ଲୁଥେରାନ ଶିଶୁଯତ୍ନ କେନ୍ଦ୍ରରେ ଦୁଷ୍କର୍ମରୁ ଶିଶୁସନ୍ତାନଜନ୍ମ ଘଟଣା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଲୁଥେରାନ ମହିଳା ସମିତି ଶିଶୁ ଯତ୍ନ କେନ୍ଦ୍ରରେ ଦୁଷ୍କର୍ମରୁ ଶିଶୁ ସନ୍ତାନ ଜନ୍ମ ଘଟଣା ପୂର୍ବରୁ କିଛି ସଂଗୀନ ଅଭିଯୋଗକୁ ପ୍ରଶାସନ ଚପାଇଦେବାରୁ ଏଭଳି ଘଟଣାର ପୁନରାବୃତ୍ତି ହୋଇଛି ବୋଲି ଅଭିଯୋଗ ହୋଇଛି । ଗତ ୨୦୨୦ମସିହା ଫେବୃୟାରୀମାସରେ ସେହିସଂସ୍ଥାର ଜନୈକ ଅନ୍ତେବାସୀ ନାବାଳିକାକୁ ଭୀଷଣ ମାଡମରାଯାଇଥିବା ସମ୍ପର୍କରେ ସଂସ୍ଥାର ସୁପରିନଟେଣ୍ଡେଟ ତତ୍କାଳୀନ କେନ୍ଦ୍ରାପଡା ଶିଶୁ ମଙ୍ଗଳ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ସ୍ମିତାଞ୍ଜଳି ମହାପାତ୍ରଙ୍କୁ ଅଭିଯୋଗ କରିଥିଲେ ।ସେହି ଅଭିଯୋଗ ଉପରେ ତଦନ୍ତ କରିବାକୁ ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ଶିଶୁ ମଙ୍ଗଳ ସମିତିର ସଭ୍ୟ କିଶୋର କୁମାର ସ୍ୱାଇଁ ଓ ଲଳିତାଞ୍ଜଳି ଦାସଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପି.ଓ. ଆଇ.ସି. ବାଦଲ ଦାଶ, ପି.ଓ. ଏନ.ଆଇ.ସି. ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଓ ଏଲ.ପି.ଓ. ବିବେକାନନ୍ଦ ଅତ୍ତବୁଦ୍ଧିଙ୍କୁ ନେଇ ଗଠିତ ଏକ ଟିମର ନେତୃତ୍ୱ ନେଇ ଯାଇଥିଲେ । ଲୁଥେରାନ ଶିଶୁ ଯତ୍ନ କେନ୍ଦ୍ରରେ ପହଁଚିବା ପରେ ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ପିଡିତା ନାବାଳିକା ସମେତ ଅନ୍ୟ କେତେକ ଅନ୍ତେବାସୀଙ୍କ ଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ଅନ୍ତେବାସୀମାନଙ୍କ ସମସ୍ତ ଷ୍ଟେଟମେଂଟକୁ ଭିଡିଓ ରେକଡିଂ ମଧ୍ୟ କରିଥିଲେ । ଏକ ବିଶେଷ ସୁତ୍ରରୁ ପ୍ରକାଶ ଯେ ସଂପୃକ୍ତ ସଂସ୍ଥାର ଜନୈକ ମହିଳା କର୍ମଚାରୀଙ୍କ ସହିତ ଅନ୍ୟ ଜଣେ କର୍ମକର୍ତ୍ତାଙ୍କ ଅନୈତିକ କାର୍ଯ୍ୟକୁ ଅନ୍ତେବାସୀ ନାବାଳିକା ଜଣଙ୍କ ଦେଖିଦେଇଥିବାରୁ ଘଟଣା ସମ୍ପର୍କରେ କାହାରିକୁ ନକହିବା ଉଦେଶ୍ୟରେ ତାକୁ ଭୀଷଣ ମାଡମରାଯାଇଥିଲା । ତଦନ୍ତ ସଂପୂର୍ଣ୍ଣ କରି ସେଠାରୁ ଫେରିଆସିବା ପରେ ସେହି ଅଭିଯୋଗ ଉପରେ ତାଙ୍କର ତଦନ୍ତ ରିପୋର୍ଟ ସହିତ ଭିଡିଓ ରେକଡିଂର ଏକ ସିଡି ତତ୍କାଳୀନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ତଦନ୍ତ ରିପୋର୍ଟକୁ ଅନୁଧ୍ୟାନ କରି ସେ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ । କିନ୍ତୁ ଅଦ୍ୟାବଧି ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ନିର୍ଦେଶ ମତେ ଏ.ଡି.ଏମ. ଶ୍ରୀ ରାଉତଙ୍କୁ ତଦନ୍ତ ନିର୍ଦେଶ ଦିଆଯାଇଥରବା ବେଳେ ଏ.ଡି.ଏମ. ଶ୍ରୀ ରାଉତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ଚିନ୍ମୟୀ ରଥଙ୍କୁ ତଦନ୍ତ କରିବାକୁ ନିର୍ଦେଶ ଦେଇଥିବା କହୁଥିବା ବେଳେ ତଦନ୍ତ ହୋଇଛି କି ନାହିଁ ସେ ସମ୍ପର୍କରେ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ପାଖରେ କିଛି ସୂଚନା ନଥିବା କହିଛନ୍ତି । ଅନ୍ୟ ପକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ତଦନ୍ତ ହୋଇଥିଲା କିନ୍ତୁ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ତାଙ୍କର ମନେନଥିବା କହିଛନ୍ତି । କିନ୍ତୁ ପ୍ରକୃତ ପକ୍ଷେ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ନିର୍ଦେଶରେ ଉପଯୁକ୍ତ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ଜଣେ ଭାରପ୍ରାପ୍ତ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ତାଙ୍କର ତଦନ୍ତ ରିପୋର୍ଟ ଓ ତଦନ୍ତର ଭିଡିଓ ରେକଡିଂ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପରେ ଏବଂ ବାରମ୍ବାର ଲୁଥେରାନ ଶିଶୁ ଯତ୍ନ କେନ୍ଦ୍ରରେ ରହୁଥରବା ଅନାଥ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଶିସୁ ସୁରକ୍ଷା ଅଧିକାରୀଙ୍କୁ ସେହି ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅବଗତ କରିଥିଲେବି ପ୍ରଶାସନ ପକ୍ଷରୁ କୈାଣସି ତ୍ୱରିତ ପଦକ୍ଷେପ ଗ୍ରହଣ କରାନଯାଇ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଯଦି ପ୍ରସାସନ ସେହି ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା ତେବେ ସେହି ଭଳି ଅନ୍ୟ ଏକ ଘଟଣା ଆଜି ଘଟିନଥାନ୍ତା ବୋଲି କୁହାଯାଉଛି । ଏତଦବ୍ୟତିତ ସେହି ଘଟଣାକୁ ଚପାଇଦେବା ଉଦେଶ୍ୟରେ ଅଧ୍ୟକ୍ଷାଙ୍କୁ ଘଟଣା ସମ୍ପର୍କରେ କହିଥିବା ଅନ୍ତେବାସୀ ଓ ସଂପୃକ୍ତ ପିଡିତାଙ୍କୁ ଶିସୁ ଯତ୍ନ କେନ୍ଦ୍ରରୁ ବାହାର କରିଦିଆଯାଇଥିବା ଅଭିଯୋଗ ହୋଇଛି । ପ୍ରତିମାସରେ ଏକାଧିକ ଥର ବିଭିନ୍ନ ତଦନ୍ତ ଓ ପରିଦର୍ଶନ ଆଳରେ ସେହି ଶିଶୁ ଯତ୍ନ କେନ୍ଦ୍ରକୁ ଯାଉଥିବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପିଓ ଆଇସି ସମସ୍ତ ଘଟଣା ସମ୍ପର୍କରେ ଜାଣି ମଧ୍ୟ ଘଟଣା ସବୁକୁ ଚପାଇ ଦେବାରେ ସହଯୋଗ କରିଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଶିଶୁ ଯତ୍ନ କେନ୍ଦ୍ର ସମେତ ଜିଲ୍ଲାର ଅନ୍ୟ ଶିଶୁ ଯତ୍ନ କେନ୍ଦ୍ର ଗୁଡିକରେ ଅନ୍ତେବାସୀଙ୍କ ସୁରକ୍ଷା ସଂପୂର୍ଣ୍ଣ ଢିଲା ଓ ଅସୁରକ୍ଷିତ ହୋଇପଡିଥିବା ଅଭିଯୋଗ ହୋଇଛି । ଏସମସ୍ତ ଅଭିଯୋଗର ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଦ୍ୱାରା ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି । ଏଠାରେ ସୂଚନା ଯୋଗ୍ୟ ଯେ ସଂପୃକ୍ତ ସଂସ୍ଥାର ଜଣେ କର୍ମଚାରୀଙ୍କ ସହ ବାରମ୍ବାର ଦୁଷ୍କର୍ମରୁ ଶିଶୁ ପୁତ୍ର ଜନ୍ମ ହୋଇଥିବା ଘଟଣାର ତଦନ୍ତ ପାଇଁ ସୋମବାର ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କେନ୍ଦ୍ରାପଡାର ଲୁଥେରାନ ମହିଳା ସମିତିକୁ ଆସୁଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ