ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ଭୁବନେଶ୍ୱର: କୋଭିଡ ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗକୁ ନେଇ ରାଜ୍ୟରେ ଜୋର ଧରିଛି ରାଜନୀତି । ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି । ଏହାରି ଭିତରେ କରୋନା ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗ ନେଇ କଂଗ୍ରେସ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଛି । ୮ଟି ଦାବି ନେଇ କଂଗ୍ରେସ ପକ୍ଷରୁ ଲୋକାୟୁକ୍ତ ଠାରେ ପିଟିସନ ଦାଖଲ କରାଯାଇଛି । ସୁର ରାଉତରାୟ, ତାରା ବାହିନୀପତି ଓ ସୁଦର୍ଶନ ଦାସ ପ୍ରମୁଖ ଏନେଇ ଲୋକାୟୁକ୍ତଙ୍କୁ ଭେଟି ପିଟିସନ ଦାଖଲ କରିଛନ୍ତି । ପୂର୍ବରୁ ଏନେଇ ମାସ୍କ କିଣା ଦୁର୍ନୀତି ନେଇ କଂଗ୍ରେସ ରାଜ୍ୟପାଳଙ୍କୁ ଫେରାଦ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱଚ୍ଛତାର ସହ ମାସ୍କ କିଣାଯାଇଥିବା ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଥିଲେ ।
ପ୍ରକାଶ ଯେ, ପୂର୍ବରୁ ମାସ୍କ କିଣାରେ ମହାଦୁର୍ନୀତି ହୋଇଥିବା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ତାମିଲନାଡ଼ୁର ଏକ ସଂସ୍ଥାରୁ ୧୬ ଟଙ୍କା ଦାମରେ ୩୦ ଲକ୍ଷ ମାସ୍କ ଆସିଛି । ଅନ୍ୟ ରାଜ୍ୟମାନେ ଏହାକୁ ୧.୩୪ ଟଙ୍କାରୁ ୮.୪୭ ଟଙ୍କାରେ କିଣିଛନ୍ତି । ସରକାରୀ ସଂସ୍ଥାରୁ ସାମଗ୍ରୀ କିଣିବାର ନିୟମ ଥିବାବେଳେ ଓଡ଼ିଶାରେ ତାହା କରାଯାଇନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ କହୁଛନ୍ତି ଭାରତ ସରକାର କିଣା ଦାମ ଧାର୍ଯ୍ୟ କରିଥିଲେ । ମନ୍ତ୍ରୀ କହୁଛନ୍ତି ଅଫିସରଙ୍କୁ ପଚାର । ତେବେ ଏଥିପାଇଁ ମନ୍ତ୍ରୀ ନିଜେ ଉତ୍ତରଦାୟୀ ବୋଲି ସେ ଜାଣିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ସେହିପରି ଆରଟିପିସିଆର ମେସିନ ଦାମ ୪ରୁ ୫ ଲକ୍ଷ । ମାତ୍ର ଏହାକୁ ୧୨.୮୪ ଲକ୍ଷରେ କିଣାଯାଇଛି । କୋଭିଡ ମେସିନ ପାଇଁ ଗୋଟି କମ୍ପାନୀକୁ ୧୨ କୋଟି ଅଗ୍ରୀମ ଦିଆଯାଇଛି । ପିପିଇ ମଧ୍ୟ ବହୁ ଅଧିକ ଦାମରେ କିଣା ଯାଇଛି । ପିପିଇ ବ୍ୟବହାର ପାଇଁ ଦେବା ପୂର୍ବରୁ ଟେଷ୍ଟ କରିବା କଥା । କିନ୍ତୁ ତାହା କରାଯାଇନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ । ତଦନୁଯାୟୀ ଗୁରୁବାର ମାସ୍କ କିଣାରେ ଦୁର୍ନୀତି ନେଇ ପ୍ରଦେଶ କଂଗ୍ରେସର ଏକ ଟିମ ରାଜ୍ୟପାଳଙ୍କୁ ରାଜଭବନରେ ଭେଟିଥିଲେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ପ୍ରମୁଖ ରାଜ୍ୟପାଳଙ୍କୁ ଭେଟି କରୋନା ଦୁର୍ନୀତିର ପର୍ଦ୍ଧାଫାସ ପାଇଁ ଏକ ସ୍ମାରକପତ୍ର ଦେଇଥିଲେ ।
ଅନ୍ୟପକ୍ଷରେ ଏନେଇ ସସ୍ମିତ ପାତ୍ର କହିଥିଲେ ଯେ, ସାରା ଭାରତରେ ମାସ୍କ ଡିମାଣ୍ଡ ବଢିବାରୁ ଦର ମଧ୍ୟ ବଢିଥିଲା । ସ୍ୱାସ୍ଥ୍ୟ ବିଭାଗ ଟେକ୍ନିକାଲ କମିଟି ୫ କୋଟି ମାସ୍କ କିଣିବାକୁ ନିଷ୍ପତ୍ତି ନେଇଥିଲା । ଲକଡାଉନ ପାଇଁ କଞ୍ଚାମାଲ ଅଭାବ ପଡ଼ିବାରୁ ଦର ବଢିଥିଲା । ପ୍ରଥମେ କେନ୍ଦ୍ର ସରକାର ମାସ୍କ ଗୋଟିକୁ ୧୦ ଟଙ୍କା ଦର ଧାର୍ଯ୍ୟ କରିଥିଲେ । ତେବେ ୧୦ ଟଙ୍କାରେ ଦେବାକୁ କେହି ରାଜି ନହେବାରୁ ୧୬ କରିଥିଲେ । କେନ୍ଦ୍ର ଧାର୍ଯ୍ୟ କରିଥିବା ୧୬ ଟଙ୍କାରୁ ଟଙ୍କାଟିଏ ବି ଓଡ଼ିଶା ଦେଇନି । ରାଜ୍ୟ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ରହିଛି ଲୋକଙ୍କ ଜୀବନ ବଞ୍ଚାଇବା । ମାସ୍କ ପାଇଁ ଟଙ୍କାଏ, ଆଠଣା ଗଣିବା ଲୋକଙ୍କ ଜୀବନ ବଞ୍ଚାଇବା । ତୁରନ୍ତ ଯଦି ଓଡ଼ିଶାକୁ ମାସ୍କ ଆସିନଥାନ୍ତା, ମୃତ୍ୟୁହାର ବଢିଯାଇଥାନ୍ତା । ମାସ୍କ ନେଇ କଂଗ୍ରେସ ଯେଉଁ ଅପପ୍ରଚାର ଚଳାଇଛି ତାହା ଦୁର୍ଭାଗ୍ୟଜନକ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ