ଲଗାଣ ଜନିତ କ୍ଷୟକ୍ଷତି ପାଇଁ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ପ୍ରତିନିଧି ମଣ୍ଡଳୀ ଭେଟି ଅତିରିକ୍ତ ଜିଲ୍ଲାପାଳ ଦୃଷ୍ଟି ଆକର୍ଷଣ କଲେ
ଛତ୍ରପୁର, (ଦେବଦତ୍ତ ମହାରଣା):ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପ୍ରତିନିଧି ମଣ୍ଡଳୀ ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ ଙ୍କୁ ସାକ୍ଷାତ କରି ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାଷୀ ଓ ଭାଗଚାଷୀମାନେ ଭୟଙ୍କର ଫସଲ କ୍ଷତିର ସମ୍ମୁଖୀନ ହୋଇଥିବା କଥା ଦୃଷ୍ଟି ଆକର୍ଷଣ କରିଛନ୍ତି l ଚଳିତ ବର୍ଷ ବହୁ ବିଳମ୍ବରେ ବର୍ଷା ହେବା ଯୋଗୁଁ ତଳି ପୋଡ଼ି ଚାଷୀଙ୍କ ଅନେକ ଜମି ଚାଷ ହୋଇପାରି ନଥିବା ବେଳେ ବର୍ତ୍ତମାନ ଅଦିନିଆ ଲଗାଣ ବର୍ଷା ଚାଷୀଙ୍କ ଧାନ, ମକ୍କା, ବାଇଗଣ, ମରିଚ, କାଦୁଲ ଓ ପନିପରିବା ଆଦି ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଭାଗଚାଷୀମାନେ ସବୁଥର ଭଳି ଏଥର ମଧ୍ୟ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି । ସବୁଠାରୁ ପରିତାପର ବିଷୟ ହେଲା ଏ ବିପର୍ଯ୍ୟୟ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ, ଚାଷଜମି ଓ ଫସଲ କ୍ଷୟକ୍ଷତିର ଆକଳନ କରିବାର ପ୍ରକ୍ରିୟା ଆରମ୍ଭ ନ ହେବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି l ସଂଯୁକ୍ତ କିଷାନ୍ ମୋର୍ଚ୍ଚା ପକ୍ଷରୁ ନିମ୍ନ ଦାବୀଗୁଡ଼ିକୁ ଅତିରିକ୍ତ ଜିଲ୍ଲାପାଳ ଙ୍କ ସମୁଖରେ ଉପସ୍ଥାପନ କରିଛନ୍ତି l ଅତିଶୀଘ୍ର ଏ ଦିଗରେ ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି ଜିଲ୍ଲାରେ ଲଘୁଚାପ ବର୍ଷା ଜନିତ କ୍ଷତିଗ୍ରସ୍ତ ଚାଷୀ, ଭାଗଚାଷୀ ଓ ଆଦିବାସୀଙ୍କୁ ତୁରନ୍ତ ସହାୟତା ଓ ଫସଲର ସଠିକ୍ ଆକଳନ କରି କ୍ଷତିପୁରଣ ଦିଆଯାଉ । କ୍ଷତିଗ୍ରସ୍ତ ଚାଷୀଙ୍କର ଋଣ ଛାଡ଼ କରାଯାଉ ଏବଂ ଆଗାମୀ ଫସଲ ପାଇଁ ସୁଧମୁକ୍ତ ଋଣ ପ୍ରଦାନ କରାଯାଉ । ଆଗାମୀ ରବି ଫସଲ ନିମନ୍ତେ ମାଗଣାରେ ଚାଷୀଙ୍କୁ ବିହନ, ସାର, କୀଟନାଶକ ଔଷଧ ଇତ୍ୟାଦି ପ୍ରଦାନ କରାଯାଉ । ମଣ୍ଡିରେ ବିକ୍ରୟ ବେଳେ ଧାନର ଧାର୍ଯ୍ୟ ମାନଦଣ୍ଡକୁ କୋହଳ କରାଯାଉ ଚାଷୀ ଓ ଭାଗଚାଷୀ ଠାରୁ ସମସ୍ତ ଧାନ ସରକାରୀ ଦରରେ କିଣିବାର ବ୍ୟବସ୍ଥା କରାଯାଉ । କୃଷିବୀମା କରିଥିବା ଚାଷୀଙ୍କର ଫସଲ କ୍ଷତିର ଆକଳନ କରି କ୍ଷତିପୁରଣ ଦେବାର ବ୍ୟବସ୍ଥା ପାଇଁ ଦାବି ଉପସ୍ଥାପନ କରିଛନ୍ତି l ସଂଯୁକ୍ତ କିସାନ ମୋର୍ଚ୍ଚା ର ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ଶଙ୍କର ସାହୁ, ଜିଲ୍ଲା ଆବାହକ ବସନ୍ତ ନନ୍ଦ, ଏ ଆଇ କେ ଏସ ର ନୀଳକଣ୍ଠ ଦାସ, ଏ ଆଇ କେ ଏମ ଏସ ର ପ୍ରତାପ ପ୍ରଧାନ, ଋଷିକୂଲ୍ୟl ରୟତ ମହାସଭା ର ସିମାଞ୍ଚଳ ନାହାକ, ଓଡିଶା କୃଷକ ସଭା ର ଗୋପାଳ ପାଣିଗ୍ରାହୀ, ଏ ଆଇ କେ ଏମ କେ ଏସ ର ନିମାଇଁ ସାହୁ, ସାମାଜିକ କର୍ମୀ ଅବନୀ ଗୟା, ଏ ସ କ୍ରିଷ୍ଣା ରେଡ୍ଡୀ, ରାଜେନ୍ଦ୍ର ନାହାକ, ବରିଷ୍ଠ ଚାଷୀ ନେତା ହରି କୃଷ୍ଣ ରେଡ୍ଡୀ, ଲଷ୍ମୀ ନାରାୟଣ ରଥ ଆଦି ଉପସ୍ଥିତ ଥିଲେ l