ଲୀଳାକ୍ଷେତ୍ର ଗଡ଼କୁଜଙ୍ଗ

ଗଡ଼କୁଜଙ୍ଗରେ କୁଜଙ୍ଗବିହାରୀ
ନାମେ ଲୀଳା କଲେ ଶ୍ରୀକ୍ଷେତ୍ରବିହାରୀ ।
କଳାପାହାଡର ବିଧ୍ବଂସୀ ଔଧତ୍ଯ
ହିନ୍ଦୁ ଦେବାଦେବୀ ଶତଶତ କ୍ଷତ ।
ରାମଚନ୍ଦ୍ର ଦେବ ପ୍ରତିରୋଧ କଲେ
ଗୋହିରାଟିକିରୀ ଠାରେ ହାରି ମଲେ ।
ଧିରେଧିରେ ଭାଙ୍ଗି ମୂର୍ତ୍ତି କେତେ ଶତ
ପହଞ୍ଚିଲା ଯାଇ ସଦଳେ ଶ୍ରୀକ୍ଷେତ୍ର ।
ଏକା ଜଗନ୍ନାଥ ଲୀଳାରେ ବିଖ୍ୟାତ
ନ ପାଇଲା ତାଙ୍କ ବ୍ରହ୍ମ ଆଦି ଅନ୍ତ ।
ହିନ୍ଦୁ ହୋଇ ଯିଏ ହୋଇଲା ଯବନ
ସୁକ୍ଷ୍ମରେ ପାଏ କି ସେ ବ୍ରହ୍ମ ଦର୍ଶନ ।
ଆକ୍ରମଣ କରି ଶ୍ରୀମନ୍ଦିର ଦେଖେ
ଦାରୁବ୍ରହ୍ମ ତହିଁ ନ ଥାନ୍ତି ପ୍ରତ୍ୟକ୍ଷେ ।
ସ୍ଥୂଳ ନୟନରେ ଦେଖେ ଗର୍ଭଗୃହ
କେଣେ ଅନ୍ତର୍ଦ୍ଧାନ ସମସ୍ତ ବିଗ୍ରହ ।
ଚତୁର୍ଦିଗେ ପେଶି ସୈନ୍ଯ ସାମନ୍ତଙ୍କୁ
ସନ୍ଧାନ ପାଇଲା ତିନି ବିଗ୍ରହଙ୍କୁ ।
ଚିଲିକା ମଝିରେ ପାରିକୁଦ ଠାରେ
ଲୀଳା କରୁଛନ୍ତି ସ୍ବୟଂ ନିର୍ଭୟରେ ।
କ୍ରୋଧରେ ଜଳିଲା ସେ କଳାପାହାଡ
ଆକ୍ରମଣ କଲା ପାରିକୁଦ ଗଡ ।
ଭୂଗର୍ଭ ମଧ୍ଯରୁ ଉଠାଇ ଆଣିଲା
କଲିକତା ଗଙ୍ଗାନଦୀ କୂଳେ ନେଲା ।
ସୈନ୍ୟସାମନ୍ତଙ୍କୁ ନିରିଦେଶ ଦେଲା
ଦାରୁବ୍ରହ୍ମେ ଅଗ୍ନି ଲଗାଅ କହିଲା ।
ଏଣେ ଅଗ୍ନି ଯେତେ ହୋଇଲା ପ୍ରଚଣ୍ଡ
ତେଣେ ପୋଡେ କଳାପାହାଡର ପିଣ୍ଡ ।
ସର୍ବାଙ୍ଗରେ ତାର ଫୋଟକା ଫାଟିଲା
ଅସହ୍ଯ ଜ୍ଜଳାରେ ଛଟପଟ ହେଲା ।
ଡାକିଲା ସଭିଙ୍କୁ କହିଲା ତ୍ତ୍ବରିତେ
ଅର୍ଦ୍ଧଦଗ୍ଧ ଦାରୁ ଫିଙ୍ଗ ଗଙ୍ଗା ତଟେ ।
ସକଳ ବୃତ୍ତାନ୍ତ ବିଶର ମହାନ୍ତି
ଛଦ୍ମବେଶେ ସବୁ କୟଦ କରନ୍ତି ।
ନିରବ ନିସ୍ତବ୍ଧ ସମୟ ଆଗତ
ବିଶର ମହାନ୍ତି ଦାରୁ ପାଶେ ସ୍ଥିତ ।
ଅର୍ଦ୍ଧଦଗ୍ଧ ଦାରୁ କୂଳେ ଲାଗିଥାଇ
ବ୍ରହ୍ମମଣୀ ଆଣେ ଜତ୍ନରେ ଘୋଡାଇ ।
ପହଞ୍ଚଇ କୁଜଙ୍ଗଗଡରେ ଯାଇ
ଯବନଙ୍କ ଛାଇ ଯହିଁ ପଡି ନାହିଁ ।
କୁଜଙ୍ଗ ରାଜାଙ୍କୁ ବ୍ରହ୍ମମଣି ଦେଇ
ନବକଳେବର କରିବାକୁ କହି ।
ରାଜା ତହିଁ ପରେ ବନଯାଗ କରି
ଦାରୁଙ୍କୁ ଚୟନ ଯଥାଶୀଘ୍ର କରି ।
ବିଗ୍ରହ ଗଢିଲେ ଅତି ଯତନରେ
ବ୍ରହ୍ମମଣି ସ୍ଥାପି ବିଗ୍ରହ ମଧ୍ୟରେ ।
କୁଞ୍ଜବିହାରୀ ନାମେ କରିଲେ ଲୀଳା
ଶ୍ରୀକ୍ଷେତ୍ରରେ ଆଜି ସେହିଁ ଚକାଡୋଳା ।

ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ