ଲଗାତାର ୪ର୍ଥ ଥର ନିରବଙ୍କ ଜାମିନ ଆବେଦନ ଖାରଜ
ଲଣ୍ଡନ, (ଏଜେନ୍ସି): ପଞ୍ଜାବ ନ୍ୟାସ୍ନାଲ ବ୍ୟାଙ୍କ୍ (ପିଏନ୍ବି) ଘୋଟାଲା ମାମଲାରେ ଅଭିଯୁକ୍ତ ଓ ପଳାତକ ନୀରବ ମୋଦିଙ୍କୁ ଲଣ୍ଡନ ସ୍ଥିତ ଅଦାଲତ ଚତୁର୍ଥ ଥର ଝଟ୍କା ଦେଇଛନ୍ତି । ଲଣ୍ଡନର ରୟଲ୍ କୋର୍ଟସ୍ ଅଫ୍ ଜଷ୍ଟିସ୍ ନୀରବଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି । ଏପରିସ୍ଥଳେ ତାଙ୍କୁ ଲଣ୍ଡନ ସ୍ଥିତ ଜେଲ୍ରେ ରହିବାକୁ ପଡ଼ିବ । ଏହା ବ୍ୟତୀତ ଜଷ୍ଟିସ୍ ନୀରବଙ୍କୁ ନେଇ କଡ଼ା ଟପ୍ପଣୀ ଦେଇଛନ୍ତି । ତାଙ୍କୁ ଜାମିନ ମିଳିଲେ ତେବେ ସେ ନିଶ୍ଚିତ ଭାବେ ପ୍ରମାଣକୁ ନଷ୍ଟ କରିପାରନ୍ତି ବୋଲି କୋର୍ଟ ସନ୍ଦେହ ପ୍ରକାଶ କରିଛନ୍ତି । ପ୍ରକାଶ ଯେ ମଙ୍ଗଳବାର ଏହି ମାମଲାର ଶୁଣାଣୀ ସମ୍ପୂର୍ଣ୍ଣ ହେବା ପରେ କୋର୍ଟ ଆଜି ନିଜ ନିଷ୍ପତ୍ତି ଶୁଣାଇଛନ୍ତି । ଏହା ପୂର୍ବରୁ ଭେଷ୍ଟମିନ୍ଷ୍ଟର କୋର୍ଟ ଲଗାତାର ୩ଥର ତାଙ୍କ ଜାମିନ ଯାଚିକା ଖାରଜ କରିସାରିଛନ୍ତି । ୪୮ବର୍ଷୀୟ ନୀରବଙ୍କୁ ମାର୍ଚ୍ଚ ୧୯ରେ ୧୩କୋଟି ଟଙ୍କାର ଘୋଟାଲା କରିଥିବା ଅଭିଯୋଗରେ ସ୍କଟ୍ଲ୍ୟାଣ୍ଡ ୟାର୍ଡ଼ ସ୍ଥିତ ହୋଲ୍ବୋର୍ଣ୍ଣରୁ ଗିରଫ କରାଯାଇଥିଲା । ତାଙ୍କୁ ୨୬ଜୁନ୍ ପର୍ଯ୍ୟନ୍ତ ଜେଲ୍ରେ ରହିବାକୁ କୋର୍ଟ ପକ୍ଷରୁ ଶୁଣାଣୀ କରାଯାଇଥିଲା । ଏହା ପର ଠାରୁ ସେ ପ୍ରତ୍ୟର୍ପଣ କାର୍ଯ୍ୟାନୁଷ୍ଠାନ ବିରୋଧରେ ଲଢ଼ୁଛନ୍ତି । ତେବେ ତାଙ୍କର ପ୍ରତ୍ୟର୍ପଣ ପାଇଁ ଭାରତୀୟ ଏଜେନ୍ସିଗୁଡ଼ିକ ଲଗାତାର ଭାବେ ଚେଷ୍ଟା କରୁଛନ୍ତି ।