ଲିଙ୍ଗ ଭିତିକ ହିଂସା ବିରୋଧରେ ସଚେତନତା

କେନ୍ଦ୍ରାପଡ଼ା, (ସରୋଜ ପଣ୍ଡା) : ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ସମାଜ କଲ୍ୟାଣ ବିଭାଗ ସହଯୋଗରେ ଗରାପୁରସ୍ଥିତ ରେସୱା ପରିଚାଳିତ ଜାଗୃତି-୨ ଆନୁକୂଲ୍ୟରେ ୧୬ଦିନିଆ ଲିଙ୍ଗ ଭିତିକ ହିଂସା ବିରୋଧରେ ମହିଳା ଓ ବାଳିକାମାନଙ୍କୁ ସଚେତନତା କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ ରେସୱା ଶିଶୁଯତ୍ନ ଅନୁଷ୍ଠାନର ସଂଯୋଜକ ଅମିତରଞ୍ଜନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲା ସମାଜକଲ୍ୟାଣ ଅଧିକାରିଣୀ ସତ୍ୟଭାମା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଆମ ଦେଶର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଜଣେ ମହିଳା ହୋଇଥିବା ବେଳେ ଏବେ ଆମର ରାଷ୍ଟ୍ରପତି ହେଉଛନ୍ତି ଜଣେ ମହିଳା । ଆଜିର ସମାଜରେ ଗୋଟିଏ ପୁଅ ଓ ଝିଅ ମଧ୍ୟରେ ଲିଙ୍ଗ ଭିତିକ ଅସମାନତା ରହିବା ଉଚିତ ନୁହେଁ । ଯେତେ ଆଇନ ପ୍ରଣୟନ ହେଲେ ମଧ୍ୟ ସମାଜରେ ମାନସିକତାର ପରିବର୍ତ୍ତନ ହେଉନି । ତେଣୁ ଆମକୁ ସଚେତନ ହୋଇ ଏସବୁ ମାନସିକତାକୁ ଦୂର କରିବାକୁ ପଡିବ ବୋଲି ସେ କହିଥିଲେ । ମୁଖ୍ୟବକ୍ତା ଭାବେ ମହିଳା ସୁରକ୍ଷା ଅଧିକାରୀ ସଂଯୁକ୍ତା ମିଶ୍ର ଯୋଗଦେଇ ସମାଜରୁ ଲିଙ୍ଗ ଭିତିକ ହିଂସାକୁ ଦୂର କରିବାକୁ ହେଲେ ମହିଳାମାନେ ସର୍ବପ୍ରଥମେ ସଚେତନ ହେବା ଆବଶ୍ୟକ । ଝିଅ ଓ ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାର ମମତା, ମହିଳା ଓ ଶିଶୁ କଲ୍ୟାଣ, ଜାଗୃତି-୨, ସ୍ୱାଧାର ପ୍ରଭୃତି ବହୁ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଏହାସହିତ ପ୍ରତି ଥାନାରେ ମହିଳା ହେଲ୍ପ ଡେସ୍କ୍ ପ୍ରତିଷ୍ଠା ହୋଇଥିବା ବେଳେ ମହିଳାମାନଙ୍କ ସୁରକ୍ଷା ପାଇଁ ମହିଳା ହେଲ୍ପ ଲାଇନ୍‌, ରାଜ୍ୟ ଓ କେନ୍ଦ୍ର ମହିଳା କମିସନ, ଆଇନଗତ ସହାୟତା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ କାର୍ଯ୍ୟକାରୀ କରାଯାଇଛି । ଏଥିସହିତ ପୁଅ ଏବଂ ଝିଅକୁ ସମାନ ସୁବିଧା ସୁଯୋଗ ଦେବା ମା’ର ଦାୟୀତ୍ୱ ଏବଂ କର୍ତ୍ତବ୍ୟ । ମହିଳାମାନେ ସଚେତନ ହୋଇପାରିଲେ ସମାଜରେ ସେମାନଙ୍କ ପ୍ରତି ହେଉଥିବା ହିଂସା ହ୍ରାସ ପାଇପାରିବ ବୋଲି ସେ କହିଥିଲେ । ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ସିଡିପିଓ କବିତା ନାୟକ, ଆଳି ସିଡିପିଓ ପଙ୍କଜିନୀ ମିଶ୍ର, ଡେରାବିଶି ସିଡିପିଓ ସ୍ନେହଲତା ସାହୁ, ଆଳି କ୍ଷେତ୍ର ପରିଦର୍ଶିକା ଗାୟତ୍ରୀ ସ୍ୱାଇଁ, ମହାକାଳପଡା କ୍ଷେତ୍ରପରିଦର୍ଶିକା ସୁଶ୍ରୀ ସଂଗୀତା ପ୍ରୟଦର୍ଶିନୀ, ରାଜକନିକା କ୍ଷେତ୍ରପରିଦର୍ଶିକା ସବିତା ସାମଲ ଓ ଗରଦପୁର କ୍ଷେତ୍ରପରିଦର୍ଶିକା ମାଳତୀ ହାଂସଦା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ପ୍ରୋଜେକ୍ଟ ସ୍ୱରାଜ୍ୟ ଜାଗୃତି ଗୃହ-୨ର ତତ୍ୱାବଧାରିକା ସୁକାନ୍ତିଲତା ମାହୁନ୍ତ, ପଲ୍ଲିଶ୍ରୀ ମହିଳା ସମିତି ଜାଗୃତି ଗୃହ-୨ର ତତ୍ୱାବଧାରିକା ମନୋରମା ସାହୁ, ୱାନଷ୍ଟପ ସେଣ୍ଟରର ପରିଚାଳିକା ଜ୍ୟୋତିପ୍ରଭା ସାହୁ, କେଶୱାର୍କର ଶୁଭସ୍ମିତା ଲେଙ୍କା, ରେସୱା ଜାଗୃତି ଗୃହ-୨ର କାଉନସେଲର ଗାୟତ୍ରୀ ଦଳାଇ, ପଲ୍ଲିଶ୍ରୀ କାଉନସେଲର ମଞ୍ଜୁଳା ନାୟକ, ରେସୱା ଭିଜିଲାନ୍ସ ଗ୍ରୁପର ସଦସ୍ୟ ହୃଷିକେଶ ଜେନା, ରେସୱାର ନିର୍ଦେଶକ ସେକ ଲିଆକତ ହୋସେନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରେସୱା ଜାଗୃତି ଗୃହ-୨ର ତତ୍ୱାବଧାରିକା ମିନତୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ରେସୱା ଜାଗୃତି ଗୃହ-୨ର ଅନ୍ତେବାସୀ ବାଳିକାମାନେ ସ୍ୱାଗତ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ