ଲଗାଣ ବର୍ଷାରେ କାନ୍ଥ ପଡି ଗୁହାଳ ନଷ୍ଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଜଙ୍ଗଲପାଡୁ ଗ୍ରାମ ଠାରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡି ଗୁହାଳ ନଷ୍ଟ ହୋଇଯାଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ବଡିଭୋର୍ ପ୍ରାୟ ୩ଟା ସମୟରେ ଗୁହାଳ କାନ୍ଥ ପଡିଯାଇଥିବା ଯୋଗୁଁ ଏଥିମଧ୍ୟରେ ଥିବା ଗାଇ ବାଛୁରି ଚିତ୍କାର କରିଥିଲେ । ଏହି ଚିତ୍କାରକୁ ଶୁଣି ଗ୍ରାମବାସୀ ତୁରନ୍ତ ଗୁହାଳକୁ ଯାଇ କାନ୍ଥ ତଳେ ଚାପି ହୋଇ ରହିଯାଇଥିବା ଗାଇ ବାଛୁରୀଙ୍କୁ ଉଦ୍ଧାର କରିଥିଲେ । ତେବେ ସୌଭାଗ୍ୟ ବଶତଃ ସେମାନଙ୍କର କୌଣସି ବିଶେଷ କ୍ଷତି ଘଟିନି । ଏନେଇ ଗୁରାଣ୍ଡି ରାଜସ୍ୱ ନିରୀକ୍ଷକଙ୍କୁ ଅବଗତ କରାଯାଇଥିଲା ଏବଂ ଘଟଣାସ୍ଥଳକୁ ନୂତନ ଭାବେ ଯୋଗଦେଇ ଥିବା ରାଜସ୍ୱ ନିରୀକ୍ଷକ ନିରୀକ୍ଷଣ କରି ଫେରିଛନ୍ତି । ଅପରପକ୍ଷରେ ସରକାରୀ ସାହାଯ୍ୟ ନିମନ୍ତେ ୱାର୍ଡ ସଭ୍ୟା ସନ୍ତୋଷି ନାୟକ, ସୁନିତା ପାତ୍ର ପ୍ରମୁଖ ନିବେଦନ କରିଛନ୍ତି ।


