ଲଘୁଚାପଜନିତ ବର୍ଷା ଯୋଗୁ ଗଜପତିର ସ୍ଥିତି ବେହାଲ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଲଘୁଚାପଜନିତ ବର୍ଷା ଯୋଗୁଁ ଗତ କିଛି ଦିନ ହେଲା ଗଜପତି ଜିଲ୍ଲାରେ ସ୍ଥିତି ବେହାଲ ହୋଇପଡିଛି। ଏହାର ପ୍ରଭାବରେ ଗୁମ୍ମା ବ୍ଲକ୍ ଅନ୍ତର୍ଗତ ତରଙ୍ଗଡ଼ା ପଞ୍ଚାୟତର କୁମ୍ରିସିଂ ଗ୍ରାମର ପର୍ଶନ ଗମାଙ୍ଗଙ୍କ ଘର ଭାଙ୍ଗି ଯାଇଛି। ସୌଭାଗ୍ୟବସତଃ ଏଥିରେ କେହି ଆହତ ହୋଇନାହାନ୍ତି। ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆକାଶ ପଣ୍ଡା ତରଙ୍ଗଡ଼ା ପଞ୍ଚାୟତ ନିର୍ବାହୀ ଅଧୁକାରୀଙ୍କୁ ପଠାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ପୀଡ଼ିତଙ୍କୁ ସୁଖୋଲା ଖାଦ୍ୟ ଦେବା ସଙ୍ଗେ ଆରଆଇ ଜରିପାଲ ପ୍ରଦାନ କରିଛନ୍ତି। କ୍ଷୟକ୍ଷତି ଆକଳନ କରି ରିର୍ପୋଟ ପ୍ରଦାନ କରାଯିବା ପରେ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି. ଏହି ଲଗାତାର ବର୍ଷାରେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ଚର୍ତୁଦିଗରେ ଥିବା ଧାନ ଜମି ଗୁଡିକ ସହ ଗଜପତି ଜିଲ୍ଲାର ୭ ଗୋଟି ବ୍ଲକ ଯଥା ଗୁମ୍ମା, କାଶୀନଗର, ଗୋଷଣୀ, ରାୟଗଡ଼, ନୂଆଗଡ଼, ଆର. ଉଦୟଗିରି ଓ ମୋହନା ଅଞ୍ଚଳର ଶହଶହ ଏକର ଚାଷ ଜମିରେ ବର୍ଷା ଜଳ ଜମି ରହିଛି. ଏନେଇ ଜିଲ୍ଲାର ଚାଷୀକୁଳ ଧାନ ଫସଲ କ୍ଷତି ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି. ଗତକାଲି ଗୋଟିଏ ଦିନରେ ଗଜପତି ଜିଲ୍ଲାରେ ୧୮୪.୭ ମିଲି ବର୍ଷା ହୋଇଥିବା ସରକାରୀ ଭାବେ କୁହାଯାଇଛି.