ୍ ପ୍ରଦାନ କରିପାରିବେ । ସାମାଜିକ ଦୂରତା ଅବଲମ୍ବନ କରି ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର‌୍ୟ୍ୟ ଆଗେଇ ନେବାକୁ ଜିଲ୍ଲାପାଳ କହିଛନ୍ତି । ବିଭିନ୍ନ ପେନସନ୍ ଓ ଭତ୍ତା ନିର୍ଦ୍ଦିଷ୍ଟ ବ୍ୟକ୍ତି ବ୍ୟତୀତ ଅନ୍ୟ କୌଣସି ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇ ପାରିବନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦଜେଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ