ଲୋପ ପାଇବାକୁ ବସିଲାଣି ବଣ୍ଡା ଜନଜାତିଙ୍କ ପାରମ୍ପରିକ ଅଳଙ୍କାର, ଉଜ୍ଜୀବିତ ପାଇଁ ମାଲକାନଗିରି ପ୍ରଶାସନର ପ୍ରୟାସ

ମାଲକାନଗିରି(ଡଃ ଶିବ ନାରାୟଣ ପାତ୍ର) – ଲୋପ ପାଇଯାଉଛି ଆଦିମ ସଂସ୍କୃତି। ଲୋପ ପାଇଯାଇଛି ଆଦିମ ଜନଜାତି ବଣ୍ଡାଙ୍କ ପାରମ୍ପରିକ ଅଳଙ୍କାର। ତେବେ ଏହାକୁ ପୁନର୍ବାର ଉଜ୍ଜୀବିତ କରିବା ପାଇଁ ଆଗେଇ ଆସିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ବଣ୍ଡା ମହିଳା ମାନଙ୍କୁ ସ୍ଵତନ୍ତ୍ର ତାଲିମ ଦେଇ ପ୍ରାଚୀନ ଅଳଙ୍କାର ପ୍ରସ୍ତୁତ କରାଯାଉଅଛି। ଏହାକୁ ବିକ୍ରୀକରି ବଣ୍ଡା ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଆଗକୁ ବିଭିନ୍ନ ଅନଲାଇନ ପ୍ଲାଟଫର୍ମରେ ଏହି ଗହଣା ବିକ୍ରି ପାଇଁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ।
ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ବଣ୍ଡା ଘାଟିର ଦୁଇଟି ପଞ୍ଚାୟତରେ ବାସ କରନ୍ତି ଆଦିମ ବଣ୍ଡା ଜନଜାତି। ସେମାନଙ୍କ ସଂସ୍କୃତି ଓ ପରମ୍ପରା ଯେତେ ପ୍ରାଚୀନ ସେତେ ଅନ୍ୟନ ମଧ୍ଯ। ଚାଲି ଚଳନ, ବେଶଭୂଷା, ଭାଷା ଓ ସଂସ୍କୃତି ସବୁ ନିଆରା। ତେବେ ସମୟର ତାଳେ ତାଳେ ଆଧୁନିକର ଚାକଚକ୍ୟ ମଧ୍ୟରେ ନିଜ ସଂସ୍କୃତି ଠାରୁ ଦୂରେଇ ଗଲେଣି ଏହି ଜନଜାତି। ଏହାକୁ ଉଦ୍ଜିବିତ କରି ରଖିବାକୁ ଆରମ୍ଭ ହୋଇଛି ପ୍ରୟାସ। ମାଲକାନଗିରି ଜିଲ୍ଲା ପ୍ରଶାସନ ଉଦ୍ୟମରେ ପାରମ୍ପରିକ ଅଳଙ୍କାର ତିଆରି କରି ବଣ୍ଡା ରମଣୀ ମାନେ ଭଲ ଦୁଇ ପଇସା ମଧ୍ଯ ରୋଜଗାର କରୁଛନ୍ତି। ଆଗକୁ ବଣ୍ଡା କଳା ଓ ସଂସ୍କୃତିକୁ ବିଶ୍ଵ ଦରବାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ।
ବଣ୍ଡା ମହିଳା ମାନେ ପିନ୍ଧୁଥିବା ମାଳି ବା ରିନାମ୍ବ, ଗଜାର ମାଳି – ରୁବେଇ ଡାକ, ବେକରେ ପିନ୍ଧୁଥିବା ଚଙ୍ଗୁ, ପଇସା ଓ କଉଡ଼ି ମାଳ- ଗୁତେ, କାନଫୁଲ – ଜୁନାଙ୍ଗ, ଅଣ୍ଟାରେ ପିନ୍ଧାଯାଉଥିବା ବସ୍ତ୍ର ରୀଙ୍ଗା ଆଦିର ଆନ୍ତର୍ଜାତୀୟ ବଜାରରେ ବେଶ୍ ଚାହିଦା ରହିଛି। ଏହା ପ୍ରସ୍ତୁତ କରିବା ଲାଗି ବଣ୍ଡା ମହିଳା ମାନଙ୍କୁ ଏକ ମାସ ତାଲିମ ଦେଉଛି କୋଶଳ ବିକାଶ ତଥା କର୍ମ ନିୟୋଜନ ବିଭାଗ। ଆଗକୁ ରାଜ୍ୟ ତଥା ରାଜ୍ୟ ବାହାରେ ଆଦିବାସି ମେଳାରେ ଏହି ଅଳଙ୍କାରକୁ ବିକ୍ରି କରିବା ପାଇଁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ। ରାଜଧାନୀ ଭୁବନେଶ୍ଵର ମିଶନ ଶକ୍ତି ବଜାରରେ ଏକ ସ୍ଵତନ୍ତ୍ର ବାଜାର ଲାଗି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିକଟରେ ଦାବୀ ରଖିଛନ୍ତି ବଣ୍ଡା ମହିଳା। ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ। ବଣ୍ଡା ଘାଟିରେ ଏବେ ବି ମୋବାଇଲ୍ ନେଟୱର୍କ ନଥିବା ଯୋଗୁ ସେ ବହୁ ଅସୁବିଧାର ସମ୍ମୁଖିନ ହେବା ଜଣାଇଛନ୍ତି ଏହାର ତୁରନ୍ତ ସମାଧାନ କରାଗଲେ ସେମାନେ ମଧ୍ଯ ଅନଲାଇନ୍ ମାଧ୍ୟମରେ ଜିନିଷ ବିକ୍ରି କରି ପାରିବେ ବୋଲି ମତବ୍ୟକ୍ତ କରିଛନ୍ତି ବଣ୍ଡା ମହିଳା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ