ଲେଖକଟିଏ ନିଜ ସାମର୍ଥ୍ୟ ପ୍ରତି ଅବଗତ ହେଲେ ସାହିତ୍ୟ ସମର୍ଥ
କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ପୁସ୍ତକ ମେଳାର ସପ୍ତମ ସନ୍ଧ୍ୟାରେ ସାରସ୍ୱତ ଆସର “କଥା କବିତା ସନ୍ଧି” ଶିର୍ଷକ ଆଲୋଚନାଚକ୍ରରେ କବି ଅନ୍ନପୂର୍ଣ୍ଣା ମହାନ୍ତି ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଗଳ୍ପ ଓ କବିତା ସାହିତ୍ୟର ଦୁଇଠି ସ୍ରୋତ । ଅନ୍ୟତମ ଆଲୋଚକ କବି ଶତୃଘ୍ନ ପାଣ୍ଡବ କହିଥିଲେ ଯେ କବି ଛଳନା କରି ଶିଖି ନାହିିଁ । ଅନ୍ୟତମ ବକ୍ତା ଡଃ. ଗିରୀଶ ଚନ୍ଦ୍ର ସାହୁ କହିଥିଲେ ଯେ ଜଣେ ଲେଖକ ନିଜ ଲେଖା ପ୍ରତି ବିଶ୍ୱସ୍ଥ ହେବା ଉଚିତ୍ । ଗାଳ୍ପିକ ବିଷ୍ଣୁ ସାହୁ କହିଥିଲେ ଯେ ଗଳ୍ପର ଭିତ୍ତିଭୂମି ସୁଦୃଢ ହେଲେ ଗଳ୍ପ ସାର୍ଥକ ହୋଇଥାଏ । ଅନ୍ୟତମ ଅତିଥି ଡଃ. ଅମୀୟ ମହାପାତ୍ର କହିଥିଲେ ଯେ କବିତା ଭିତରେ ପ୍ରକୃତି ଓ ଜୀବନର ଛିଟା କବିତାକୁ ସମୃଦ୍ଧ କରିଥାଏ । କବି ନବଜ୍ୟୋତି ରାୟଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସାହିତ୍ୟ ଆଲୋଚନାଚକ୍ରକୁ ଜ୍ୟୋତିରଞ୍ଜନ ନାୟକ, ଧିରେନ୍ଦ୍ର କୁମାର ଦାସ, ସରୋଜ ସାହୁ, ଦିଲ୍ଲୀପ ଦାସ, ରମାକାନ୍ତ ଜେନା ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ କେମ୍ ପକ୍ଷରୁ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ପ୍ରାୟ ୧ହଜାର ପ୍ରତିଯୋଗୀମାନଙ୍କ ମଧ୍ୟରୁ ୯୦ଜଣ କୃତି ପ୍ରତିଯୋଗୀଙ୍କୁ ସ୍ୱର୍ଗତ ବସନ୍ତ ପତି ସୃତି ସଂସଦ ପକ୍ଷରୁ ପୁରସ୍କୃତ କରାଯାଇଥିଲା । କେମ ସଭାପତି ଅକ୍ଷୟ କୁମାର ପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଓ ଉପଜିଲାପାଳ ଜ୍ୟୋତିଶଙ୍କର ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସାହିତ୍ୟ ବ୍ୟକ୍ତି ଜୀବନକୁ ସମୃଦ୍ଧ କରିଥାଏ ବୋଲି କହିଥିଲେ । କେମ୍ର ସଭ୍ୟା ନବଜ୍ୟୋତି ରାୟ ସ୍ୱର୍ଗତ ବସନ୍ତ ପତିଙ୍କ ଜିବନୀ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଗତ ପତିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ ମାର୍ଗରେ ଯିବାପାଇଁ ପରାମର୍ଶ ଦେଇଥିଲେ ।