ଲିଙ୍ଗରାଜ ନିସର୍ତ୍ତ ଖଲାସ ପାଇଁ ଦାବି
ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍) : ନିୟମଗିରି ସୁରକ୍ଷା ଆନ୍ଦୋଳନର ନେତା ତଥା ଆଦିବାସୀଙ୍କ ସ୍ୱାର୍ଥର ସୁରକ୍ଷା ଏବଂ ଜଳ, ଜମି ଓ ଜଙ୍ଗଲ ଅଧିକାର ପାଇଁ ବିଗତ ବହୁବର୍ଷ ଧରି ଲଢେଇ କରି ଆସୁଥିବା ବିଶିଷ୍ଟ ସମାଜବାଦୀ ସଂଗଠକ ଲିଙ୍ଗରାଜ ଆଜାଦଙ୍କୁ ଗିରଫ କରାଯିବା ପଛରେ ଓଡ଼ିଶା ସରକାରଙ୍କ କମ୍ପାନୀ ପ୍ରୀତି ସ୍ପଷ୍ଟ ଦିଶୁଛି । ବଡ଼ ବଡ଼ ପୁଞ୍ଜିପତି, ଶିଳ୍ପପତି ଏବଂ କମ୍ପାନୀମାନଙ୍କ ଇଙ୍ଗିତରେ ପରି·ଳିତ ଓଡ଼ିଶା ସରକାର ପୋଲିସ୍ ଲଗାଇ ଆଦିବାସୀଙ୍କ ଆନ୍ଦୋଳନକୁ ଦମକ କରିବାର ଯେଉଁ ହୀନ ଉଦ୍ୟମ କରୁଛନ୍ତି, ସେଥିରୁ ନିବୃତ୍ତ ରହିବାକୁ ଇଣ୍ଡିଜିନିୟସ ପିପୁଲ୍ସ ଫୋରମ, ଓଡ଼ିଶା ଶାଖା ପକ୍ଷରୁ ଚେତାବନୀ ଦିଆଯାଇଛି । ନବୀନ ସରକାର ଏଭଳି ହୀନ ଚକ୍ରାନ୍ତ ଓ ଦମନମୂଳକ ନୀତି ପରିହାର ନକଲେ ସଂଗଠିତ ଆଦିବାସୀ ସମାଜ ଆସନ୍ତା ନିର୍ବାଚନରେ ଉଚିତ୍ ଜବାବ ଦେବ ବୋଲି ସଂଗଠନର ରାଜ୍ୟ ଆବାହକ ଯୁବନେତା ଥିଓଫିଲ୍ ଗମାଙ୍ଗ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଲିଙ୍ଗରାଜ ଆଜାଦଙ୍କୁ ନିସର୍ତ୍ତ ଖଲାସ ସହ ସମସ୍ତ ମିଥ୍ୟା ମାମଲା ପ୍ରତ୍ୟାହାର କରିନେବାକୁ ଶ୍ରୀ ଗମାଙ୍ଗ ଦାବି କରିବା ସହ ଆଦିବାସୀଙ୍କ ଦାବି ପ୍ରତି ଅବମାନନା କଲେ ଏହାର ଦୃଢ ଜବାବ ଦେବାକୁ ଆଦିବାସୀ ସମାଜ ରାଜରାସ୍ତାକୁ ଓହ୍ଲାଇବ ବୋଲି ସରକାରଙ୍କୁ ସତର୍କ କରିଦେଇଛନ୍ତି ।