ଲୁଥେରାନ ମହିଳା ସମିତି ବିରୋଧରେ ହୋଇଥିବା ଅଭିଯୋଗ ଗୁଡିକର ତଦନ୍ତ କରିବେ ୩ଜଣିଆ ଟିମ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ପାଟଳିପଙ୍କସ୍ଥିତ ଲୁଥେରାନ ମହିଳା ସମିତି ବିରୋଧରେ ହୋଇଥିବା ଅଭିଯୋଗ ଗୁଡିକର ତଦନ୍ତ କରି ଆସନ୍ତା ୧୫ତାରିଖ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଏକ ନିର୍ଦେଶନାମା ଜାରି କରିଛନ୍ତି । ଜିଲ୍ଲା ମଙ୍ଗଳ ଅଧିକାରିଣୀ ମମତାରାଣୀ ପରିଡାଙ୍କ ନେତୃତ୍ୱରେ ଗଠିତ ତଦନ୍ତ ଟିମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଚିନ୍ମୟୀ ରଥ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କୁ ନିଆଯାଇଛି । ଏହି ଟିମ ଲୁଥେରାନ ମହିଳା ସମିତିର ଶିଶୁ ଯତ୍ନ ଅନୁଷ୍ଠାନର ପରିଚାଳନା ସମ୍ପର୍କରେ ସବୁ ଦିଗରୁ ତଦନ୍ତ କରିବା ସହ, ନିଯୁକ୍ତି ପ୍ରକ୍ରୀୟା ସମ୍ପର୍କିତ ସମସ୍ତ ରେକର୍ଡ, ବର୍ତ୍ତମାନର ପରିଚାଳନା ପରିଷଦ, ବର୍ତ୍ତମାନର ଶିଶୁ ଯତ୍ନ ଅନୁଷ୍ଠାନରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ସମ୍ପର୍କରେ, ପରିଚାଳନାଗତ ତୃଟି ଓ ଆବଶ୍ୟକତା ଅନୁଯାଇ କର୍ମଚାରୀ ଅଛନ୍ତି କି ନାହିଁ ସେ ସମ୍ପର୍କରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ । ଏଥିସହିତ ସେହି ଟିମ ଶିଶୁ ଯତ୍ନ ଅନୁଷ୍ଠାନର ବିଭିନ୍ନ ତୃଟି ଓ ଦାୟୀତ୍ୱ ଖିଲାପ କରିଥିବା କର୍ମଚାରୀଙ୍କ ବିରୋଧରେ ଆବଶ୍ୟକ ମତାମତ ସହ ପରାମର୍ଶ ମଧ୍ୟ ରିପୋର୍ଟରେ ଦେଇପାରିବେ ବୋଲି ନିର୍ଦେଶରେ କୁହାଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ପିଓ ଆଇ.ସି. ବାଦଲ ଦାଶଙ୍କ ଠାରୁ ସମସ୍ତ ଦାୟୀତ୍ୱ ପ୍ରତ୍ୟାହାର କରିନିଆଯାଇଥିବା ବେଳେ ମହାକାଳପଡା ବ୍ଲକର ସିଡିପିଓ ମନୋରମା ସ୍ୱାଇଁଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ପି.ଓ. ଆଇ.ସି.ଦାୟୀତ୍ୱରେ ରହିବାକୁ ନିର୍ଦେଶ ପ୍ରଦାନ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ପ୍ରାକ୍ତନ ଜିଲ୍ଲାପାଳ ସମର୍ଥ ବର୍ମା ଲୁଥେରାନ ମହିଳା ସମିତିର ଶିଶୁ ଯତ୍ନ ଅନୁଷ୍ଠାନରେ ହୋଇଥିବା ଏକ ସଂଗୀନ ଘଟଣା ସମ୍ପର୍କରେ ପୂର୍ବତନ ଭାରପ୍ରାପ୍ତ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ସ୍ମିତାଞ୍ଜଳି ମହାପାତ୍ରଙ୍କ ରିପୋର୍ଟ ଉପରେ ତଦନ୍ତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ନିର୍ଦେଶ ଦେଇଥିଲେ । ସେହି ଘଟଣାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ରଥଙ୍କୁ ତଦନ୍ତ କରିବାକୁ ନିର୍ଦେଶ ଦେଇଥିବା ବେଳେ ସେହି ଘଟଣାର ତଦନ୍ତ ଆଜିବି ରହସ୍ୟାବୃତ ହୋଇରହିଛି । ଅନ୍ୟପକ୍ଷରେ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ଲୁଥେରାନରେ ଘଟୁଥିବା ସମସ୍ତ ଘଟଣା ସମ୍ପର୍କରେ କିଭଳି କିଛି ଜାଣିପାରିଲେ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ସରକାରୀ ଅଧିକାରୀଙ୍କୁ ନେଇ ଗଠିତ ତଦନ୍ତ ଟିମ ଯେ ନିରପେକ୍ଷ ରିପୋର୍ଟ ପ୍ରଦାନ କରିବା ସମ୍ଭବ ନୁହେଁ ତାହା ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ