ଲଘୁଚାପ ଜନିତ ବର୍ଷାରେ ଚାଷୀକୁଳ ଅଥୟ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଦୁଇ ଦିନ ଧରି ଲଘୁଚାପ ଜନିତ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଚାନ୍ଦବାଲୀ ବ୍ଲକ ଓ ଧାମନଗର ବ୍ଲକରେ ଥିବା ବିଭିନ୍ନ ପଞ୍ଚାୟତରେ ଧାନ ଫସଲ ନଷ୍ଟ ହୋଇଯାଇଛି । ବର୍ଷାରେ କିଛି ସ୍ଥାନରେ ଧାନ ଗଜା ହେଲା ଭଳି ପରିସ୍ଥିତି ଉପୁଜିଛି । ଏପରି ସ୍ଥିତିରେ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି । କାହାର ଖଳାରେ ଅମଳ ଧାନ ଭିଜୁଚି ତ ଆଉ କାହାର ବିଲରେ ଗଦା ହୋଇ ଓଦା ହେଉଚି । କେହି କେହି ବର୍ଷା କୁ ଲକ୍ଷ୍ୟ କରି ବିଲରୁ ଧାନକୁ ତରବର ହୋଇ କାଟି ଦେଇଥିଲେ କିନ୍ତୁ ସେମାନଙ୍କର ବି ସମାନ ଅବସ୍ଥା। ଜିଲ୍ଲାରେ ମଣ୍ଡି ଖୋଲି ଯାଇଥିବାରୁ ଚାଷୀ ଭାଇ ମାନେ ଧାନ ଶୀଘ୍ର ଅମଳ କରିଥିଲେ କିନ୍ତୁ ଲଘୁଚାପ ବର୍ଷା ଅମଳ ହୋଇଥିବା ଧାନର ରଙ୍ଗ ଓ ମାନ ଉପରେ ପ୍ରଭାବ ପକାଉଛି ଯେଉଁଥି ପାଇଁ ଚାଷୀ ମାନେ ମଣ୍ଡି ରେ ଅସୁବିଧାର ସମ୍ମୁଖୀନ ହେବା ଥୟ। ପୁଣି ଯେଉଁ ମାନେ ଧାନ କାଟି ନାହାଁନ୍ତି, ଲଗାତାର ବର୍ଷା ଯୋଗୁଁ ବିଲରେ ପାଣି ଜମିବାରୁ ଧାନ ଅମଳ କରିବା ବି ଅସମ୍ଭବ ହୋଇ ପଡ଼ିଚି, ପୁଣି ଅମଳ ହୋଇଥିବା ଧାନ କୁ କୋଉଠି ପାଲ ଓ ଜରି ରେ ଆବୃତ କରି ନଷ୍ଟ ହେବାରୁ ନିବୃତ କରି ରଖା ଯାଇଛି। ଚଳିତ ବର୍ଷ ବିଳମ୍ବ ରେ ଧାନ ଚାଷ ଆରମ୍ଭ ହୋଇଥିଲା, ଥୋଡ ବାହାରିଲା ବେଳେ ବାତ୍ୟା ଦାନା ନିଜର ତାଣ୍ଡବ ରଚି ଥିବା ବେଳେ ପୁଣି ଧାନ ପାଚି ଅମଳ ସମୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବୋଝ ଉପରେ ଲଳିତା ବିଡା ପରି ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ଧାମନଗର ବ୍ଲକର ୮୦ ପ୍ରତିଶତ ଲୋକେ ଚାଷ କାର୍ଯ୍ୟ ଦ୍ଵାରା ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ ଅଦିନିଆ ବର୍ଷା ସବୁ ଉଜାଡି ଦେଇଚି। ଏହି ବର୍ଷା ଯୋଗୁଁ ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର, ଗୋବିନ୍ଦପୁର, ଅସୁରାଳି, ଗଢ଼ିଆଳୀ, ପାଳସାହି, ଧୂଷୁରୀ ହସନାବାଦ, ଅର୍ଜ୍ଜୁନପୁର, ଫତେପୁର, ରଇପୁର, ସରେଇ ଚୁଡାକୁଟି ପଞ୍ଚାୟତ ପ୍ରଭୃତି ଅଞ୍ଚଳ ରେ ଏହି ଅଦିନିଆ ଲଘୁଚାପ ବର୍ଷା ପ୍ରଭାବ ରେ ଧାନ ଫସଲ ବହୁ ପ୍ରଭାବିତ ହୋଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରା ଯାଇଛି ।