ଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡି ବୃଦ୍ଧ ଦମ୍ପତି ଗୁରୁତର
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଚାଷୀ, ମୁଲିଆ,ଗରିବ ଖଟିଖିଆ ମାନେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । କୁଡ଼ିଆ ଘରେ ରହୁଥିବା ଲୋକଙ୍କ ଅବସ୍ଥା କହିଲେ ନ ସରେ ।ଏ ପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ଅଞ୍ଚଳରେ । ବୃଦ୍ଧ ଦମ୍ପତି ଘରର କାନ୍ଥ ଭୁଶୁଡି ଯିବା ଫଳରେ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ତଥ୍ୟ ଅନୁସାରେ,ବେଲଗୁଣ୍ଠା ବ୍ଳକ ଗୋବରା ଖଦାନ ସାହିରେ ରହୁଥିବା ବଂଶୀଧର ନାଇକ(୭୦) ଓ ତୁଳା ନାଇକ (୬୫) ସଂଧ୍ୟାରେ ବର୍ଷା ହେବା ଫଳରେ ଉଭୟ ଘରେ ଥିଲେ । ରାତି ୭ ଘଣ୍ଟା ୨୦ ମିନିଟ ସମୟରେ ପଶ୍ଚିମ ପଟର ମାଟି ବାଡଟି ଭୁଷୁଡି ପଡ଼ିଥିଲା । ଫଳରେ ମାଟି ମାର୍ଦାବାରି ବି ଭୁଷୁଡି ପଡି ବୃଦ୍ଧ ଦମ୍ପତି ଉପରେ ମାଡ଼ି ବସିଥିଲା ।ସାହି ବାସିନ୍ଦା ଉଭୟ ବଂଶୀ ଓ ତୁଳା ଙ୍କୁ ଉଦ୍ଧାର କରି ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଛନ୍ତି । ଉଭୟଙ୍କ ହାତ, ଗୋଡ଼, ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଛି । ଏହି ହରିଜନ ଦମ୍ପତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସାହାଯ୍ୟ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଖବର ପାଇ ସରପଞ୍ଚ ପ୍ରତିନିଧି ନାରାୟଣ ନାୟକ, ସମିତି ସଭ୍ୟ ବିଭୁପାଦ ଜେନା, ପୁର୍ବତନ ସରପଞ୍ଚ ଚନ୍ଦ୍ର ଶେଖର ନାୟକ, ପ୍ରମୁଖ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଖାଇବା ପିଇବା ବନ୍ଦୋବସ୍ତ କରିଛନ୍ତି ଏବଂ ପଞ୍ଚାୟତ ପ୍ରତିନିଧିମାନେ ଫୋନ୍ ଜରିଆରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କୁ ଅବଗତ କରାଇଛନ୍ତି । ଉଭୟ ଅଧିକାରୀ ଆସନ୍ତା କାଲି ଘଟଣାର ତଦାରଖ କରିବେ ବୋଲି ଜଣାପଡିଛି ।