ଲୁଲୁ ମହାପାତ୍ରଙ୍କ ପତ୍ନୀ ନମିତା ଅସୁସ୍ଥ ଦୁଇ ମାସ ହେବ ଡାକ୍ତରଖାନାରେ

ପୁରୀ: ଓଡ଼ିଶାର ଚର୍ଚ୍ଚିତ କଂଗ୍ରେସ ନେତା ତଥା ବ୍ରହ୍ମଗିରିରୁ ତିନି ଥର ବିଧାୟକ ହୋଇଥିବା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ)ଙ୍କ ଧର୍ମପତ୍ନୀ ନମିତା ସାହୁ ( ମହାପାତ୍ର) ଆଜିକୁ ଦୁଇ ମାସ ହେବ ଅସୁସ୍ଥ ଥିବା ଜଣାପଡ଼ିଛି । ଶ୍ରୀମତୀ ମହାପାତ୍ର ଦୁଇମାସ ହେବ ଭୁବନେଶ୍ୱରର କିମ୍ସ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି । ତେବେ ଶ୍ରୀମତୀ ମହାପାତ୍ରଙ୍କ ଅସୁସ୍ଥତା ଯେତିକି ଚିନ୍ତାଜନକ ନୁହେଁ, ହସ୍ପିଟାଲ ଭିତରେ ତାଙ୍କ ଅସହାୟତା ଓ ନିସଙ୍ଗତାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ମେଡିକାଲ ୱାର୍ଡରେ ନମିତା ଏକା ଏକା ଦିନ କାଟୁଛନ୍ତି । ଆହା ପଦେ କହିବାକୁ ତାଙ୍କ ପାଖରେ କେହି ନାହାନ୍ତି । ବିନା ଆଟେଣ୍ଡାଣ୍ଟରେ ରହି ଚିକିତ୍ସିତ ହେଉଛନ୍ତି । ବିଳାସରେ ଦିନ କାଟୁଥିବା ନମିତା ଏବେ ପରିସ୍ଥିତିର ଦାସ ହୋଇପଡ଼ିଛନ୍ତି । ହସ୍ପିଟାଲରେ ରୋଗୀଙ୍କ ଦିଆ ଯାଉଥିବା ଖାଦ୍ୟ ହିଁ ତାଙ୍କ ଜୀବନ ଆଧାର ହୋଇଛି । ଭଲ, ମନ୍ଦ ବୁଝିବାକୁ ପରିବାର ଲୋକ ମଧ୍ୟ ତାଙ୍କ ପାଖକୁ ଆସୁନାହାନ୍ତି ।
ଏ ପ୍ରସଙ୍ଗରେ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଶ୍ୱଶୁର ତଥା ପୂର୍ବତନ ସାଂସଦ ନାରାୟଣ ସାହୁ କହିଛନ୍ତି, ଝିଅର ଦେହ ଖରାପ ଅଛି । ଅତ୍ୟାଧିକ ସୁଗାର ବଢ଼ିଯାଇଛି । ତାଙ୍କ ଝିଅଙ୍କ ସହିତ ସେ କଥା ହେଉଛନ୍ତି । ହେଲେ ତାଙ୍କ ପାଖକୁ ଯାଇପାରିନାହାନ୍ତି । ତାଙ୍କ ଝିଅ ଅସହାୟତା ପ୍ରକାଶ କରିଛନ୍ତି । ଖାଲି ଏତିକି କହୁଛନ୍ତି, ସେ ଆଉ ଘରକୁ ଫେରିବାକୁ ଚାହୁଁନାହାନ୍ତି । ଘରେ ରହିଲେ ତାଙ୍କୁ ଅଣନିଶ୍ୱାସୀ ଲାଗୁଛି । ଏହି ହସ୍ପିଟାଲରେ ହିଁ ତାଙ୍କୁ ଶାନ୍ତି ମିଳୁଥିବା ସେ କହିଛନ୍ତି । ଶ୍ରୀ ସାହୁ ଆହୁରି କହିଛନ୍ତି, ନମିତା ଜଣେ ରାଜନୈତିକ ପରିବାର ଲୋକ । ତେଣୁ ସେ ଅଧିକ କିଛି କହିବାକୁ ଚାହୁଁନାହାନ୍ତି । ନମିତାଙ୍କର ରାଜନୀତିରେ ରୁଚି ଥିଲା । ସେ ଶୈଳବାଳା ମହିଳା ମହାବିଦ୍ୟାଳୟରେ ସଭାନେତ୍ରୀ ଥିଲେ । ଲୁଲୁଙ୍କୁ ବିବାହ କଲେ । ସେ ରାଜନୀତି କରୁ ଚାହୁଁଥିଲେ । ମାତ୍ର ତାଙ୍କୁ ଲୁଲୁ ସୁଯୋଗ ଦେଇ ନ ଥିଲେ । ଏବେ ସେ ମାନସିକସ୍ତରରେ ଭାଙ୍ଗିପଡ଼ିଛି । କାହିଁକି ତା’ର ଏ ଅବସ୍ଥା ତାହା ଆପଣମାନେ ଖୋଜନ୍ତୁ ବୋଲି ଶ୍ରୀ ସାହୁ ଓଲଟା କହିଥିଲେ । ତେବେ ଶ୍ରୀମତୀ ମହାପାତ୍ରଙ୍କ ଏ ଅବସ୍ଥା ହଠାତ୍ କାହିଁକି ହେଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ୬ ମାସ ତଳେ ସବୁ କିଛି ଠିକଠାକ୍ ଥିବା ନମିତାଙ୍କ ଏଭଳି ଅବସ୍ଥା କାହିଁକି ବିଗିଡ଼ିଗଲା? ମାନସିକସ୍ତରରେ ସେ କାହିଁକି ଭାଙ୍ଗି ପଡ଼ିଛନ୍ତି ? ତାଙ୍କ ବିରୋଧରେ କିଛି ଷଡ଼ଯନ୍ତ୍ର ହୋଇନାହିଁ ତ? ତାକୁ ନେଇ ଏବେ ଭୁବନେଶ୍ୱରରୁ ବ୍ରହ୍ମଗିରି ଲୁଲୁ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ।
ସୂଚନାଯୋଗ୍ୟ, ଲୁଲୁଙ୍କ ମୃତ୍ୟୁ ପରେ ଲୁଲୁଙ୍କ ପରିବାର କଂଗ୍ରେସ ଛାଡ଼ିଥିଲେ ଏବଂ ବିଜେପି ତାଙ୍କ ଭାଇ ଲଲିତେନ୍ଦୁଙ୍କୁ ବ୍ରହ୍ମଗିରିରୁ ଦଳୀୟ ଟିକେଟ ଦେଇଥିଲା । ନିର୍ବାଚନ ପ୍ରଚାର ବେଳେ ଲୁଲୁଙ୍କ ପତ୍ନୀ ନମିତା ମଧ୍ୟ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ଗାଁ ଗାଁ ବୁଲି ଲଳିତେନ୍ଦୁଙ୍କ ପାଇଁ ଭୋଟ ମାଗିଥିଲେ । ତେବେ ଏବେ କେଉଁ ପରିସ୍ଥିତି ଉପୁଜିଲା ଯେ, ଗତ ୫ ମାସ ତଳେ ନିର୍ବାଚନ ପ୍ରଚାରକୁ ଯାଇଥିବା ଶ୍ରୀମତୀ ମହାପାତ୍ରଙ୍କ ହଠାତ ଏଭଳି ମାନସିକ ଆଘାତ ପାଇଲେ? ଏ ସଂପର୍କରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ପଚାରିବାରେ ଏହା ତାଙ୍କର ପରିବାରର କଥା, ଏଥିରେ ନ ପଶିବାକୁ ନିବେଦନ କରିଛନ୍ତି । ତେବେ ସେ ଅସୁସ୍ଥ ଥିବା କଥାକୁ ସ୍ୱୀକାର କରିଛନ୍ତି । ଅଧିକ କିଛି କହିବାକୁ ମନା କରିଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ