ଲିମକା ବୁକ ଅଫ ରେକର୍ଡ ରେ ନାମ ହେଲା ଲେଖା
ଅନୁଗୋଳ (ଯୁଗାଦ୍ଧ ନ୍ୟୁଜ) :ନିସ୍ୱାର୍ଥପର ଓ ନିରନ୍ତର ପରିଶ୍ରମ ଓ ପ୍ରଚେଷ୍ଟା ଯୋଗୁ ପିପୁଲ ଫର ଆନିମଲ୍ସ ଅନୁଗୋଳ ୟୁନିଟ୍କୁ ସର୍ବଭାରତସ୍ତରୀୟ ଲିମ୍କା ବୁକ ଅଫ୍ ରେକଡର୍ସରେ ସ୍ଥାନ ମିଳିଛି। ୨୦୧୧ ଠାରୁ ୨୦୧୮ ମଧ୍ୟରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ତଥା ଜିଲାର ବିଭାଗୀୟ ଅଧିକାରୀମାନଙ୍କ ସହଯୋଗରେ ପିପୁଲ ଫର ଆନିମଲ୍ସ ୧୯ ହଜାର ୫୫୫ଟି ପଶୁପକ୍ଷୀ ଉଦ୍ଧାର କରିଛନ୍ତି। ସେଥିମଧ୍ୟରୁ ୧୯ ହଜାର ୫ ଶହଙ୍କ ସମ୍ପୂର୍ଣ୍ଣ ଚିକିତ୍ସା କରାଯାଇ ସଫଳତା ପୂର୍ବକ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଏହି ପଶୁପକ୍ଷୀଙ୍କ ମଧ୍ୟରେ ୧୭ ହଜାର ୫ ଶହ ସର୍ପ, ୮୪୦ ଗୋଧି, ୭୦୫ ଗୋରୁ, ୧୫୦ ବହୁରୂପୀ ଏଣ୍ଡୁଅ ଓ ୧୧୫ କଇଁଛ ଆଦି ସାମିଲ ରହିଛି। ପିପୁଲ ଫର ଆନିମଲ୍ସ ଅନୁଗୋଳ ଶାଖା ଅଧ୍ୟକ୍ଷ ବିପ୍ଳବ କୁମାର ମହାପାତ୍ର ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଗତ ୮ ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଠାରୁ ଉକ୍ତ ପୁରସ୍କାର ସେ ଗ୍ରହଣ କରିଛନ୍ତି। ପୁରସ୍କାର ପାଇବା ପରେ ବିପ୍ଲବ ନିଜ ଟିମ୍ ମେମ୍ବର ଓ ବିଭାଗୀୟ ଜଙ୍ଗଲ ଅଧିକାରୀମାନଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି।