ଲୋକଙ୍କ ମୌଳିକ ସମସ୍ୟାକୁ ପ୍ରାଧାନ୍ୟ ଦିଆଯିବ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡ଼ା ପୌରାଞ୍ଚଳର ୭ ନମ୍ବର ୱାର୍ଡରେ କଂଗ୍ରେସ କାଉନସିଲର ପ୍ରାର୍ଥୀନୀ ଜୟନ୍ତୀ ପାଣି ଏକ ପଥପ୍ରାନ୍ତ ସଭାର ଆୟୋଜ କରିଥିଲେ । ଏହି ସଭାରେ ସେ କହିଥିଲେ ଯେ, ମୁଁ ବିଜୟୀ ହେଲେ ଲୋକଙ୍କ ମୌଳିକ ସମସ୍ୟାକୁ ପ୍ରଥମେ ପ୍ରାଧାନ୍ୟ ଦେଇ ତାହାର ସମାଧାନ କରିବି । କୌଣସି ଜଣେ ହେଲେ ହିତାଧିକାରୀ ସରକାରୀ ଯୋଜନାରୁ ବାଦ ପଡିବେ ନାହିଁ । କୌଣସି ସରକାରୀ ସୁବିଧା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପିସି କାରବାର ହୋଇ ପାରିବ ନାହିଁ । ଏଭଳି ଅଭିଯୋଗ ମୋ ପାଖକୁ ଆସିଲେ ମୁଁ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି । ସେହିପରି ଯଦି କୌଣସି ଅଧିକାରୀ ପିସି ମାଗନ୍ତି ତାହା ହେଲେ ତାଙ୍କ ବିରୋଧରେ ଜନତାଙ୍କ ମେଳି କରିବି । ପୌରପାଳିକାକୁ ଉତ୍କୋଚମୁକ୍ତ କରିବି ବୋଲି ଶ୍ରୀମତୀ ପାଣି ଏହି ପଥପ୍ରାନ୍ତ ବୈଠକରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ମୁଁ ବିଜୟୀ ହେଲେ ପ୍ରଥମେ ମୋ ଗ୍ରାମ ଶ୍ମଶାନକୁ ରାସ୍ତା କରିବି । କାରଣ ପୂର୍ବରୁ ଏହି ୱାର୍ଡରୁ ବିଜୟୀ ହୋଇ ପୈାରାଧ୍ୟକ୍ଷ ହୋଇଥିବା ନେତା ଲୋକଙ୍କ ସମସ୍ୟାକୁ ଭୁଲି ଯାଇଥିଲେ । ଫଳରେ ଆମକୁ ଏହି ଅଞ୍ଚଳରୁ ୫ କିଲୋମିଟର ଦୂର କଜଳା ଶ୍ମଶାନକୁ ଶବଦାହ କରିବାକୁ ଯିବାକୁ ପଡୁଛି । ଏହାଦ୍ୱାରା ଲୋକେ ଅଯଥା ସମସ୍ୟାରେ ପଡୁଛନ୍ତି । ତେଣୁ ମୁଁ ବିଜୟୀ ହେଲେ ଏହି ସମସ୍ୟା ସମାଧାନ କରିବା ସହ ଲୋକଙ୍କ ଅନ୍ୟାନ୍ୟ ସମସ୍ୟା ସମାଧାନ କରିବି ବୋଲି ଶ୍ରୀମତୀ ପାଣି କହିଛନ୍ତି । ଶ୍ରୀମତୀ ପାଣି ହେଉଛନ୍ତି ପୂର୍ବତନ କାଉନସିଲର ତଥା ବରିଷ୍ଠ କଂଗ୍ରେସ ନେତା ସୌମେନ୍ଦ୍ର ପୃଷ୍ଟିଙ୍କ ପତ୍ନୀ ।


