ଲକଡ଼ାଉନକୁ ନେଇ ବାରମ୍ବାର ବଦଳୁଛି ନିୟମ : ପ୍ରଶାସନ ଉପରୁ ବିଶ୍ୱାସ ତୁଟାଇଲେଣି ଜନତା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ନେଇ ଚିନ୍ତାରେ ବିଶ୍ୱବାସୀ । ଦେଶରେ କରୋନାରେ ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃିବାରେ ଲାଗିଛି । ଏହାକୁ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । ଲକଡ଼ାଉନ, ସଟଡ଼ାଉନ, ଧାରା ୧୪୪, ଜନତାକର୍ଫ୍ୟୁ ଘୋଷଣା କରାଯିବା ସହ ସାମାଜିକ ଦୁରତ୍ୱ ରକ୍ଷା ଓ ଅତ୍ୟାବଶ୍ୟକ ହେଲେ ଘରୁ ବାହାରକୁ ବାହାରିବାକୁ ପରାମର୍ଶ ଦିଆଯାଇଛି । ଘରୁ ବାହାରକୁ ବାହାରିବା ସମୟରେ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି । ଗୋଷ୍ଠୀ ସଂକ୍ରମଣକୁ ଆଖି ଆଗରେ ରଖି ସପିଂମଲ୍‌, ସିନେମାହଲ, ଶିକ୍ଷାନୁଷ୍ଠାନ, ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନକୁ ବାଦ୍ ଦେଇ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓ ଯାନଦବାହାନ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ କରାଯାଇଛି । ୩ୟ ଓ ୪ର୍ଥ ପର୍ଯ୍ୟାୟ ଲକଡ଼ାଉନ ସମୟରେ କଟକଣା କିଛିଟା ମାତ୍ରାରେ କୋହଳ କରାଯାଇଥିଲା । ସାମାନ୍ୟ କୋହାଳ ପରେ କିଛି ଅମାନିଆ ନିୟମ ପାଳନ କରୁନଥିବା ଦେଖିବାକୁ ମିଳିଥିଲା । ଅମାନିଆଙ୍କୁ ବାଟକୁ ଆଣିବା ପାଇଁ ହିଞ୍ଜିଳିକାଟୁ ପୁଲିସ ଓ ପୌର ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା । ସାମାଜିକ ଦୂରତ୍ୱ ରକ୍ଷା କରୁନଥିବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ଠାରୁ ୧ ହଜାର ଟଭ୍‌କା ଜୋରିମାନା ଆଦାୟ କରାଯିବା ସହ ଆବଶ୍ୟକ ସ୍ଥଳେ ସଂପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ସିଲ୍ କରାଯାଇଥିଲା । ବିନା କାରଣରେ ମୋଟର ସାଇକେଲରେ ଚକ୍କର କାଟୁଥିବା ଅମାନିଆଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯିବା ସହ ବିନା ମାସ୍କରେ ବାହାରେ ବୁଲୁଥିବା ଅମାନିଆଙ୍କ ଠାରୁ ପ୍ରଥମ ପର୍ଯ୍ୟାୟରେ ୨ଶହ ଓ ୨ୟ ପର୍ଯ୍ୟାୟରେ ୫ଶହ ଟଙ୍କା ଲେଖାଏଁ ଜେରିମ।।ନା ଆଦାୟ କରାଯାଇଛି । ଲକଡ଼ାଉନର ୩ୟ ଓ ୪ର୍ଥ ପର୍ଯ୍ୟାୟରେ ଚାହା ଦୋକାନ ଓ ସେଲୁନକୁ ଛାଡ଼ିଦେଲେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରଖିବା ପାଇଁ ନିୟମ ପ୍ରଚଳନ କରାଯାଇଥିଲା । ପରବର୍ତି ସମୟରେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବା ପାଇଁ ନିୟମ କରାଯିବା ସହ ଯାନବାହାନ ଚଳାଚଳ କରିବା ସକାଶେ ନିୟମ କରାଯାଇଥିଲା । ଏଭଳି ସମୟରେ ଲୋକଙ୍କ ପ୍ରବଳ ଜନସମାଗମକୁ ଆଖି ଆଗରେ ରଖି ଅନଲକ-୧ ଅନୁଯାୟୀ ନୂତନ ନିୟମ ପ୍ରଚଳନ କରାଗଲା । ଗଞ୍ଜାମ ଜିଲ୍ଲା ପ୍ରଶାସନର ନୂତନ ନିୟମ ପ୍ରକାରେ ସପ୍ତାହର ଶେଷ ୨ଦିନ ଶନିବାର ଓ ରବିବାର ୪୮ ଘଂଟା ସକାଶେ ସମ୍ପୁର୍ଣ୍ଣ ସଟଡ଼ାଉନ ଘୋଷଣା କରାଗଲା । ପୁଣିଥରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସକଳା ୭ଟାରୁ ମଧ୍ୟାନ୍ନ ୧୨ ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ନିୟମ ଜାରୀ କରାଗଲା । ସଂପୃକ୍ତ ସମୟରେ ସହର ମଧ୍ୟରେ ଜନସାଧାରଣଙ୍କ ଅସମ୍ଭବ ଭିଡ଼କୁ ଆଖି ଆଗରେ ରଖି ସଂପୃକ୍ତ ସମୟ ସୀମା ମଧ୍ୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର ଖୋଲିବା ପାଇଁ ନୂତନ ନିୟମ ଜାରୀ କରାଗଲା ହେଲେ ମଧ୍ୟ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବତି ଅଂଚଳ ଗୁଡ଼ିକରେ ଭିଡ଼କୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ । ମଙ୍ଗଳବାର ସ୍ଥାନୀୟ ପୌରାଂଚଳ ପରିବା ବଜାର ଓ ଲକ୍ଷ୍ମୀ ବଜାର ପରିସରରେ ଜନସାଧାରଣାଙ୍କ ଅସମ୍ଭବ ଭିଡ଼ ଲାଗି ରହିବା ଯୋଗୁଁ ଥାନା ଅଧିକାରୀ ଅଭିମନ୍ୟୁ ଦାସ ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ସମେତ ପୁଲିଓ ଓ ପୌର ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସହାୟତାରେ ଜନସାଧାରଣଙ୍କୁ ସଚେତନ ଓ ଅନୁରୋଧ କରାଯାଇଛି । ପ୍ରଶାସନର ଘଡ଼ିକେ ଘୋଢା ଛୁଟିବା ପରି ବାରମ୍ବାର ଭଳିକି ଭଳି ନୂତନ ନିୟମ କାର୍ଯ୍ୟକାରୀ କରାଯାଉଥିବା ଯୋଗୁଁ ପ୍ରଶାସନ ଉପରୁ ସାଧାରଣ ଜନତାଙ୍କ ସମେତ ଅଂଚଳର କ୍ଷୁଦ୍ର ବ୍ୟବସାୟୀଙ୍କ ଭରସା ତୁଟିବାରେ ଲାଗିଛି । ଏଭଳି ପରିସ୍ଥିତିରେ ପ୍ରଶାସନର କୌଣସି କଟକଣାକୁ ଲୋକେ ପାଳନ କରୁନଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ