ଲୁଟେରାଙ୍କୁ ମହଙ୍ଗା ପଡିଲା ବୋମା ମାଡ
ବେଲଗୁଣ୍ଠା , (ଯୁଗାବ୍ଦ ନ୍ୟୁଜ) : ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବେଲଗୁଣ୍ଠାଠାରେ ପ୍ରତ୍ୟହ ସୋମବାର ଚାଲୁଥିବା ହାଟରେ ଜୈନିକ ଗୋରୁ ବେପାରୀ ନିଜର ବ୍ୟବସାୟ ଉଦ୍ଦେଶ୍ୟରେ ଆସିଥିଲେ । ଏହି ସମୟରେ ୭ଜଣ ଦୁର୍ବୁତ୍ତ ତିନୋଟି ବାଇକରେ ଆସି ଗୋରୁ ବେପାରୀଙ୍କଠାରୁ ମାଉଜର ଦେଖାଇ ତାଙ୍କ ଠାରୁ ୧ଲକ୍ଷ ୧୦ ହଜାର ଲୁଟ୍ କରି ଫେରାର୍ ହୋଇଯାଇଥିଲେ । ଏନେଇ ଗୋରୁ ବେପାରୀ ଜଣକ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଗାଙ୍ଗପୁର ଥାନା ପୁଲିସ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପିଛା କରିଥିଲା । ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ନିକଟରେ ପୁଲିସକୁ ଦେଖି ଦୁର୍ବୃତ ମାନେ ପୁଲିସ ଉପରକୁ ଗୁଳି ମାଡ଼ କରିଥିଲେ । ଏହାର ପାଲଟା ଯବାବରେ ପୁଲିସ ମଧ୍ୟ ଦୁର୍ବୃତ ମାନଙ୍କ ଉପରକୁ ଗୁଳି ଚାଲନା କରିଥିଲେ । ଦୁର୍ବୃତ ମାନେ ଦ୍ରୁତ ଗତିରେ ଚାଲି ଯାଉଥିବା ବେଳେ ଜଣେ ଦୁର୍ବୃତଙ୍କର ବାଇକଟି ଭାରସାମ୍ୟ ହରାଇ ତଳେ ପଡିଯିବା ଫଳରେ ପାଖରେ ଥିବା ବୋମାଟି ଫୁଟି ଯିବା ଫଳରେ ଘଟଣା ସ୍ଥଳରେ ଜଣେ ଦୁର୍ବୁତ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୬ଜଣେ ଦୁର୍ବୃତ ଆହତ ହୋଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ସୁଚନାଯୋଗ୍ୟ, ମୃତ୍ୟୁବରଣ କରିଥିବା ଗାଙ୍ଗପୁର ଥାନା ଅଂଚଳର ଚରଣ ରାଉତ । ପୁଲିସ ତା ପକେଟରୁ ୨୧ ହଜାର ଟଙ୍କା ଜବତ କରିବା ସହ ଗୋଟିଏ ବାଇକକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।ପୋଲିସ ଶବ ବ୍ୟବଚ୍ଛେଦ କରିଛି ।


