ଲାଠି-ଠେଙ୍ଗା ଧରି ମୁଖ୍ୟମନ୍ତ୍ରୀ କେଜରିଓ୍ଵାଲଙ୍କ ଉପରେ ଆକ୍ରମଣ
ନୂଆଦିଲ୍ଲୀ: ଦିଲ୍ଲୀର ନରେଲା ଇଲାକାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ କାର ଉପରେ ଶୁକ୍ରବାର ଲାଠି-ଠେଙ୍ଗା ଧରି ଲୋକେ ଆକ୍ରମଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ(ସିଏମଓ)ର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏହି ଘଟଣାରେ କାହାରି କିଛି କ୍ଷତି ଘଟିନଥିବା ସୂଚନା ମିଳିଛି। ଏହି ଘଟଣା ନେଇ ଆପ ବିଜେପିକୁ ଦୋଷ ଦେଇଛି।
ଆମ୍ ଆଦମୀ ପାର୍ଟିର ଅଧିକାରିକ ଟ୍ଵିଟ ହ୍ୟାଣ୍ଡେଲରେ ମଧ୍ୟ ଏହାର ସୂଚନା ଦିଆଯାଇଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଟ୍ଵିଟରରେ ଲେଖାହୋଇଛି ଯେ, ଯଦି ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ପାରୁ ନାହାନ୍ତି ତେବେ ସାଧାରଣ ଜନତାଙ୍କ ରକ୍ଷା କେମିତି କରିବେ? ଅଧିକାରୀଙ୍କ ମୁତାବକ ପାଖାପାଖି ୧୦୦ ଲୋକଙ୍କ ଏକ ଗୋଷ୍ଠୀ ମୁଖ୍ୟମନ୍ତ୍ରୀଙ୍କ କାର ରୋକିବାକୁ ଚେଷ୍ଟା କରିଥିଲେ ଏବଂ ଲାଠି-ଠେଙ୍ଗାରେ ଆକ୍ରମଣ କରିଥିଲେ। ଏହି ଘଟଣା ସେହି ସମୟରେ ଘଟିଛି ଯେବେ କେଜରିଓ୍ଵାଲ ୨୫ ଅନଧିକକୃତ କଲୋନୀର ବିକାଶ କାର୍ଯ୍ୟର ଉଦଘାଟନ ପାଇଁ ଦିଲ୍ଲୀର ଉପକଣ୍ଠ ଇଲାକାକୁ ଯାଉଥିଲେ।