ଲୋକସଂଖ୍ୟାକୁ ନେଇ ରାଜନୀତି କରନଯାଉ

ସମ୍ଭାବ୍ୟ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ(ଡିଲିମିଟେସନ) ଉପରେ ଚେନ୍ନାଇଠାରେ ଗତ ୨୨ତାରିଖ ଦିନ ତାମିଲନାଡୁ, କେରଳ, ତେଲେଙ୍ଗାନା ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଏବଂ କର୍ଣ୍ଣାଟକ ଓ ଓଡିଶାର ବରିଷ୍ଠ ନେତାମାନଙ୍କୁ ନେଇ ଅନୁଷ୍ଠିତ ପ୍ରଭାବଶାଳୀ ମିଳିତ କ୍ରିୟାନୁଷ୍ଠାନ କମିଟି (ଜେଏସି) ବୈଠକ ସ୍ପଷ୍ଟ ସଂକେତ ପ୍ରଦାନ କରିଛି ଯେ, ସାମ୍ପ୍ରତିକ ଜନସଂଖ୍ୟା ଆଧାରରେ ଯେକୌଣସି ଡିଲିମିଟେସନ ଆଦୌ ଗ୍ରହଣଯୋଗ୍ୟ ନୁହେଁ । ସେହିପରି ୧୯୭୧ ଜନଗଣନା ଆଧାରରେ ଦେଶରେ ପ୍ରଚଳିତ ସଂସଦୀୟ ନିର୍ବାଚନ ମଣ୍ଡଳୀ ସଂଖ୍ୟା ଆସନ୍ତା ୨୫ବର୍ଷ ପର୍ଯ୍ୟନ୍ତ ଅପରିବର୍ତିତ ରଖିବା ପାଇଁ ବୈଠକରେ ଗୃହିତ ପ୍ରସ୍ତାବରେ ମୁଖ୍ୟତଃ ଦାବୀ କରାଯାଇଛି । ଆହୁରି ମଧ୍ୟ ନିକଟରେ ଅନୁଷ୍ଠିତ ତାମିଲନାଡୁର ରାଜନୈତିକ ଦଳମାନଙ୍କର ଏକ ବୈଠକରେ ଅନୁରୂପ ଏକ ପ୍ରସ୍ତାବ ଗୃହିତ ହୋଇଛି, ଯେଉଁ ବୈଠକରେ ବର୍ତମାନର ସଂସଦୀୟ ଆସନ ସଂଖ୍ୟା ଅପରିବର୍ତିତ ରଖାଯିବା ଧାରଣା ବା ଧାରା ଦେଶରେ ନୂଆ ନୁହେଁ । କହିବା ବାହୁଲ୍ୟ ଯେ, ଏଭଳି ଧାରଣା ୪୨ତମ ସମ୍ବିଧାନ ଦ୍ୱାରା ୨୦୨୬ ମସିହା ପର୍ଯ୍ୟନ୍ତ ପ୍ରଚଳିତ ସଂସଦୀୟ ଆସନ ସଂଖ୍ୟା ବଳବତର ରଖାଯାଇଛି । ଏହା ନିସନ୍ଦେହ ଯେ, ଯେଉଁ ରାଜ୍ୟଗୁଡିକ ଅତ୍ୟନ୍ତ ସଫଳତାର ସହ ପରିବାର ନିୟୋଜନ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି, ସେହି ରାଜ୍ୟ ଗୁଡିକର ସଂସଦୀୟ ଆସନ ସଂଖ୍ୟା ହ୍ରାସ କରି ଦଣ୍ଡିତ କରିବା ଆଦୌ ଯଥାର୍ଥ ନୁହେଁ ବୋଲି କୁହାଯାଇପାରିବ । ଏହି ମିଳିତ କ୍ରୀୟାନୁଷ୍ଠାନ କମିଟି (ଜେଏସି) ବୈଠକ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ଆବାହାକତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ, ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ରେବିନ୍ନ ରେଡ୍ଡୀ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱାନ୍ତ ସିଂହ ମାନ, କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ସମେତ ଓଡିଶାର ମୁଖ୍ୟ ବିରୋଧି ଦଳ ବିଜେଡି ଓ କଂଗ୍ରେସର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ ଯୋଗଦେଇ ନଥିଲେ ମଧ୍ୟ ଆଭାସୀ ମାଧ୍ୟମରେ ସମ୍ବୋଧିତ କରି ଯାହା ଦର୍ଶାଇଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱ ବହନ କରେ । ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଦେଇ କହିଛନ୍ତି ଯେ, ସଫଳ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟଗୁଡିକୁ ଦଣ୍ଡିତ କରାଯିବା ଅନୁଚିତ ବୋଲି ଦୃଢ ଭାବେ କହିଛନ୍ତି । ଉଲ୍ଳେଖଯୋଗ୍ୟ ଯେ, ଦୀର୍ଘ ବର୍ଷର ବ୍ୟବଧାନ ପରେ ପ୍ରଥମ ଥର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ “ଗଣତନ୍ତ୍ରର ପ୍ରତିନିଧିତ୍ୱ” ଉପରେ ଆଂଚଳିକ ଓ ଆଦର୍ଶଗତ ନିର୍ବିଶେଷରେ ରାଜନୈତିକ ଦଳଗୁଡିକ ଏକତ୍ରିତ ହୋଇ ଏକ ବଳିଷ୍ଠ ଯୁକ୍ତି ଉପସ୍ଥାପିତ କରିବାରେ ସମର୍ଥ ହୋଇଛନ୍ତି । ଏହା ନିସନ୍ଦେହ ଯେ, ଏହି ବୈଠକ ଏକ ଏକ ସୁବିଧାବାଦୀ ନିର୍ବାଚନୀ ମେଂଟ ଗଠନ ପାଇଁ ଉଦ୍ଦିଷ୍ଟ ନଥିଲା, ଯାହାକି ସର୍ବଦା ସ୍ପଷ୍ଟ ନୀତିର ଅଭାବ ଯୋଗୁଁ ବାରମ୍ବାର ବ୍ୟର୍ଥ ପ୍ରମାଣିତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, “ବିଧି ସେଂଟର ଫର ଲିଗାଲ ପଲିସ’ ପକ୍ଷରୁ ପ୍ରକାଶିତ ଏକ ତାଲିକାରେ ଲୋକସଭା ନିର୍ବାଚନ ମଣ୍ଡଳୀର ଲୋକସଂଖ୍ୟାର ତାରତମ୍ୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଲୋକସଭା ନିର୍ବାଚନ ମଣ୍ଡଳୀ ଗଠନପରେ ଲୋକସଂଖ୍ୟାର କୌଣସି ଗୁରୁତ୍ୱ ନାହିଁ କି ଏଥିଲାଗି କୌଣସି ସ୍ପଷ୍ଟ ନିୟମ ନଥିବା କୁହାଯାଇପାରେ । ଉଦାହରଣ ସ୍ୱରୁପ ପଶ୍ଚିମବଙ୍ଗରେ ଡାଇମଣ୍ଡ ହାରବର ଲୋକସଭା ନିର୍ବାଚନ ମଣ୍ଡଳୀର ଲୋକସଂଖ୍ୟା ପ୍ରାୟ ୨୦ଲକ୍ଷ ଥିବାବେଳେ ଉତର ଲୋକଲକତାର ୧୫ଲକ୍ଷ ରହିଛି । ସେହିପରି ଲାକ୍ଷାଦୀପ ଲୋକସଭା ଆସନର ଲୋକସଂଖ୍ୟା ପ୍ରାୟ ୪୮ହଜାର ଥିବାବେଳେ ତେଲେଙ୍ଗାନାର ମାଲକାନଗିରି ଆସନର ଲୋକସଂଖ୍ୟା ୩୦ଲକ୍ଷ ରହିଛି । ଆହୁରି ମଧ୍ୟ ଦିଲ୍ଲୀର କାଟେଂନମେଂଟ ସଂସଦୀୟ ଆସନର ଲୋକସଂଖ୍ୟା ୭୮ହଜାର ୮୦୦ଥିବାବେଳେ ବିକାଶପୁରୀ ଆସନର ଲୋକସଂଖ୍ୟା ୪ଲକ୍ଷ ୬୨ହଜାର ରହିଛି । ଏହା ସତ୍ୟ ଯେ, ସଂସଦରେ ପ୍ରତ୍ୟେକ ଆସନର ସମାନ ମର୍ଯ୍ୟଦା ରହିଛି ଏବଂ ପ୍ରତ୍ୟେକ ଆସନର ଲୋକପ୍ରତିଙ୍କ ମର୍ଯ୍ୟଦା ଓ ସବୁିଧା ସୁଯୋଗ ମଧ୍ୟ ସମାନ । କେବଳ ଏତିକି ନୁହେଁ, ପ୍ରତି ନାଗରିକ ବା ଭୋଟଦାତାଙ୍କର ଗୋଟିଏ ମାତ୍ର ଭୋଟ ଦେବା ଅଧିକାର ରହିଛି । ଯାହାର ମୂଲ୍ୟ ସାରା ଦେଶରେ ସମାନ । ଏହା ସତ୍ୟ ଯେ, ଆସନ୍ତା ୨୦୨୬ରେ ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ ସମ୍ବାଧାନର ନିର୍ଦ୍ଦେଶ ଅନୁଯାୟୀ ହେବାକୁ ଯାଉଛି ଲୋକସଂଖ୍ୟା ଆଧାରରେ ଡିଲିମିଟେସନ ହେଉଥିବାରୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକ ଚିନ୍ତାପ୍ରକଟ କରିବା ସ୍ୱାଭବିକ । ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଏକ ଜାତୀୟ ଆବଶ୍ୟକତା ଥିବାବେଳେ ଯେଉଁ ରାଜ୍ୟଗୁଡିକ ଏଥିରେ ସଫଳ ହୋଇଛନ୍ତି, ସଂସଦୀୟ କ୍ଷେତ୍ର ସଂଖ୍ୟାରେ ଦଣ୍ଡିତ ହେବା ଉଚିତ ନୁହେଁ । ଦକ୍ଷିଶ ଭାରତୀୟ ରାଜ୍ୟଗୁଡିକରେ ଉଦବେଗକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟର ସଂସଦୀୟ କ୍ଷେତ୍ର ସଂଖ୍ୟା ନିର୍ଦ୍ଧାରଣ ପାଇଁ ବୁଝାମଣାଭିତରେ ଏକ ଗ୍ରହଣଯୋଗ୍ୟ ନୀତି ଆପଣାଇବା ଜରୁରୀ । ଲୋକସଂଖ୍ୟାକୁ ନେଇ ତୁଚ୍ଛ ରାଜନୀତି ନହେଉ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ