ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୧୭ତମ ଜୟନ୍ତୀ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ସାଧାରଣ ଗରିବ ଶ୍ରେଣୀର ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ଦିଗରେ ଜୟପ୍ରକାଶ କାର୍ଯ୍ୟ କରୁଥିଲେ । ଏକ ଶୋଷଣହୀନ ସମାଜ ଗଠନ କରିବା ନିମନ୍ତେ ସେ ଅହରହ ଉଦ୍ୟମ କରୁଥିଲେ । ଜାତିର ପିତା ମହାତ୍ମା ଗାନ୍ଧୀ ଭାରତବର୍ଷକୁ ଏକ ନୂତନ ଦିଶା ଦେବା ସହିତ ସ୍ୱାଧୀନତା ଆଣିଥିଲେ । ସେହିପରି ଗାନ୍ଧିଜୀଙ୍କ ପରେ ଦେଶକୁ ଦ୍ୱିତୀୟ ସ୍ୱାଧୀନତା ଦେଇଥିଲେ ଲୋକନାୟକ ଜୟପ୍ରକାଶ ନାରାୟଣ ବୋଲି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ମତବ୍ୟକ୍ତ କରିଛନ୍ତି । ଶୁକ୍ରବାର ଇଡ୍କଲ ଅଡ଼ିଟୋରିୟମଠାରେ ଜୟପ୍ରକାଶ ଫାଉଣ୍ଡେସନ ପକ୍ଷରୁ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୧୭ତମ ଜୟନ୍ତୀ ଉତ୍ସବ ଓ ସ୍ମାରକୀ ବକ୍ତୃତା ପ୍ରଦାନ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ ଯୋଗଦେଇ କହିଥିଲେ ଯେ ଗାନ୍ଧୀଆନ ଅର୍ଥନୀତି ଭାରତବର୍ଷର ଅର୍ଥନୀତିକୁ ସୁଦୃଢ କରିପାରିବ । ସେହିପରି ବିଶ୍ୱର ସମସ୍ତ ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରକୃତି ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦ ଦେଇଛି । କିନ୍ତୁ ମଣିଷର ଲୋଭଗ୍ରସ୍ତ ହୋଇ ତାହାକୁ ଧ୍ୱଂସ କରୁଛି । ତେଣୁ ଆଜିଠାରୁ ସତର୍କ ନହେଲେ ଆମର ଭବିଷ୍ୟତ ବଂଶଧର ଏହାର କୁପରିଣାମ ଭୋଗ କରିବେ । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଔପନ୍ୟାସିକ ତଥା ସମାଜବାଦୀ ନେତା ଡଃ ବିଭୂତି ପଟ୍ଟନାୟକ ଯୋଗଦେଇ କହିଲେ ଯେ, ଜୟପ୍ରକାଶ ମୋ ପାଇଁ ଥିଲେ ଜଣେ ଅଭିଭାବକ । ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ମୁଁ ସମାଜବାଦୀ ଦଳରେ ଯୋଗ ଦେଇଥିଲି । ଗାନ୍ଧିବାଦୀଙ୍କ ପରି ଜୟପ୍ରକାଶ ନାରାୟଣ କେବେ କ୍ଷମତା ରାଜନୀତି ପ୍ରତି ଆକୃଷ୍ଟ ହୋଇ ନିର୍ବାଚନ ଲଢିନଥିଲେ । ତାଙ୍କୁ ୩ ଥର ପ୍ରଧାନମନ୍ତ୍ରୀ ପଦ ଯଚା ହୋଇଥିଲେ ମଧ୍ୟ ସେ ତାହା ପ୍ରତି ଆକୃଷ୍ଟ ହୋଇନଥିଲେ । ତେଣୁ ବାସ୍ତବରେ ଜନସାଧାରଣ ସ୍ୱତପ୍ରବୃତ ଭାବେ ତାଙ୍କୁ ଲୋକନାୟକ ଆଖ୍ୟା ଦେଇଥିଲେ । ଏହି ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ‘ଓଡ଼ିଶା ଭାସ୍କର’ର ପରିଚାଳନା ନିର୍ଦ୍ଦେଶକ ମୁଧୁ ମହାନ୍ତି, ଶ୍ରମିକ ନେତା କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ, ସମାଜସେବୀ ମୁନା ଖାଁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସମାଜସେବୀ ଚିତ୍ତ ରଞ୍ଜନ ମହାନ୍ତି, ଆଇନ୍ଜୀବୀ ଶିଶିର ଦାସ, ଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀ, ସମାଜସେବୀ ମୀନକେତନ, ସମାଜବାଦୀ ନେତା ବିଶ୍ୱନାଥ ଧଳ, ପ୍ରଶାନ୍ତ ମିଶ୍ର ଓ ଉତ୍ତମ କାର୍ଯ୍ୟ ପାଇଁ ‘ଲାଭସ’ ଅନୁଷ୍ଠାନକୁ ଲୋକକାୟକ ସମ୍ମାନ-୨୦୧୯ରେ ସମ୍ମାନିତ କରାଯାଇଥିଲା । ଏଥିସହିତ ଅତିଥିମାନଙ୍କ ଦ୍ୱାରା ଫାଉଣ୍ଡେସନର ସ୍ମରଣିକା ଉନ୍ମୋଚିତ ହୋଇଥିଲା । ଏହି ଉତ୍ସବରେ ଫାଉଣ୍ଡେସନର ସଭାପତି ସୁଶ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ପଞ୍ଚାନନ ସେନାପତି ଅତିଥି ପରିଚୟ ପ୍ରଦାନ କରିବା ସହିତ ପ୍ରାରମ୍ଭିକ ଭାଷଣ ଦେଇଥିଲେ । ଉତ୍ସବକୁ ପରିଚାଳନା କରିଥିଲେ ଫାଉଣ୍ଡେସନର କାର୍ଯ୍ୟକାରୀ ସଭାପତି ପ୍ରଭାସ ସାମନ୍ତରାୟ । ଶେଷରେ ସଭାପତି ଲକ୍ଷ୍ମୀପ୍ରିୟା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।