ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାସ୍ତା ଉପରେ ପଡ଼ିଲା ବଡ଼ ଗଛ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୁମ୍ମା ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା କିଛି ଦିନ ହେଲା ଲାଗି ରହିଛି । ଏହାର ପ୍ରଭାବରେ ଗୁମ୍ମା ବ୍ଲକ ଅନ୍ତର୍ଗତ ବି କଳାକଟ ପଞ୍ଚାୟତ ବି.କଳାକଟ ଠାରୁ ଜାଗ୍ରୀତୁଲ ମୁଖ୍ୟ ରାସ୍ତା ଉପରେ ଏକ ବଡ଼ କୋରଞ୍ଜ ଗଛ ଉପଡ଼ି ପଡ଼ିଯାଇଛି । କିଛି ଦିନର ଲଗାଣ ବର୍ଷା ହେବା ଫଳରେ ବୁଧବାର ସକାଳ ୬ଟା ସମୟରେ ଏହି ଗଛ ପଡ଼ିଯାଇଛି । ଏହି ରାସ୍ତା ଉପରେ ଅନେକ ଗ୍ରାମ ନିର୍ଭରଶୀଳ ଏବଂ ମୁଖ୍ୟତଃ ଏହି ରାସ୍ତାର ଉପର ଅଞ୍ଚଳର ଗାଁ ଗୁଡ଼ିକ ମାଟି ଅତଡ଼ା ଭୁଶୁଡ଼ିଥିବା ଆଗରୁ ଜଣାଶୁଣା । ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ସରପଞ୍ଚ ଶୁଭନିତା ରଇତ ଗୁମ୍ମା ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ବୁଧବାର ସକାଳେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦୀର୍ଘ ୫ଘଣ୍ଟାର ପରିଶ୍ରମ ପରେ ରାସ୍ତା ଉପରରୁ ଗଛ ହଟାଇଥିଲେ । ସେପଟେ ଗଛ ମୁଳ ଭାଗ ବଡ଼ ଥିବାରୁ ରାସ୍ତା ଅବରୋଧ ହେଉଥିଲା । ପରେ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ତହସିଲଦାରଙ୍କୁ ଜଣାଇଥିଲେ ।ତହସିଲଦାର ଭାସ୍କର ଚନ୍ଦ୍ର ସାହୁ ଜେସିପି ପୋଟେଇବା ପରେ ଗଛର ମୁଳ ଭାଗ ରାସ୍ତା ଉପରରୁ ହଟି ଥିଲା । ଗଛ ହଟିବା ପରେ ଯାତାୟାତ ସ୍ୱାଭାବିକ ରହିଛି । ଏନେଇ ସ୍ଥାନୀୟ ସରପଞ୍ଚ ଶୁଭନିତା ଓ ସ୍ଥାନୀୟ ଲୋକମାନେ ଅଗ୍ନିଶମ ବିଭାଗକୁ ଧନ୍ୟବାଦ ଅର୍ପଣ କରିଥିଲେ ।


