ଲାଇଲାଇ-ସାନଲୋବା ରାସ୍ତା ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ଲାଇଲାଇ ଗ୍ରାମ ଠାରୁ ସାନଲୋବା ଗ୍ରାମ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର ସୂଚନା ଦେଇଛନ୍ତି ଯେ, ଅତି ତୁରନ୍ତ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ନିମନ୍ତେ ଗଜପତି ଜିଲ୍ଲାପାଳଙ୍କ ଅନୁମୋଦନ ପାଇଁ ଫାଇଲ ପ୍ରେରଣ କରାଯାଇଛି । ଦିନେ ଦୁଇଦିନ ମଧ୍ୟରେ ଏହାର ଅନୁମୋଦନ ହୋଇଯିବ । ଅନୁମୋଦନ ପରେ ପରେ ରାସ୍ତା କାମ ତୁରନ୍ତ ଆରମ୍ଭ କରାଯିବ । ୪କିମି ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମାପନ ହେଲେ ଏହି ଅଞ୍ଚଳବାସୀ ବେଶ ଉପକୃତ ହୋଇପାରିବେ । ତେଣୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏହି ରାସ୍ତା ନିର୍ମାଣକୁ ସମ୍ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀପାତ୍ର ଦୃଢତାର ସହ ପ୍ରକାଶ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏହି ରାସ୍ତା ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ । ଏହି ରାସ୍ତା ନିର୍ମାଣ ନ ହେଲେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଅଞ୍ଚଳବାସୀ ବର୍ଜନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ବର୍ତ୍ତମାନ ଉପରୋକ୍ତ ରାସ୍ତାକାମ ନିର୍ମାଣ ହେବାକୁ ନିଶ୍ଚିତ ହୋଇଥିବା ଯୋଗୁଁ ଅଞ୍ଚଳବାସୀଙ୍କ ଠାରେ ଆନନ୍ଦର ଲହରୀ ଖେଳିଯାଇଛି ।


