ଲଗାଣ ବର୍ଷାରେ ଭୁଶିଡିଲା ଘରର କାନ୍ଥ,ଅଳ୍ପକେ ବର୍ତ୍ତିଲେ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଚଳିତ ମାସରେ ବାରମ୍ବାର ଲଘୁଚାପ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଗତ କିଛି ଦିନର ଲଗାଣ ବର୍ଷାରେ ଗରୀବ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଅନେକ ସ୍ଥାନରେ ଦୁର୍ବଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କ ଅବସ୍ଥା ସଙ୍ଗୀନ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ଅଧିନ ଗାଲେରୀ ଗ୍ରାମର ମେଡିକାଲ୍ ରାସ୍ତାର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ଏକ ଚାଳ ଘରେ ରହୁଥିବା ଇଶ୍ବର ମୂଳିଙ୍କ ଚାଳ ଘର ଗତକାଲି ବିଳମ୍ବିତ ରାତିରେ ଭୁଶୁଡି ପଡିଥିବା ଅଭିଯୋଗ ହୋଇଛି। ଇଶ୍ବରଙ୍କ ଦେହାନ୍ତ ଘଟିଥିବା ବେକଳେ ତାଙ୍କ ପତ୍ନୀ ପ୍ରମିଳା ମୂଳି ଏବଂ ତାଙ୍କ ପୁଅବୋହୁକୁ ନେଇ ଏହି ଘରେ ରହୁଥିଲେ। ପୁଅ କାହ୍ନୁ ଦାଦନ ଖଟିବାକୁ ତାମିଲନାଡୁ ଚାଲି ଯାଇଥିବା ବେେଳେ ପ୍ରମିଳା ବୋହୂ ଶାନ୍ତି ଓ ନାତିନାତୁଣିଙ୍କୁ ନେଇ ସାଙ୍ଗରେ ରହୁଥିଲେ। ଗତକାଲି ଶୋଇଥିବା ସମୟରେ ହଠାତ୍ ବାରିପଟ କାନ୍ଥ ଭୁଶୁଡି ପଡିଥିଲା। ଶଦ୍ଦ ଶୁଣି ସମସ୍ତେ ଉଠିପଡି ବାହାରକୁ ଦୌଡି ଆସିଥିଳଲେ ଏହାପରେ ସେମାନେ ଶୋଇଥିବା ବଖରାର କାନ୍ଥ ମଧ୍ୟ ଭୁଶୁଡି ପଡିଥିଲା। ଯାହା ଫଳରେ ଅଳ୍ପକେ ଉକ୍ତ ପରିବାର ଏକ ବଡ ଅଘଟଣରୁ ନିଜକୁ ବଞ୍ଚାଇ ପାରିଥିଲେ ବୋଲି ଗ୍ରାମର ସ୍ବେଚ୍ଛାସେବୀ ରବିନ୍ଦ୍ର ଶତପଥୀ ପ୍ରକାଶ କରିଛନ୍ତି। ଏହାପରେ ଉକ୍ତ ପରିବାର ଗ୍ରାମର ବେଙ୍ଗ ସାହିରେ ଜଣଙ୍କ ଘରେ ଆଶ୍ରୟ ନେଇଥିବା ବେଳେ ସରକାରୀ ସହାୟତା ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି।