ଲୁଟେରାଙ୍କୁ କାବୁ କଲା ପୁଲିସ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଗତ ଦୁଇ ସପ୍ତାହ ଧରି ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ବିଭିନ୍ନ ଚୋରି ସହିତ ରାଜପଥରେ ସୁନାଚେନ ଲୁଟେରାଙ୍କ ପାଦୁର୍ଭାବ ବଢିବାରେ ଲାଗିଛି । ଏହାରି ଭିତରେ ଲୁଟେରା ମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ କୌଶଳ ଅବଲମ୍ବନ କରିଥିବାବେଳେ କିଛିମାତ୍ରାରେ ସଫଳ ହୋଇଥିବା ଜଣାପଡିଛି । ଆଜି ଏକ ପଲସର ଗାଡିରେ ଦୁଇଜଣ ଲୁଟେରା ଯାଜପୁର ପାଣିକୋଇଲି ପଟୁ ଆସୁଥିବାବେଳେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଆଖୁଆପଦା ଠାରେ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲା । ହେଲେ ଲୁଟେରା ପୁଲିସ ଆଖିରେ ଧୂଳି ଦେଇ କ୍ଷୀପ୍ର ବେଗରେ ଖସି ପଳାଇବା ପାଇଁ ସକ୍ଷମ ହୋଇଥିଲେ । ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ବିଭିନ୍ନ ପ୍ରବେଶ ପଥକୁ ତତକ୍ଷଣାତ ସିଲ କରିବା ସହ ଲୁଟେରାଙ୍କ ପିଛା କରିବା ପାଇଁ ପୁଲିସ ଭ୍ୟାନକୁ ନିର୍ଦ୍ଦେଶ ଦେଇଥିଲେ । ଲୁଟେରା ଦ୍ୱୟ ସାମ୍ଭାବ୍ୟ ପୋଲିସ ବିପଦକୁ ଅନୁମାନ କରି ରାଜପଥର ପାଳଦାବାଙ୍କ ଠାରୁ ପୂର୍ତ୍ତ ବିଭାଗ ଗ୍ରାମ୍ୟ ରାସ୍ତାରେ ଯାଜପୁର ମୁହାଁ ହୋଇଥିଲେ । ଦୁର୍ଭାଗ୍ୟ ବସତଃ ପଲସରରେ ଯାଉଥିବା ଦୁଇ ଚୋର ଏକଗୋଲା ଠାରେ ଜଣେ ସ୍ଥାନୀୟ ଯୁବକଙ୍କୁ ସାଇଟ ମାରି ଗାଡିକୁ ଏକ ଗଛ ସହିତ ଧକ୍କା ଦେଇଥିଲେ । ଏହାରିଭିତରେ ପୁଲିସ ଭ୍ୟାନ ଗାଡି ପିଛା କରି ଘଟଣା ସ୍ଥଳରେ ପହଞ୍ଚି ଦୁଇ ଲୁଟେରା ଯୁବକଙ୍କୁ ଧରି ଥାନାକୁ ନେଇଥିବା ଜଣାପଡିଛି । ଚୋର ମାନେ ପୁଲିସ ଗାଡିକୁ ଏକ ହେଲମେଟ ଫୋପାଡିଥିବାବେଳେ ଧସ୍ତାଧସ୍ତି ବେଳେ ଥାନା କର୍ମଚାରୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ପ୍ରାଥମିକ ତଦନ୍ତରୁ ଲୁଟେରା ଦ୍ୱୟଙ୍କ ଘର ଯଖପୁରା ଅଞ୍ଚଳରେ ହୋଇଥିବାବେଳେ ସେମାନେ ବିଭିନ୍ନ ଲୁଟରେ ସଂପୁକ୍ତ ଥିବା ପୁଲିସ ଅନୁମାନ କରୁଛି । ତଦନ୍ତରେ ବାଧା ସୃଷ୍ଟି ହେବା ସମ୍ଭାବନା ଥିବାରୁ ପୁଲିସ ନିକଟରୁ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ ।