ଲାଲବାହିନୀର ଉପଦ୍ରବ , ଛତିଶଗଡ଼ରେ ୪ ଯବାନ ଶହୀଦ
ସାଧାରଣ ନିର୍ବାଚନକୁ ଆଉ କେଇଟା ଦିନ ବାକି ଥିବାବେଳେ ଲାଲବାହିନୀର ଉପଦ୍ରବ ଆରମ୍ଭ ହୋଇଯାଇଛି । ଛତିଶଗଡ଼ କାଙ୍କେର ଜିଲ୍ଲାର ପଙ୍ଖାଜୁରରେ ମାଓ ହିଂସା ଦେଖିବାକୁ ମିଳିଛି । ମାଓବାଦୀଙ୍କ ଗୁଳିରେ ବିଏସ୍ଏଫ୍ର ୪ ଜଣ ଯବାନ ଶହୀଦ ହୋଇଛନ୍ତି । ଏଥିରେ ଜଣେ ଏଏସ୍ଆଇ ଅଛନ୍ତି ।ଆଣ୍ଟି ନକ୍ସଲ ଅପରେସନର ଡିଆଇଜି ସୁନ୍ଦରାଜ ପିଙ୍କ ସୂଚନା ମୁତାବକ, ଗୁରୁବାର ସକାଳେ ପଙ୍ଖାଜୁରରେ ଅଂଚଳରେ ମାଓବାଦୀ ଥିବା ନେଇ ସୂଚନା ମିଳିଥିଲା । ଏହା ପରେ ବିଏସ୍ଏଫ୍-୧୧୪ ବାଟାଲିଅନ୍ ସର୍ଚ୍ଚ ଅପରେସନ୍ ଆରମ୍ଭ କରି ଦେଇଥିଲେ । ପଙ୍ଖାଜୁରରୁ ପ୍ରାୟ ୩୫ କିଲୋମିଟର୍ ଦୂରରେ ପ୍ରତାପୁର ଥାନା ଅନ୍ତର୍ଗତ ମୋହଲା ଜଙ୍ଗଲରେ ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ପ୍ରଥମେ ଜଣେ ଯବାନ ରାମକୃଷ୍ଣନଙ୍କ ଘଟଣା ସ୍ଥଳରେ ମୃତ ହୋଇଥିଲା । ଏହା ପରେ ତିନି ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣ ଯବାନ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣରେ ପ୍ରାୟ ୩୦ ରୁ ୪୦ ମାଓବାଦୀ ଥିଲେ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।ଘଟଣା ପରେ ସଂପୃକ୍ତ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହା ସହିତ ସର୍ଚ୍ଚ ଅପରେସନ୍କୁ ଜୋରଦାର କରାଯାଇଛି । ନିର୍ବାଚନ ସମୟ ଥିବାରୁ ଯେପରି କୌଣସି ଅଧିକ କ୍ଷୟକ୍ଷତି ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।ଏଠାରେ ଉଲ୍ଲେଖ ଯୋଗ୍ୟ, କାଙ୍କେରରେ ଅପ୍ରେଲ ୧୮ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଯାହାକୁ ମାଓବାଦୀମାନେ ପୂର୍ବରୁ ବିରୋଧ କରି ଆସୁଛନ୍ତି ।