ଲଣ୍ଡାବାଉଁଶ ଗ୍ରାମରେ ବେଆଇନ ମଦ କାରବାର ବନ୍ଦ କରିବା ଦାବି
ଛତ୍ରପୁର : ଭିକାରିପଲ୍ଲୀ ପଂଚାୟତର ଲଣ୍ଡାବାଉଁଶ ଗ୍ରାମରେ ବେଆଇନ ଭାବେ ମଦ କାରବାର ହେଉଥିବା ନେଇ ଗ୍ରାମର ଯୁବକ ,ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ବୁଦ୍ଧିଜିବୀମାନେ ଜିଲ୍ଲାପାଳଙ୍କୁ ଭେଟି କାରବାର ବନ୍ଦ କରିବା ନିମନ୍ତେ ଆସିଥିବାବେଳେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଗଂଜାମ ଜିଲ୍ଲା ଅବକାରୀ ଉପଅଧିକ୍ଷକ ଅଭିରାମ ବେହେରାଙ୍କୁ ଭେଟି ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ଏହି କି ଯେ ଗ୍ରାମରେ ଦୀର୍ଘଦିନ ଧରି ଦୁଇ ଜଣ ବ୍ୟକ୍ତି ବେଆଇନ ଭାବେ ଚୋରା ମଦ କାରବାର କରୁଥିବାବେଳେ ପୁଲିସ ଓ ଅବକାରୀ ବିଭାଗ ନିଷ୍କ୍ରିୟ ରହି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଯାହାଫଳରେ ଗ୍ରାମରେ ଅଶାନ୍ତି ସୃଷ୍ଟି ହୋଇ ମଦୁଆ ମାନଙ୍କ ଆଡ୍ଡାସ୍ଥଳି ପାଲଟିଛି । ବିନା ଲିଜରେ ଗ୍ରାମରେ ଏପରି ବ୍ୟାପକ ଭାବେ କାରବାର ଚାଲୁଥିବାରୁ ଏହାକୁ ତୁରନ୍ତ ବନ୍ଦ କରିବା ନିମନ୍ତେ ମହିଳାମାନେ ଦାବି କରିଥିଲେ । ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ ହେବ ବୋଲି ଚେତାବନି ଦେଇଛନ୍ତି । ଅପରପକ୍ଷରେ ଜିଲ୍ଲା ଅବକାରୀ ଉପଅଧିକ୍ଷକ ଶ୍ରୀ ବେହେରା ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ସ୍ମାରକ ପତ୍ର ପ୍ରଦାନବେଳେ ପୂର୍ବତନ ସମିତିସଭ୍ୟ ମଥୁରା ଚରଣ ସୁବୁଦ୍ଧି, ଜୟ ଜଗନ୍ନାଥ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ମା ତାରାତାରିଣୀ ସ୍ୱୟଂସହାୟକ ଗୋଷ୍ଠୀ ସମେତ ଗ୍ରାମର ସମସ୍ତ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ ।