ଲାଗିଲା କଟକଣା ଆଉ ଉଡ଼ିବନି ବୋଇଂ-୭୩୭!
ନୂଆଦିଲ୍ଲୀ(ଏଜେନ୍ସି): ଇଥିଓପିଆରେ ବିମାନ ଦୁର୍ଘଟଣାର ପ୍ରଭାବ ଭାରତରେ ପଡିଛି । ବୋଇଂ ୭୩୭ ବିମାନ ଉଡାଣ ଉପରେ କଟକଣା ଲଗାଇଛନ୍ତି ଭାରତ ସରକାର । ଯେପର୍ଯ୍ୟନ୍ତ ସୁରକ୍ଷା ଯାଞ୍ଚ୍ ନ ସରିଛି, ସେ ଯାଏଁ ଭାରତର ଆକାଶରେ ବୋଇଂ ଆଉ ଉଡିବନି ବୋଲି ସ୍ପଷ୍ଟ କରିଛି ବେସାମରିକ ବିମାନ ଉଡାଣ ଚଳାଚଳ ମନ୍ତ୍ରାଳୟ । ଦେଶର ସମସ୍ତ ଘରୋଇ ବିମାନ କମ୍ପାନି ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ କୁହାଯାଇଛି ଯେ ବୋଇଂ ବିମାନ ଉଡ଼ାଣ ରଦ୍ଦ କରାଯାଇଛି । ଏହାର ପ୍ରଭାବ ଯେପରି ଯାତ୍ରୀଙ୍କ ଅନ୍ୟ ବିମାନ ଦର ଉପରେ ନପଡ଼େ ସେଥିପ୍ରତି ବିମାନ ସେବା କମ୍ପାନି ଗୁରୁତ୍ୱ ଦେବେ । ଏହି ପ୍ରସ୍ତାବରେ ସମସ୍ତ ବିମାନ ସେବା କମ୍ପାନି ସହମତି ପ୍ରକାଶ କରିଥିବା ବିଭାଗୀୟ ସଚିବ କହିଛନ୍ତି । ଦେଶରେ ବୋଇଂ ୭୩୭ ମାକ୍ସ ଶ୍ରେଣୀର ବିମାନ ଉଡ଼ାଉଥିବା ସମସ୍ତ କମ୍ପାନି ସେମାନଙ୍କ ବିମାନଗୁଡ଼ିକର ଯାନ୍ତ୍ରିକ ପରୀକ୍ଷା ପାଇଁ ମେଣ୍ଟେନାନ୍ସ ସେଣ୍ଟରକୁ ପଠାଇ ଦିଆଯାଇଥିବା କୁହାଯାଇଛି । ଏହାସହ ବିମାନ ଉଡ଼ାଣ ବିଳମ୍ବ, ରଦ୍ଦ ଏବଂ ବିମାନ ଯାତ୍ରୀ ସାମ୍ନା କରିବାକୁ ଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ମନିଟିରିଂ ସେଲ୍ କାମ କରିବ ବୋଲି ସୂଚନା ମିଳିଛି ।
ରବିବାର ଇଥିଓପିଆରେ ଉଡାଣ ଭରିବାର ମାତ୍ର ୬ମିନିଟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଇଥିଓପିଆନ ଏୟାରଲାଇନ୍ସର ବୋଇଂ ୭୩୭ ମ୍ୟାକ୍ସ ୮ ବର୍ଗର ବିମାନ । ଏହି ଦୁର୍ଘଟଣା ପରେ କେବଳ ଭାରତ ନୁହେଁ ସାରା ବିଶ୍ୱର ଅନେକ ରାଷ୍ଟ୍ର ଏବେ ବୋଇଂ ୭୩୭ ମ୍ୟାକ୍ସ ୮ ବିମାନ ଉପରେ କଟକଣା ଲଗାଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏନେଇ କଟକଣା ଜାରି କରିଛି । ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି, ଯେପର୍ଯ୍ୟନ୍ତ ବୋଇଂ ୭୩୭ର ସୁରକ୍ଷା ଓ ଏଥିରେ ଆବଶ୍ୟକ ପରିବର୍ତ୍ତନ କରାନଯାଇଛି ସେପର୍ଯ୍ୟନ୍ତ ଏହାର ଉଡାଣ ବନ୍ଦ ରହିବ । ଦୁଇ ମାସ ଭିତରେ ୨ଟି ବୋଇଂ ୭୩୭ ବିମାନ ଦୁର୍ଘଟଣରେ ଜୀବନ ହାରିଛନ୍ତି ୩୪୬ ଯାତ୍ରୀ ଓ କ୍ରିଉ ମେମ୍ବର । ରବିବାର ଦିନ ଇଥିଓପିଆରେ ବୋଇଂ ୭୩୭ ବିମାନ ଦୁର୍ଘଟଣାରେ ୧୪୯ଯାତ୍ରୀଙ୍କ ସହ ୮ କ୍ରିଉ ମେମ୍ବରଙ୍କ ମୃତ୍ୟୁ ହୋଇଥିଲା । ଗତ ୬ମାସ ମଧ୍ୟରେ ବୋଇଂ ୭୩୭ ବର୍ଗ ବିମାନର ଏହା ଦ୍ୱିତୀୟ ଦୁର୍ଘଟଣା । ଏହା ପୂର୍ବରୁ ଗତବର୍ଷ ଅକ୍ଟୋବର ୨୮ତାରିଖରେ ଇଣ୍ଡୋନେସିଆର ଲାୟନ ଏୟାରର ବୋଇଂ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିପାଇଁ ଭାରତରେ ସ୍ପାଇସ ଜେଟର ୧୨ଟି ବୋଇଂ ୭୩୭ ବିମାନ ଉପରେ କଟକଣା ଲାଗିଛି । କାରଣ ଭାରତରେ କେବଳ ସ୍ପାଇସ ଜେଟ୍ ନିକଟରେ ବୋଇଂ ୭୩୭ ବିମାନ ରହିଛି । ଏହାସହ କୌଣସି ବୋଇଂ ୭୩୭ ବିମାନ ଭାରତୀୟ ଆକାଶ ପଥକୁ ବ୍ୟବହାର କରିପାରିବେ ନାହିଁ । ବୋଇଂ ୭୩୭ ଉଡାଣରେ ବିଭିନ୍ନ ଦେଶ ପକ୍ଷରୁ କଟକଣା ଜାରି କରାଯାଇଛି । ଜର୍ମାନୀ, ଅଷ୍ଟ୍ରେଲିଆ, ମାଲେସିଆ, ଓମାନ, ଇଥିଓପିଆ, ସିଙ୍ଗାପୁର, ଫ୍ରାନ୍ସ, •ଇନା, ଆୟରଲ୍ୟାଣ୍ଡ, ଇଣ୍ଡୋନେସିଆ, ମୋରୋକ୍କା, ୟୁକେ ଓ ମଙ୍ଗୋଲିଆ ବୋଇଂ ୭୩୭ ବିମାନର ଉଡାଣରେ କଟକଣା ଲଗାଇଛନ୍ତି ।


