ଲଗାଣ ବର୍ଷାରେ ଜନଜୀବନ ବେହାଲ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲାର ଶୈବପୀଠ ଆରଡି ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ଖାଲ ଜମିରେ ବର୍ଷାଜଳ ଜମି ରହିବାରୁ ଖରିଫ ଫସଲ ନଷ୍ଟ ହେବାର ସମ୍ଭାବନା ଦେଖାଦେଇଛି । ଆଗକୁ ପୂର୍ଣ୍ଣିମା ଥିବାରୁ ଓ ଏବେ ଲଘୁଚାପ ପ୍ରଭାବ ଯୋଗୁ ସାଳନ୍ଦୀ ଓ ବୈତରଣୀ ନଦୀ ଜୁଆରିଆ ରହୁଥିବାରୁ ଜମିରୁ ବର୍ଷାଜଳ ନିଷ୍କାସିତ ହୋଇପାରୁ ନାହିଁ । ଶୀତଳପୁର ଠାରେ ସାଳନ୍ଦୀ ନଦୀ ବନ୍ଧ ଧସିଥିବା ସ୍ଥାନରେ ସ୍ଥାୟୀ ମରାମତି କାମ ନହେବା ଓ ବୋଡକ ନିକଟରେ ବୈତରଣୀ ନଦୀବନ୍ଧ ଧସିଥିବା ସ୍ଥାନରେ ଠିକାଦାର କାମ ନସାରି ଉଭାନ ହୋଇଯାଇଥିବାରୁ ଏଠାରେ ବନ୍ୟାଜଳ ପ୍ରବେଶ କରି ୪ ପଞ୍ଚାୟତର ପ୍ରାୟ ୨୪ଟି ଗ୍ରାମରେ ପ୍ରଭୁତ କ୍ଷତି ଘଟାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏପଟେ ସୁନ୍ଦରପୁର ଠାରେ ଭଦ୍ରକ ଆରଡି ରାଜ୍ୟପଥରେ ଆଣ୍ଠୁଏ ଉଚ୍ଚରେ ଜଳ ଜମିଥିବାରୁ ସ୍କୁଲ ପିଲାମାନେ ବିଦ୍ୟାଳୟକୁ ଯିବା ଆସିବା କରିବାରେ ବାଧା ସୃଷ୍ଟି ହୋଇଛି । ଏତଦବ୍ୟତିତ ପାଣି ଜମିଥିବା ସ୍ଥାନରେ ଖାତ ସୃଷ୍ଟି ହେବାରୁ ଦୁର୍ଘଟଣା ହେବାର ସମ୍ଭାବନା ମଧ୍ୟ ଦେଖାଯାଇଛି । ସୁନ୍ଦରପୁର ଜନସାଧାରଣଙ୍କ ବାରମ୍ବାର ଦାବି ସତ୍ତ୍ବେ ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।


