ଲୁଟିଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ସୁନା ରୁପା ସଫା ଆଳରେ ଲୁଟେରାମାନେ ଗୋଟିଏ ପରେ ଗୋଟିଏ ଠକାମିର ଶୀକାର ହେଉଥିଲେବି କେହି ସେଥିପ୍ରତି ସଚେତନ ହେଉ ନାହାନ୍ତି । ଗତ କିଛିଦିନ ତଳେ ଦୁଇଜଣ ବ୍ୟକ୍ତି ଡଅଁର ଅଞ୍ଚଳରୁ ଗୋଟିଏ ହାର ଲୁଟିନେଇଥିବା ବେଳେ ଆଜି ମଧୁରଗଡିଆ ଗ୍ରାମରୁ ଅଭିନବ ଉପାୟରେ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଖବରରୁ ଜଣାଯାଇଛି ଯେ ସୁନା ଅଳଙ୍କାର ସଫା କରିବା ପାଇଁ ଦୁଇଜଣ ଯୁବକ ଏକ ପଲସର ଗାଡି ଧରି ଗାଁ ଗାଁ ବୁଲୁଥିବାବେଳେ ମଧୁରଗଡିଆ ଗ୍ରାମର ଅମରେନ୍ଦ୍ର ଦାସଙ୍କ ଘରେ ପହଞ୍ଚି ପୁରୁଣା ସୁନାକୁ ସଫା କରିବାକୁ ପ୍ରବର୍ତ୍ତାଇଥିଲେ । ତାଙ୍କ କଥାରେ ଭଳିଯାଇ ଅମରେନ୍ଦ୍ରଙ୍କ ପରିବାର ଲୋକେ ଦୁଇଟି ସୁନା ଚେନ ଓ ଦୁଇଟି ସୁନା କାନରିଙ୍ଗ ସଫା କରିବାକୁ ଦେଇଥିଲେ । ସୁନା ରିଙ୍ଗ ଭିତରୁ ଗୋଟିଏ ରିଙ୍ଗକୁ ପାଣିରେ ଗରମ କରି ଆଣିବାକୁ କହି ଗୃହକର୍ତ୍ତାଙ୍କୁ ଭିତରକୁ ପଠଇଦେବା ପରେ ଦୁର୍ବୁତ ଦୁଇଜଣ ସୁନା ଚେନ ଓ ଗୋଟିଏ ପଟ କାନ ରିଙ୍ଗକୁ ନେଇ ଚମ୍ପଟ ମାରିଥିଲେ । ଗାଁ ଲୋକମାନେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ସନ୍ଧାନ ପାଇନଥିଲେ । ଏନେଇ ଅମରେନ୍ଦ୍ର ନନ୍ଦିପଦା ଓ ବନ୍ତ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି ।


