ଲଗାଣ ବର୍ଷାରେ ଓଲଟିଲା ୨୦୦ ବର୍ଷର ପୁରୁଣା ଅଶ୍ୱତ୍ଥ ଗଛ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଚଳିତ ଲଗାଣ ବର୍ଷାରେ ଭୂସ୍ଖଳନ ହୋଇ ଗାଙ୍ଗପୁର ଠାରୁ ଭାୟା ବୋରି ଦେଇ ଗାଙ୍ଗପୁର ପଂଚାୟତର କୁମୁଣ୍ଡି ,ବିଞ୍ଝଗିରି ରାସ୍ତାରେ ଏକ ବିରାଟ ଅଶ୍ୱତ୍ଥ ଗଛ ଓଲଟି ପଡ଼ିବାରୁ ଦୀର୍ଘ ଆଠ ଘଣ୍ଟା ଧରି ଏହି ରାସ୍ତା ଦେଇ ଯାତାୟତ ଠପ୍ ହୋଇପଡିଥିଲା I ସୂଚନା ପ୍ରକାରେ ଗଲା କିଛି ଦିନର ଲଗାଣ ବର୍ଷାରେ ଭୂସ୍ଖଳନ ହେବା ଯୋଗୁଁ ଗାଙ୍ଗପୁର ଠାରୁ ବିଞ୍ଝଗିରିକୁ ଯୋଗ କରୁଥିବା ପ୍ରଧାନ ମନ୍ତ୍ରୀ ସଡ଼କରେ ବୋରି ପୂର୍ବରୁ ରାମ ମନ୍ଦିର ନିକଟରେ ଥିବା ଡେଙ୍ଗା ଉସ୍ତା ନାମକ ପ୍ରାୟ ୨୦୦ ବର୍ଷର ପୁରୁଣା ଏକ ଅଶ୍ୱତ୍ଥ ଗଛ ଗତ କାଲି ବିଳମ୍ବିତ ରାସ୍ତା ଉପରକୁ ଓଲଟି ପଡ଼ିଥିଲା I ଫଳରେ ରାତି ପାହିଲା ପରେ ଗାଙ୍ଗପୁର ବଜାର ଉପରେ ନିର୍ଭର କରୁଥିବା ଗାଙ୍ଗପୁର ପଞ୍ଚାୟତର ବୋରି, କୁମୁଣ୍ଡି,ବିଞ୍ଝଗିରି,ଗୋପନଗର ଗ୍ରାମବାସୀଙ୍କ ସମେତ ଝାଡ଼ବନ୍ଧ ପଞ୍ଚାୟତର ଝାଡ଼ବନ୍ଧ,ଦିଗି,କଣ୍ଟେଇକୋଳିଆପଲ୍ଲୀ,ବାଲିପାଟ ଆଦି ଗ୍ରାମବାସୀଙ୍କ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡିଥିଲା I ରାସ୍ତାର ଉଭୟ ପାର୍ଶ୍ଵରେ ଦୀର୍ଘ ସମୟ ଧରି ଅନେକ ଗାଡ଼ି ମଟର ଅଟକି ରହିଥିଲା I ଜରୁରୀ ଆବଶ୍ୟକ ଥିବା କିଛି ଲୋକ ବାଧ୍ୟ ହୋଇ ଅଧିକ ତିରିଶି କିଲୋମିଟର୍ ବୁଲାଣି ରାସ୍ତାରେ ଜାହାଡ଼ା ରାସ୍ତା ଦେଇ ଗାଙ୍ଗପୁରକୁ ଆସିଥିଲେ I ମଧ୍ୟାହ୍ନ ୧୨ ଟା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗଛଟିକୁ କାଟିବା ପରେ ଦିନ ଦୁଇଟାରେ ରାସ୍ତା ପରିଷ୍କାର ହୋଇଥିଲା ଏବଂ ଯାତାୟାତ ସ୍ଵାଭାବିକ ହୋଇଥିଲା I