ଲୋକସଭା ବାଚସ୍ପତି ଭାବେ ଓମ ବିର୍ଲାଙ୍କ ନିର୍ବାଚନକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ
ସଦନର ଉଚ୍ଚତମ ପରମ୍ପରା ଅନୁଯାୟୀ ସର୍ବସମ୍ମତି କ୍ରମେ ସପ୍ତଦଶ ଲୋକସଭାକୁ ବାଚସ୍ପତି ଭାବେ ଓମ ବିର୍ଲାଙ୍କ ନିର୍ବାଚନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି । ଲୋକସଭାରେ ତାଙ୍କ ସମ୍ବୋଧନରେ ଓମ ବିର୍ଲାଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ ଏପରି ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସଦନର ବାଚସ୍ପତି ଭାବେ ପାଇବା ସମସ୍ତ ସଦସ୍ୟମାନଙ୍କ ପାଇଁ ଗର୍ବର ବିଷୟ । ସେ କହିଲେ ଯେ ଓମ ବିଲା ଅନେକ ବର୍ଷ ଧରି ସାର୍ବଜନୀନ ଜୀବନରେ କାମ କରିଆସୁଛନ୍ତି । ଜଣେ ଛାତ୍ର ନେତା ଭାବେ କାର୍ଯ୍ୟ ଆରମ୍ଭ କରି ସେ କ୍ରମାଗତ ଭାବେ ସମାଜ ସେବା କରିଆସୁଛନ୍ତି । ରାଜସ୍ଥାନର କୋଟାର ରୂପାନ୍ତରଣ ଏବଂ ସର୍ବାଙ୍ଗୀନ ବିକାଶରେ ଓମ ବିର୍ଲାଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ । ନୂତନ ଭାବେ ନିର୍ବାଚିତ ବାଚସ୍ପତିଙ୍କ ସହ ତାଙ୍କ ଦୀର୍ଘଦିନର ସମ୍ବନ୍ଧକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ଭୂମିକମ୍ପ ପରେ କଚ୍ଛରେ ଏବଂ ବନ୍ୟା ପରେ କେଦାରନାଥରେ ପୁନର୍ଗଠନ ପଦକ୍ଷେପ ନେଇ ବିର୍ଲାଙ୍କ ଯୋଗଦାନ ଏବଂ ସେବା ପ୍ରତି ତାଙ୍କ ଉତ୍ସର୍ଗୀକୃତ ମନୋଭାବକୁ ସେ ଗୁରୁତ୍ୱ ପ୍ରଦାନ କରିଥିଲେ । ଜଣେ କରୁଣାବାନ ନେତାଙ୍କୁ ସପ୍ତଦଶ ଲୋକସଭା ବାଚସ୍ପତି ଭାବେ ପାଇଥିବାର ସେ କହିଥିଲେ । ସଦନର କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିବାରେ ସମସ୍ତ ସଦସ୍ୟମାନଙ୍କଠାରୁ ସେ ପୂର୍ଣ୍ଣ ସହଯୋଗ ପାଇବେ ବୋଲି ପ୍ରଧାନମନ୍ତ୍ରୀ ବାଚସ୍ପତିଙ୍କୁ ଆଶ୍ୱାସନା ପ୍ରଦାନ କରିଥିଲେ ।


