ଲକ୍ ଡାଉନ୍ ପାଇଁ ଛତ୍ରପୁର ପୁଲିସର ଫ୍ଲାଗ ମାର୍ଚ
ଛତ୍ରପୁର:କରୋନା ଭାଇରସ୍ ବା କୋଭିଡ-୧୯ର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ରବିବାର ଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ୫ଟି ଜିଲ୍ଲା ଓ ୮ ସହରରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏହାକୁ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି । ଆଗାମୀ ସପ୍ତାହ ଆମ ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ ଯୋଗେ କହିଛନ୍ତି । କେବଳ ସଚେତନ ଦ୍ୱାରା ଏହି କରୋନା ଭୁତାଣୁ ସଂକ୍ରମଣକୁ ରୋକାଯାଇପାରିବ । ତେଣୁ ସମସ୍ତେ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଘରେ ରହିଲେ ଆପଣ ଓ ଆପଣଙ୍କ ପରିବାର ସୁରକ୍ଷିତ ରହିବ ବୋଲି ମଧ୍ୟ କହିଛନ୍ତି । ଏ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ଏହାକୁ ଗୁରୁତ୍ୱ ସହ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଗତକାଲି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ବିଡିଓ, ତହସିଲଦାର ଓ ପୌର ସଂସ୍ଥାର ଅଧିକାରୀମାନଙ୍କୁ ଲକ୍ ଡାଉନ୍ ସମ୍ପର୍କରେ ସୂଚନା ଦେଇଛନ୍ତି । ସୋମବାର ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ଲକ୍ ଡାଉନ୍ ନେଇ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ କରାଯାଇଛି । ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ । ନିହାତି ଜରୁରୀ ଆବଶ୍ୟକତା ନଥିଲେ ବାହାରକୁ ବାହାରନ୍ତୁ ନାହିଁ ବୋଲି ସୂଚନା ଦିଆଯାଇଛି । ଫଳ, କ୍ଷୀର, ସଉଦା ଦୋକାନ, ପନିପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ ଏବଂ ଔଷଧ ଦୋକାନ ଛଡ଼ା ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହି ଲକ୍ ଡାଉନ୍ ଜାରି ରହିବ ବୋଲି ସୂଚନା ଦିଆଯାଇଛି । ଯେ କୌଣସି ବ୍ୟକ୍ତି କିମ୍ବା ବ୍ୟବସାୟୀ ଏହି ନିର୍ଦ୍ଦେଶନାମାକୁ ପାଳନ ନକରନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି । ଏହା ସହ ସମଦୂରତା, ହାତ ଧୋଇବା, ମାସ୍କ ପିନ୍ଧିବା, ଜନଗହଳି ଅଂଚଳକୁ ନଯିବା, ଆବଶ୍ୟକ ପଡ଼ିଲେ ବାଇକରେ ଏକାକୀ ଯିବା ଉପରେ ମଧ୍ୟ ସୂଚନା ଦିଆଯାଇଛି । ଏହି ଫ୍ଲାଗ ମାର୍ଚ ସମସ୍ତ ସହର ସହ ଥାନା ଅଂଚଳଗୁଡ଼ିକରେ ବୁଲି ଲୋକଙ୍କୁ ସଚେତନତା କରିବା ସହ ସୁରକ୍ଷିତ ରହିବା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମଧ୍ୟ ଉପସ୍ଥିତ ରହି ବ୍ୟବସାୟୀମାନଙ୍କୁ ପୁଙ୍ଖାନୁପୁଙ୍ଖ ବୁଝାଇ ସଚେତନତା ରହିବା ନିମନ୍ତେ ଅନୁରୋଧ କରିଛନ୍ତି । ଛତ୍ରପୁର ଥାନାଧିକାରୀ ପ୍ରିୟସ ରଂଜନ ଛୋଟରାୟଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ସାମିଲ ହୋଇଛନ୍ତି । ଅପରାହ୍ନ ୫ ପର୍ଯ୍ୟନ୍ତ କେବଳ ଔଷଧ ଦୋକାନ ଝଡା ଆଉ ସମସ୍ତ ଦୋକାନ ବଜାର ପୁଲିସ ଓ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା ।