ଲୋକଙ୍କ ଦୁର୍ଦ୍ଦଶା ବଢ଼ୁଛି, ସମଣା ନିକଟରେ ବୈତରଣୀ ନଦୀବନ୍ଧରେ ଘାଇ

ହାଟଡିହିି, (ବିକାଶ ବିଶ୍ୱାଳ):ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ସମଗ୍ର ହାଟଡିହି ଅଞ୍ଚଳ ପାଣିରେ ଉବୁଟୁବୁ ହେଉଥିବା ବେଳେ ବୈତରଣୀରେ ବନ୍ୟାଜଳ ଧିରେ ଧିରେ କମୁଥିଲେ ବି ଅନେକ ଅଞ୍ଚଳର ଚାଷଜମି ସବୁ ପାଣିଘେରରେ ରହିଥିବା ଦେଖିବାକୁ ମିଳିଛି । ବନ୍ୟାଜଳ କମିଥୁଥିବାବେଳେ ସେପଟେ ଲୋକଙ୍କ ଦୁର୍ଦ୍ଦଷା ବଢ଼ୁଥିବା ଦେଖିବାକୁ ମିଳିଛି । ଅନେକ ଲୋକଙ୍କ ଘରେ ପାଣି ପସିଥିବାବେଳେ କାହାର ଘରର କାନ୍ଥ ଭାଙ୍ଗି ପଡିଛି ତ ଆଉ କାହାର ଘରେ କାଦୁଅ ଭର୍ତ୍ତି । ତେଣୁ ଲୋକମାନେ ନିଜ ନିଜ ଘରକୁ ନିରାପଦ ମଣୁ ନାହାନ୍ତି । ଆଜି ଅପରାହ୍ନ ସୁଧା ହାଟଡିହି ବ୍ଲକର ଆଇତିପୁର, ସମଣା, ଆମ୍ବୋ, ପଞ୍ଚୁଗୋଛିଆ ଆଦି ପଞ୍ଚାୟତର ଅନେକ ଗ୍ରାମ ପାଣି ଘେରି ରହିଥିବା ଦେଖିବାକୁ ମିଳିଥିଲା । ଆଇତିପୁର ପଞ୍ଚାୟତର ଗେଡମା – ରାଘବପୁର ରାସ୍ତାରେ ୩ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ରାଘବପୁର, ଆଇତିପୁର, ଅମୃତପୁର, ନୁଆଗାଁ ଆଦି ଗ୍ରାମରେ ସ୍ୱଭାବିକ ପରିସ୍ଥିତି ଫେରିନାହିଁ । ପାଣି ଘେରରେ ରହିଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ଓଡ୍ରାପ୍ଟ ଟିମ ସହଯୋଗରେ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ସେହିପରି ନୁଆଗାଁ ଗ୍ରାମ ରାସ୍ତା ଉପରେ ୨ରୁ ୩ଫୁଟ ଉଚ୍ଚତାର ପାଣି ଚାଲୁଥିବା ବେଳେ ଲୋକମାନେ ବାହାରକୁ ବାହାରି ପାରି ନାହାନ୍ତି । ସେହିପରି ସମଣା ପଞ୍ଚାୟତର ବାହାରିପୁର ଛକ ନିକଟରେ ରାସ୍ତାରେ ବାହାରିପୁର ଠାରୁ ସମଣା ପର୍ଯ୍ୟନ୍ତ ରାସ୍ତାଟି ବୁଡି ରହିଥିବାବେଳେ ୩ଫୁଟ ଉଚ୍ଚତାର ପାଣି ଚାଲୁଥିବାରୁ ବାହାରିପୁର, ସମଣା, କଦମ୍ବଡିହି, ଆଗିରିଆ,ଚାପୁଣ୍ଡିଆ, ଆଦି ଗାଁ ଲୋକମାନେ ବାହାରକୁ ବାହାରି ପାରି ନାହାନ୍ତି । ସେହିପରି ଗିରିଗାଁ, ତେଲସିଙ୍ଗା, ଆମ୍ବୋ ପଞ୍ଚାୟତର ଆମ୍ବୋ, କରଗୋଳା, ଲଇଛଣପୁର, ଅଣତିରା ଆଦି ଗାଁ ଭିତରେ ପାଣି ଜମି ରହିଛି । ହାବଳେଶ୍ୱର ପଞ୍ଚାୟତର ଜମ୍ଭରା,ହାବଳେଶ୍ୱର ରାସ୍ତାରେ ପାଣି ଚାଲୁଥିବାବେଳେ ସୁଲଣ ପଞ୍ଚାୟତର ବିରିଡି ଗ୍ରାମରେ ବନ୍ୟା ଜଳ ଗାଁକୁ ଘେରି ରହିଛି । ଗତକାଲି ଠାରୁ ବିଭିନ୍ନ ଗାଁର ୨୦୦ରୁ ଉର୍ଦ୍ଧ ଲୋକଙ୍କୁ ପ୍ରଶାସନ ପକ୍ଷରୁ ବିଭିନ୍ନ ସେଲଟର ସେଣ୍ଟର ଓ ସ୍କୁଲ ମାନଙ୍କରେ ଥଇଥାନ କରି ସେମାନଙ୍କୁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି ବୋଲି ବ୍ଲକ କର୍ତ୍ତୁପକ୍ଷ କହିଛନ୍ତି ।
ଅନ୍ୟପକ୍ଷରେ ଏହି ବର୍ଷା ବିତ୍ପାତ ଓ ବନ୍ୟା ଦ୍ୱାରା ଅନେକ ଲୋକଙ୍କ ଧାନଚାଷ ଓ ପନିପରିବା ଚାଷ କ୍ଷତି ଗ୍ରସ୍ଥ ହୋଇଛି । ବଞ୍ଚୋ ପଞ୍ଚାୟତର ଶିବନାରାୟଣପୁର ଗ୍ରାମର ଶହଶହ ଏକର ଜମି ଗତକାଲି ଠାରୁ ପାଣିରେ ବୁଡି ରହିବା ସହ ଜଳନିସ୍କାସନ ହେଉନଥିବାରୁ ଏହା ଚାଷୀଙ୍କ ଚିନ୍ତା ବଢ଼ାଇଛି । ଏହି ଗ୍ରାମର ଲୋକମାନେ ବିଶେଷତ ଚାଷ ଉପରେ ନିର୍ଭର କରୁଥିବାବେଳେ ଅନେକ ଲୋକଙ୍କ ଧାନଚାଷ ଓ ପନିପରିବା କ୍ଷତ ଗୁଡିକ ବୁଡି ରହିଥିବାରୁ ପନିପରିବା ଗଛ ଗୁଡିକ ପଚିଯାଇ ନଷ୍ଟ ହୋଇଯିବାର ଆଶଙ୍କା ଦେଖା ଦେଇଛି । ସେହିପରି ଆଇତିପୁର ପଞ୍ଚାୟତର ରାଘବପୁର, ପଞ୍ଚୁଗୋଛିଆ ପଞ୍ଚାୟତର ତରଭା, ବରେଶ୍ୱର, ପଞ୍ଚୁଗୋଛିଆ ଆଦି ଗ୍ରାମରେ ଅନେକ ପନିପରିବା ଚାଷ ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି । ବିଲ ଗୁଡିକରୁ ବର୍ଷାଜଳ କମିବାପରେ ଯାଇ କ୍ଷୟକ୍ଷତି ଜଣାପଡିବ ବୋଲି ଚାଷୀମାନେ କହିଛନ୍ତି । ସେହିପରି ରମ୍ପାସ, ବଞ୍ଚୋ, ଶାସଙ୍ଗ, ସୁଲଣ, ଛେନାପଦି, ବଡତୀରା, ମଠ, ବେଗୁନିଆପଦି, ଇଞ୍ଚୋଳ ଆଦି ଗ୍ରାମରେ ହେକ୍ଟର ହେକ୍ଟର ଚାଷଜମି ବୁଡିଯାଇଥିବାରୁ ଚାଷୀଙ୍କ ଧାନତଳି ସବୁ ନଷ୍ଟ ହେବାର ଆଶଙ୍କା ରହିଛି । ଏକର ଏକର ଜମିରେ ରୁଆପୋତା ସରିଥିବାବେଳେ ସେଗୁଡିକ ପଚିଯିବାର ଆଶଙ୍କା ଦେଖା ଦେଇଛି । ଆଜି ପ୍ରଶାସନ ପକ୍ଷରୁ ବିଡିଓ, ତହସିଲଦାର, କୃଷି ବିଭାଗର ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ