ଲୋକକଳାକୁ ଉଜ୍ଜୀବିତ ରଖିଛି ପ୍ରହଲ୍ଲାଦ ନାଟକ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଜିଲ୍ଲା ବିଭିନ୍ନ ଲୋକକଳା ଓ ଲୋକ ସଂସ୍କୃତିର ଉତ୍ପତିସ୍ଥଳ କହିଲେ ଅତ୍ୟୁକ୍ତି ହେବନାହିଁ।ଦୀର୍ଘ ବର୍ଷ ଧରି ଏହି ଲୋକକକା ଓ ଲୋକ ସଂସ୍କୃତି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଅଦ୍ୟାବଧି ସଭ୍ୟସମାଜରେ ଏକ ଲୋକାଦୃଢ଼ କଳା ଭାବେ ସ୍ଥାନିତ ହୋଇଛି।ବିଭିନ୍ନ ଲୋକକକା ମଧ୍ୟରେ ପ୍ରହଲ୍ଲାଦ ନାଟକ ପରିବେଷଣ ଅନ୍ୟତମ।ସାଧାରଣତଃ ଲୋକଙ୍କ ମୁଖରେ ଏହାକୁ ରଜା ନାଟକ ବୋଲି ମଧ୍ୟ ବର୍ଣ୍ଣିତ ହୁଏ । ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଏହି ନାଟକଟି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସୃଷ୍ଟି କରିଛି ବେଶ ସୁନାମ । ଏବେ ବି ବିଭିନ୍ନ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରହଲ୍ଲାଦ ନାଟକ ପରିବେଷଣ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ । ମୁକ୍ତାକାଶ ରଙ୍ଗମଞ୍ଚରେରେ ସୀମିତ କଳାକାରଙ୍କୁ ନେଇ ନାଟକ ମଞ୍ଚସ୍ଥ ହୁଏ।ଶୈବ ଭକ୍ତ ରାଜା ହିରଣ୍ୟ କଶ୍ୟପ ଓ ପ୍ରହଲ୍ଲାଦଙ୍କ ଅଭିନୟ ଘଣ୍ଟା ଘଣ୍ଟା ଧରି ଦର୍ଶକଙ୍କୁ ବିମୋହିତ କରିଥାଏ । ଆଧୁନିକ ଯୁଗରେ କୁଶଳୀ କଳାକାରଙ୍କ ସଂଖ୍ୟା ଧିରେ ଧିରେ କମିଯାଉଥିଲେ ମଧ୍ୟ କିଛି କଳାକାର ତଥାପି ଏହି କଳାକୁ ବଞ୍ଚାଇବା ପାଇଁ ପିଢି ପିଢି ଧରି ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ପ୍ରହଲ୍ଲାଦ ନାଟକର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାନ୍ତି ନାଟକର ମୁଖ୍ୟ ଭୁମିକାରେ ଅଭିନୟ କରୁଥିବା ଶୈବଭକ୍ତ ରାଜା ହିରଣ୍ୟ କଶ୍ୟପ । ବିଷ୍ଣୁ କେଶରୀ ପୁରାଣ ଉପରେ ଏହି ଲୋକ ସଂସ୍କୃତି ନାଟକ ଆଧାରିତ। ମୁକ୍ତାକାଶ ମଞ୍ଚରେ ଦୈତ୍ୟ ରାଜା ହିରଣ୍ୟ କଶ୍ୟପଙ୍କ ଦରବାର ଆରମ୍ଭ ହୁଏ । ୭ଟି ପାହାଚ ବିଶିଷ୍ଟ ମଞ୍ଚର ଶିଖରରେ ରାଜା ସିଂହାସନ ଅବସ୍ଥିତ । ସେହି ସିଂହାସନରେ ବସି ରାଜାଙ୍କ ଲିଳା ଖେଳା ବେଶ ଆକର୍ଷଣୀୟ । ରାଜାଙ୍କ ଠାଣି ,ଭଙ୍ଗି ସହ କଥୋପକଥନ ବେଶ ମନୋଜ୍ଞ ପରିବେଶ ଓ ଶିହରଣ ସୃଷ୍ଟି କରେ। । ସେପଟେ ହରିଭକ୍ତ ପ୍ରହଲ୍ଲାଦଙ୍କ ନିଷ୍ଠା ଓ ରାଣୀ ଲିଳାବତୀଙ୍କ ମାତୃତ୍ୱ ସ୍ନେହ ନାଟକ ପରିବେଷଣରେ ଅଧିକ ରୋମାଞ୍ଚକ ପରିବେଶ ସୃଷ୍ଟି କରେ । ଅନ୍ତିମ ପର୍ଯ୍ୟାୟରେ ପ୍ରଭୁ ନୃସିଂହଙ୍କ ଅବତାର ଅପୂର୍ବ ଶିହରଣ ସୃଷ୍ଟି କରେ।ଏହା ଦେଖିବା ଲାଗି ଦର୍ଶକଙ୍କ ଅସମ୍ଭବ ଭିଡ଼ ପରିଲକ୍ଷିତ ହୁଏ। ଶୈବ ଭକ୍ତ ରାଜା ହିରଣ୍ୟ କଶ୍ୟପ ନିଜର ପୁତ୍ର ପ୍ରହଲ୍ଲାଦକୁ ହରିନାମ ଛାଡି ଶିବ ଉପାସନା କରିବାକୁ ବାଧ୍ୟ କରିବା ତଥା ଅମାନ୍ୟ ପୁତ୍ରକୁ ମୃତ୍ୟଦଣ୍ଡ ଦେବାଲାଗି ଭିନ୍ନ ଭିନ୍ନ ପନ୍ଥା ଆପଣାଇବା ଦୃଶ୍ୟ ବେଶ ହୃଦୟସ୍ପର୍ଶୀ । ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଏହି ନାଟକଟି ଜଳନ୍ଧର ଗଡରୁ ରାଜା ରାମକୃଷ୍ଣ ଛୋଟରାଏଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ଥାନୀୟ ଗବେଷକ ଓ ଐତିହାସିକ ମତ ଦିଅନ୍ତି । ବିଭିନ୍ନ ଯାନୀ ଯାତ୍ରା ଉତ୍ସବ ସମୟରେ ଗାଁ ଗଣ୍ଡାରେ ଏହି ପ୍ରହଲ୍ଲାଦ ନାଟକର ବିଶେଷ ଗୁରୁତ୍ୱ ରହିଛି।ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ,ଆସିକା,ଚିକିଟି,ଦିଗପହଣ୍ଡି, ଭଞ୍ଜନଗର,ଶେରଗଡ ଏବଂ ଲୋକକଳା ଓ ସଂସ୍କୃତି କୁ ଉପଭୋଗ କରୁଥିବା ଗ୍ରାମାଞ୍ଚଳରେ ଏହା ପରିବେଷଣ ହେଉଥିବା ଦେଖିବାକୁ ମିଳୁଛି।ଏଭଳିକି ପଡୋଶୀ ଆନ୍ଧ୍ରପ୍ରଦେଶରେ ମଧ୍ୟ ଏହି ନାଟକ ପ୍ରତି ଲୋକଙ୍କ ଆକୃଷ୍ଟ ଦେଖିବାକୁ ମିଳିଥାଏ ।ଦିନତମାମ ପରିବେଷଣ ହେଉଥିବା ଏହି ନାଟକରେ ସଂସ୍କୃତି ଓ ଓଡିଆ ସଙ୍ଗୀତ ସହ ତେଲୁଗୁ ଶ୍ଳୋକ ମଧ୍ୟ ବର୍ଣ୍ଣିତ ହୋଇଥାଏ ।ଏଥିରେ ୧୨୬ ଟି ସଙ୍ଗୀତ, ୩୫ଟି ରାଗ ଓ ୬ଟି ତାଳକୁ ନେଉ ଏହି ନାଟକ ପରିବେଷଣ ହୋଇଥାଏ । ନାଟକରେ କୁଶଳୀ କଳାକାରଙ୍କ ଯେତିକି ଭୂମିକା ରହିଥାଏ, ଗୀତିକାର, ମୁଖତୁରି ଓ ବାଦ୍ୟକାରଙ୍କ ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ । ଯାନୀଯାତ୍ରାରେ ଆୟୋଜିତ ହୋଉଥିବା ବିଭିନ୍ନ ପ୍ରତିଯୋଗିତାରେ ପ୍ରହଲ୍ଲାଦ ନାଟକ ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଓ କୁସଂସ୍କାର,ଅହିଂସା ଆଦି ବିଭିନ୍ନ ଶିକ୍ଷା ସହ ସଚେତନତା ବାର୍ତ୍ତା ପ୍ରଦାନ କରିଥାଏ। ଏହି କଷ୍ଟସାଧ୍ୟ ନାଟକ ଜିଲ୍ଲାରେ ଯଦିଓ ତିଷ୍ଟି ରହିଛି କିନ୍ତୁ ପ୍ରମ୍ମୁଖ କୁଶଳୀ କଳାକାରଙ୍କ ଅଭାବ ପୂର୍ଣ ହେବାରେ ସମସ୍ୟା ଦେଖା ଦେଇଛି।ଏ ଦିଗରେ ସରକାରଙ୍କ ତରଫରୁ ଆବଶ୍ୟକ ପ୍ରୋତ୍ସାହନ ସହ ପ୍ରହଲ୍ଲାଦ ନାଟକ ଭଳି ଉତ୍କୃଷ୍ଟ କଳା ପ୍ରଦର୍ଶନ କରୁଥିବା ଲୋକ ସଂସ୍କୃତି କଳାକୁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରି ଜିଲ୍ଲାରେ ଏହାର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ କଳାପ୍ରେମୀ ଓ ସଂସ୍କୃତି ସମ୍ପନ୍ନ ବ୍ୟକ୍ତିଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି।


