ଲୋକନୃତ୍ୟ ରେ ଝଲସିଲା ସାଂସ୍କୃତିକ ମଞ୍ଚ, ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି 2021 ପ୍ରତିଯୋଗିତା
ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଗଞ୍ଜାମ ଜିଲ୍ଲା କଳା ସଂସ୍କୃତି ସଙ୍ଘ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକ କଳା ଟ୍ରଫି 2021 ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିବା ସହ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ l ସେହିପରି ଅନ୍ୟତମ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା , ଗଞ୍ଜାମ ଜିଲ୍ଲା କଳାକାର ସଙ୍ଘ ର ଉପ ସଭାପତି ସନ୍ତୋଷ କୁମାର ପାଢ଼ୀ ଓ ସଂସ୍କୃତି ବିଭାଗ ର ଅବସରପ୍ରାପ୍ତ ଉପ – ନିର୍ଦେଶକ କୃଷ୍ଣ ଚନ୍ଦ୍ର ନିଶଙ୍କ ପ୍ରମୁଖ ଯୋଗଦେଇଥିଲେ l ଏହି ପ୍ରତିଯୋଗିତା ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ତଥା ପ୍ରଥମ ଦିନରେ 11 ଟି ବ୍ଲକ ର 21 ଟି ଭାରତ ଲୀଳା, ଓଷାକୋଠି ନାଚ, ବାଘ ନାଚ ଭଳି ବିଭିନ୍ନ ସାଂସ୍କୃତିକ ଦଳ ଭାଗ ନେଇଥିଲେ l ଗଞ୍ଜାମ ଜିଲ୍ଲା କଳାକାର ସଙ୍ଘର ଉପ ସଭାପତି ସନ୍ତୋଷ କୁମାର ପାଢ଼ୀ, ଲୋକନୃତ୍ୟ ଗୁରୁ ନାରାୟଣ ମହାରଣା, ଦାସକାଠିଆ ଗୁରୁ ସୁରେନ୍ଦ୍ର ପାଣିଗ୍ରାହୀ, ରଣପ୍ପା ଓ ଯୋଡିଶଙ୍ଖ ଗୁରୁ ଶରତ ଚନ୍ଦ୍ର ମହାପାତ୍ର, ଶଖି ନୃତ୍ୟ ଗୁରୁ କାଳୁ ଚରଣ ସାହୁ ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ତୁଲାଇ ଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବେହେରା ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ସେଠି ସମସ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ l


