ଵାରିପଦାରେ ଠିକାଦାରଙ୍କ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟିଲେ ପଲସର ଆତଙ୍କି
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଦ୍ଵିତୀୟ ଶ୍ରେକ୍ଷେତ୍ର ବାରିପଦା ବଡଦାଣ୍ଡ ପାର୍ଶ୍ୱରେ ଥିବା ଟାଉନ ଥାନା ଠାରୁ ୫୦ ପୁଟ ଦୂର ଶିତଳା ମନ୍ଦିର ସମ୍ମୁଖରୁ ଆଜି ପ୍ରାୟ ସାଢ଼େ ୧୨ ସମୟରେ ବାଇକ ଡ଼ିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି ନେଲେ ଦୁଇ ଦୁର୍ବୁତ୍ତ । ପ୍ରାପ୍ତ ସୂଚନାରୁ ଜଣାପଡିଛି, ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ମାଧପୁର ପଞ୍ଚାୟତ କୁଚିଲାପଦା ଗ୍ରାମର ଠିକାଦାର ଜୀବନ କୁମାର ଦଣ୍ଡପାଟ ଆଜି ଏକ ନିର୍ମାଣ କାର୍ଯ୍ୟରେ ଟେଣ୍ଡର ପକାଇବା ନିମନ୍ତେ ବାରିପଦା ଆସି ବାରିପଦା ପୌରପରିଷଦର ଏମକେସି ହାଇସ୍କୁଲ ସମ୍ମୁଖ ବ୍ୟାଙ୍କ ଅଫ ଇଣ୍ଡିଆରୁ ଏକ ଲକ୍ଷ ଟଙ୍କା ଉଠାଇ ବାଇକ ଡ଼ିକିରେ ଭର୍ତ୍ତି କରି ଶୀତଳା ମନ୍ଦିର ସମ୍ମୁଖ ଥିବା ଇଣ୍ଟରନେଟ କେନ୍ଦ୍ର ନିକଟରେ ଦିନ ସାଢ଼େ ୧୨ଟା ସମୟରେ ପହଞ୍ଚି ଥିଲେ । ବାହାରେ ବାଇକକୁ ଛିଡା କରାଇ ଇଣ୍ଟରନେଟ ସେଣ୍ଟର ଭିତରକୁ ଯାଇଥିବା ସମୟରେ ଦୁଇ ଜଣ ଦୁର୍ବୁତ୍ତ ମୁଣ୍ଡରେ ହେଲମେଟ ଲଗାଇ ଏକ ଲାଲ ରଙ୍ଗର ପଲସର ବାଇକରେ ଆସି ବାଇକର ଡ଼ିକି ଭାଙ୍ଗି ଭିତରେ ଥିବା ଏକ ଲକ୍ଷ ଟଙ୍କା ନେଇ ଆଖିପିଛୁଳାକେ ଉଭାନ ହୋଇଯାଇଥିଲେ । ଜୀବନ ବାହାରକୁ ବାହାରି ଆସିବା ବେଳକୁ ଲୁଟେରା ଦୁଇଜଣ ଆଖି ସମ୍ମୁଖରୁ ଅଦୃଶ୍ୟ ହୋଇଯାଇଥିବାର ଦେଖି ପୁଲିସର ସହାୟତା ନିମନ୍ତେ ଥାନାକୁ ଦୌଡ଼ି ଯାଇଥିଲେ । ଜୀବନ କୁମାର ଦଣ୍ଡପାଟଙ୍କ ଅଭିଯୋଗ କ୍ରମେ ଥାନାରେ ଏକ ମାମଲା ରୁଜୁ ହେବା ସହ ଲୁଟେରାଙ୍କୁ ଧରିବା ନିମନ୍ତେ ଉଦ୍ୟମ ଚଳାଇ ଥିବାର ଜଣାପଡିଛି ।