ଲମ୍ପିସ୍କିନ ରୋଗ ବ୍ୟାପିବା ଘଟଣା, ଖବର ପ୍ରକାଶ ପରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କଲା ପଶୁଚିକିତ୍ସା ବିଭାଗ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଏବେ ‘ଲମ୍ପି’ ରୋଗ ଦ୍ୱାରା ଅନେକ ଗୋରୁଗାଈ ଓ ବାଛୁରୀଙ୍କ ମୃତ୍ୟୁ ହେବାରେ ଲାଗିଛି । ଦିନକୁ ଦିନ ଏହି ରୋଗରେ ଗୋରୁ ଗାଈଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗୋପାଳକ ମାନେ ହତାଶ ହୋଇ ପଡିଛନ୍ତି । ଏନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବାପରେ ଟୁଇଟର ଗାର୍ଲ ଶ୍ରୀଲେଖା ଜେନା ଏନେଇ ମୁଖ୍ୟମନ୍ତ୍ରୀ, ପଶୁପାଳନ ବିଭାଗର ମନ୍ତ୍ରୀ ଓ ସଚିବ, କେନ୍ଦୁଝର ଜିଲ୍ଲାପାଳ, ଫାଇଭ ଟି ସଚିବ ପ୍ରମୁଖଙ୍କୁ ଟୁଇଟ କରରି ଜଣାଇବା ପରେ ଉଚ୍ଚ କର୍ତ୍ତୁପକ୍ଷଙ୍କ ନିର୍ଦ୍ଦେଶରେ ମରୈଗାଁ ପଶୁଚିକିତ୍ସା ବିଭାଗ ପକ୍ଷରୁ ବିଭିନ୍ନ ଗାଁ ବୁଲି ଲୋକମାନଙ୍କୁ ସଚେତନ କରାଇଛନ୍ତି । ବିଶେଷକରି ଏହି ରୋଗ ପାଇଁ କୌଣସି ପ୍ରତିଷେଧକ ନାହିଁ ବୋଲି ଜାଣି ଗୋପାଳକ ମାନେ ଉପଯୁକ୍ତ ଚିକିତ୍ସା କରୁନଥିବାରୁ ବାଛୁରୀ ଗୁଡିକ ମୃତ୍ୟୁ ବରଣ କରୁଛନ୍ତି ବୋଲି ବ୍ଲକ ପଶୁଚିକିତ୍ସା ଅଧିକାରୀ ଡାକ୍ତର ରଶ୍ମୀ ରଞ୍ଜନ ନାୟକ ପ୍ରକାଶ କରିଛନ୍ତି । ଆଜି ବିଭାଗ ପକ୍ଷରୁ ଶାସଙ୍ଗ ଓ ସୁଲଣ ଗାଁକୁ ଡାକ୍ତରୀ ଦଳ ଯାଇ ଗୋପାଳକ ମାନଙ୍କୁ ଏହି ରୋଗରେ ଆକ୍ରାନ୍ତ ଗୋରୁ ଗାଈ ଏବଂ ବାଛୁରୀ ମାନଙ୍କୁ ଅନ୍ୟ ଗୋରୁ ଗାଈଙ୍କ ଠାରୁ ଅଲଗା ରଖିବା ପାଇଁ ପରାମର୍ଶ ଦେବା ସହିତ ଏକ ହୋମିଓ ଔଷଧ ଖୁଆଇବାକୁ ଦେବାକୁ ପରାମର୍ଶ ଦେଇଥିବା ସେ ସୁଚନା ଦେଇଛନ୍ତି ।
ଏଠାରେ ସୁଚନାଯୋଗ୍ୟ ଯେ ଶାସଙ୍ଗ ଗ୍ରାମରେ ଗତ ୪ଦିନ ଭିତରେ ୧୦ରୁ ଉର୍ଦ୍ଧ ବାଛୁରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଗୋରୁ ଗାଈ ଏହି ରୋଗରେ ଆକ୍ରାନ୍ତ ହୋଇ ପଡିଛନ୍ତି । ସେହିପରି ସୁଲଣ, ପଞ୍ଚୁଗୋଛିଆ, କପୁଣ୍ଡି, କୁଣ୍ଡିସାହି, ବଞ୍ଚୋ, ଅକରୁଆ, ହାଟଡିହି, ଷଡଙ୍ଗ, ଶାଳଣିଆଁ, ହାବଳେଶ୍ୱର, ବଡରମ୍ପାସ ଆଦି ପଞ୍ଚାୟତରେ ଏହି ରୋଗ ବ୍ୟାପି ଅନେକ ବାଛୁରୀଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ଶହଶହ ଗାଈ ଗୋରୁ ଓ ବାଛୁରୀ ଏହି ଲମ୍ପି ସ୍କିନ ରୋଗରେ ପିଡିତ ଥିବା ଜଣାଯାଇଛି । ଏହି ରୋଗରେ ପ୍ରଥମେ ଗୋରୁ ଗାଈଙ୍କ ଗୋଡ ଫୁଲି ଯିବା ସହ ବସନ୍ତ ଙଳି ଫୋଟକା ବାହାରି ପଡୁଛି ଓ ଜ୍ୱରରେ ଆକ୍ରାନ୍ତ ହୋଇ ପଡୁଛନ୍ତି । ଯେତେ ପ୍ରକାର ଔଷଧ ଦେଲେବି ତାହା ଠିକ ସେ କାମ କରୁନି । କିଛିଦିନ ପଡି ରହିବାପରେ ବିଶେଷକରି ବାଛୁରୀ ଗୁହିକ ମୃତ୍ୟୁ ଘଟୁଛି ।