ଶକ୍ତି ଉପାସନାରେ ତନ୍ତ୍ର ବିଦ୍ୟା

ସନ୍ତୋଷ କୁମାର ଦାଶ

ଓଡ଼ିଶା ରେ ଶକ୍ତି ଉପାସନା ବହୁ ପ୍ରାଚୀନ କାଳରୁ ହୋଇ ଆସୁଥିବା ଐତିହାସିକ ମାନେ ପ୍ରକାଶ କରିଛନ୍ତି। ଶାକ୍ତ ତନ୍ତ୍ରର ଉତ୍ତରଣ ରେ ଜଗତଜନନୀ ଆଦ୍ୟାଶକ୍ତି ବହୁ ରୂପରେ ପୁଜା ପାଇ ଆସୁଛନ୍ତି ବିଭିନ୍ନ ସ୍ଥାନରେ। ତନ୍ମଧ୍ୟରେ ଅଷ୍ଟଚଣ୍ଡୀ, ସପ୍ତ ମାତୃକା, ନବଦୁର୍ଗା, ଦଶ ମହାବିଦ୍ୟା,ଅଷ୍ଟାଦଶମାତୃକା, ଚଉଷଠିଯୋଗିନୀ ଅନ୍ୟତମ। ପ୍ରତି ଗ୍ରାମ ରେ ପୂଜିତା ଗ୍ରାମ ଦେବତୀ ଶକ୍ତି ଉପାସନାର ନାମାନ୍ତର ମାତ୍ର। ସିନ୍ଧୁ ଉପତ୍ୟକା ଓ ଗୁପ୍ତଯୁଗ ସମୟ ରୁ ଶକ୍ତି ଉପାସନା ହୋଇ ଆସୁଥିବା ବହୁ ପ୍ରମାଣ ମିଳିଛି। ଶକ୍ତିର ପ୍ରତୀକ ଭାବେ ଚକ୍ର ଓ ଯନ୍ତ୍ରକୁ ପୂଜା କରାଯାଇ ଆସୁ ଥିବାରୁ ଶକ୍ତି ପୂଜା ସହିତ ତନ୍ତ ଯେ ଓତପ୍ରୋତ ଭାବେ ଜଡ଼ିତ ଏହା ସ୍ୱୀକାର କରିଛନ୍ତି ଗବେଷକ ଓ ଐତିହାସିକ ମାନେ।ଐତିହାସିକ ଗଣେଷ ପ୍ରସାଦ ପରିଜା ଙ୍କ ମତରେ ହିନ୍ଦୁ ମାନଙ୍କ ଦେବୀ, ଦେବତା ଉପାସନା ପାଇଁ ଦୁଇଟି ଧାରା ରହିଛି। ବୈଦିକ ଧାରା ଓ ତାନ୍ତ୍ରିକ ଧାରା। ବୈଦିକ କ୍ରିୟାକାଣ୍ଡ ରେ ଦେବତା ମାନଙ୍କ ପ୍ରାଧାନ୍ୟ ରହିଥିବା ବେଳେ ତାନ୍ତ୍ରିକ ଧାରା ରେ ଦେବୀ ମାନଙ୍କ ପ୍ରାଧାନ୍ୟ ରହିଥାଏ। ଏଣୁ ଶକ୍ତି ପୂଜା ରେ ତନ୍ତ୍ର ର ପ୍ରାଧାନ୍ୟ ରହି ଆସିଛି ବୈଦିକ ଯୁଗରୁ । ମୂର୍ତ୍ତୀ ଉପାସନା ତନ୍ତ୍ର ପର୍ଯ୍ୟାୟ ର ଓ ତନ୍ତ୍ର ହେଉଛି ଶାକ୍ତ ପରମ୍ପରା ଅନ୍ତର୍ଗତ। ପ୍ରାକ୍ – ଐତିହାସିକ ଯୁଗ ଠାରୁ ଆରମ୍ଭ କରି ବେଦ,ବୈଦିକ ସାହିତ୍ୟ,ଧର୍ମସୂତ୍ର, ରାମାୟଣ, ମହାଭାରତ ପ୍ରଭୃତି ରୁ ଧାରାବାହିକ ଶକ୍ତି ଉପାସନା ର ନିଦର୍ଶନ ମିଳେ। ଅଥର୍ବ ବେଦ ର ଅଙ୍ଗିରସ କଳରେ ତନ୍ତ୍ର ଉପାସନା ର ବ୍ୟାପକ ସୂଚନା ମିଳି ଥାଏ। ଓଡ଼ିଶା ର ବିଭିନ୍ନ ସ୍ଥାନରୁ ଏହି ପୋଥି ବହୁସଂଖ୍ୟକ ମିଳୁଥିବାରୁ ତନ୍ତ୍ରାଚାର୍ଯ୍ୟ ମାନେ ଓଡ଼ିଶା କୁ ତନ୍ତ୍ର ର ଆଦ୍ୟଭୂମି ର ମାନ୍ୟତା ପ୍ରଦାନ କରିଛନ୍ତି। ଏତଦ୍ ବ୍ୟତୀତ ତନ୍ତ୍ର ଚୂଡାମଣି,ତନ୍ତ୍ର ସାର, କୁଳାର୍ଣବ ତନ୍ତ୍ର,
ଜ୍ଞାନାର୍ଣବ ତନ୍ତ୍ର, କୁବଜିକା ତନ୍ତ୍ର, ବୃହନ୍ନୀଳ ତନ୍ତ୍ର, ବଜ୍ର ତନ୍ତ୍ର, କାଳିକା ପୁରାଣ, ଉଡ୍ଡୀଶ ତନ୍ତ୍ର, ମୁଣ୍ଡମାଳା ତନ୍ତ୍ର ପ୍ରଭୃତି ତନ୍ତ୍ର ଶାସ୍ତ୍ର ଓଡ଼ିଶା ରୁ ମିଳିଥିବାରୁ ଓଡ଼ିଶା ରେ ତନ୍ତ୍ର ପରମ୍ପରା ଏକ ସମ୍ମିଳିତ ପରମ୍ପରା ବୋଲି ବିବେଚନା କରାଯାଇଥାଏ। ଅତୀତ ଓଡ଼ିଶା ରେ ବୌଦ୍ଧତନ୍ତ୍ର ର ଯେତିକି ପ୍ରସାର ଥିଲା ଶାକ୍ତ ତନ୍ତ୍ର ର ମଧ୍ୟ ସେତିକି ପ୍ରସାର ଥିଲା ବୋଲି ଗବେଷକ ଡଃ.ଲକ୍ଷ୍ମଣ କୁମାର ପଣ୍ଡା ମତ ପ୍ରକାଶ କରିଛନ୍ତି । ରାଜ୍ୟ ରେ ଅସଂଖ୍ୟ ଶକ୍ତି ପୀଠ ରହିଥିବା ବେଳେ ଆଠୋଟି ସ୍ଥାନ ପ୍ରସିଦ୍ଧ ଶକ୍ତି ପୀଠ ର ମାନ୍ୟତା ପାଇଛି। ଏହି ଆଠୋଟି ଶକ୍ତି ପୀଠ ର ଦେବୀ ଙ୍କୁ ଅଷ୍ଟଚଣ୍ଡୀ ବୋଲି ବିବେଚନା କରାଯାଏ। ସେଗୁଡିକ ହେଉଛି ଶ୍ରୀକ୍ଷେତ୍ର ପୁରୀ ର ମା ବିମଳା, ବାଙ୍କୀ ର ଚର୍ଚ୍ଚିକା,କାକଟପୁରର ମା ମଙ୍ଗଳା,ଯାଜପୁର ର ମା ବିରଜା,ବାଣପୁର ର ଭଗବତୀ, ଝଙ୍କଡ଼ ର ମା ଶାରଳା, ତାଳଚେର ର ମା ହିଙ୍ଗୁଳା, ସମ୍ବଲପୁର ର ସମଲେଇ ମା।ଏହି ସ୍ଥାନ ଗୁଡ଼ିକରେ ଅତୀତରେ ତନ୍ତ୍ର ପୂଜା ପ୍ରଭାବ ବିସ୍ତାର କରିଥିବା ବେଳେ ତନ୍ତ୍ର ସାଧକ ମାନେ ତନ୍ତ୍ର ସାଧନା କରିବା ସହିତ ତନ୍ତ୍ର ଶିକ୍ଷା ମଧ୍ଯ ପ୍ରଦାନ କରୁଥିଲେ ବୋଲି ଗବେଷକ ଶ୍ରୀନିବାସ ଆଚାର୍ଯ୍ୟ ମତ ପ୍ରକାଶ କରିଛନ୍ତି।ବୌଦ୍ଧ ଶାସ୍ତ୍ର ‘ ହେ ବଜ୍ରତନ୍ତ୍ର’ (୮ମ ଶତାବ୍ଦୀ ରେ ଲିଖିତ) ରେ ଉଲ୍ଲେଖ ରହିଛି ଯେ,’ ଉଡ୍ରାଖ ପ୍ରଥମ ପୀଠ ‘ ଅର୍ଥାତ ଓଡ଼ିଶା ଥିଲା ତନ୍ତ୍ରସାଧନା ଓ ଶିକ୍ଷାର ପ୍ରଧାନ ପୀଠ। ଓଡ଼ିଶା ରେ ଯୋଗିନୀ ଉପାସନାର ଉନ୍ମେଷ ଘଟି କାପାଳିକ ( ତାନ୍ତ୍ରିକ) ମାନଙ୍କ ଦ୍ବାରା ଅନ୍ୟ ସ୍ଥାନ କୁ ପ୍ରସାରିତ ହୋଇଥିଲା ଓ ଚଉଷଠୀ ଯୋଗିନୀ ଉପାସନା ପ୍ରଥମେ ଉପକୂଳ ଓଡ଼ିଶା ରୁ ଆରମ୍ଭ ହୋଇ ଦେଶ ଓ ରାଜ୍ୟ ର ବିଭିନ୍ନ ସ୍ଥାନ କୁ ବ୍ୟାପିଥିଲା ବୋଲି ବିଶିଷ୍ଟ ଐତିହାସିକ ଡଃ. ହରେକୃଷ୍ଣ ମହତାବ ତାଙ୍କ ରଚିତ ପୁସ୍ତକ ଓଡ଼ିଶା ଇତିହାସ ରେ ଉଲ୍ଲେଖ କରିଛନ୍ତି। ଗୁପ୍ତ ଭାବରେ ଗୁରୁ ଶିଷ୍ୟ ପରମ୍ପରା କ୍ରମେ ଯୋଗିନୀ ଉପାସନା ପ୍ରକ୍ରିୟା ସଂଗଠିତ ହୋଇ ଥିବାରୁ ଯୋଗିନୀ ପୀଠ, ମୂର୍ତ୍ତୀ ସଂଖ୍ୟା, ମୂର୍ତ୍ତୀନାମା, ବଳି, ନ୍ୟାସ, କବଚ, କୀଳକ, ସ୍ତୋତ୍ର, ଉପାସନା ପଦ୍ଧତି ସମ୍ପର୍କ ରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ସମ୍ବଳିତ ପୋଥି ବା ପୁସ୍ତକ ମିଳି ପାରି ନାହିଁ। ଏହା ଏକ ଗୁପ୍ତ ବିଦ୍ୟା ଭାବେ ରହି ଆସିଛି ଆଜି ପର୍ଯ୍ୟନ୍ତ। ତନ୍ତ୍ର ଶାସ୍ତ୍ର ସମୂହ ରେ ମଣ୍ଡଳ, ଯନ୍ତ୍ର, ଚକ୍ର ଉପରେ ବିଶେଷ ଗୁରୁତ୍ବ ପ୍ରଦାନ କରା ଯାଇଛି। ତନ୍ତ୍ର ଶାସ୍ତ୍ର ରେ ଶାକ୍ତ ତାନ୍ତ୍ରିକ ର ଦୈନଦିନ ଧ୍ୟାନ, କର୍ମ, ଆଚରଣ ବିଧି ର ବର୍ଣ୍ଣନା ରହିଛି। ବାମାଚାରୀ ତାନ୍ତ୍ରିକ ମାନେ
ପଞ୍ଚମକାର ପୂଜା ପଦ୍ଧତି ରେ ଦେବୀ ଉପାସନା କରୁଥିବା ବେଳେ ହିନ୍ଦୁ ତନ୍ତ୍ର ଶାସ୍ତ୍ରାନୁସାରେ ଦେବୀ ପୀଠ ଗୁଡ଼ିକ ରେ ଆଶ୍ଵିନ ମାସକୃଷ୍ଣ ପକ୍ଷ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଷୋହଳ ଦିନ ବ୍ୟାପୀ ଷୋଡ଼ଶ ଉପଚାର ପୂଜା ପଦ୍ଧତି ରେ ପୂଜା କରାଯାଇଥାଏ। ଶକ୍ତି ଉପାସନା ତାନ୍ତ୍ରିକ ଭିତ୍ତିରେ ହେବାର ପ୍ରସାର ଭୌମଯୁଗ ସମୟ ରେ ହିଁ ଘଟିଥିଲା ବୋଲି ଗବେଷକ ଡ. ସନ୍ତୋଷ କୁମାର ମିତ୍ର ପ୍ରକାଶ କରିଛନ୍ତି । ନରବଳି ଦେବା, ଶ୍ମଶାନ ରେ ପୂଜାର୍ଚ୍ଚନା କରିବା, ଶରୀର କୁ ଭସ୍ମ ରେ ଭୂଷିତ କରିବା, ଶବ ଉପରେ ଉପବେଶନ ହୋଇ ଦେବୀ ଆରାଧନା କରିବା, ଦେବୀ ଙ୍କ ସନ୍ତୁଷ୍ଟି ପାଇଁ ପଶୁ ପକ୍ଷୀ ବଳି ଦେବା, ଉଲଗ୍ନ ନାରୀ କୁ ପୁଜା କରିବା ପ୍ରଭୃତି କାପାଳିକ ପୁଜା ର ବହୁଳ ପ୍ରସାର ଘଟିଥିଲା। ଦଶମ ଶତାବ୍ଦୀ ବେଳକୁ ଓଡ଼ିଶା ତନ୍ତ୍ର ପାଇଁ ପ୍ରସିଦ୍ଧି ଲାଭ କରି ସାରିଥିଲା ବୋଲି ବିଶିଷ୍ଟ ଐତିହାସିକ ଡଃ. ହରେକୃଷ୍ଣ ମହତାବ ତାଙ୍କ ଓଡ଼ିଶା ଇତିହାସ ପୁସ୍ତକ ରେ ପ୍ରକାଶ କରିଥିବା ବେଳେ ଓଡ଼ିଶା ର ଲୋକ ଦେବତା ଶ୍ରୀ ଜଗନ୍ନାଥ ଙ୍କୁ ମଧ୍ଯ ତନ୍ତ୍ର ପୁଜା ସ୍ପର୍ଶ କରିଥିଲା। ଶ୍ରୀ ଜଗନ୍ନାଥ ଙ୍କୁ ଭୈରବ ଓ ମା ବିମଳା ଙ୍କୁ ଭୈରବୀ ବୋଲି ତାନ୍ତ୍ରିକ ମାନେ ଘୋଷଣା କରିଥିଲେ।ସେବେ ଠାରୁ ପୁରୀ ଶ୍ରୀ ମନ୍ଦିର ରେ ମା ବିମଳା ଙ୍କ ମନ୍ଦିର ରେ ଶାରଦୀୟ ପାର୍ବଣ ପୂଜା ତନ୍ତ୍ର ପୁଜା ଅନୁସାରେ ଅନୁଷ୍ଠିତ ହୋଇଆସୁଛି। ବୌଦ୍ଧ ଧର୍ମାବଲମ୍ବୀ ମାନେ ତନ୍ତ୍ର ଓ ମନ୍ତ୍ର ରେ
ଈଶ୍ୱର ଓ ଶକ୍ତି ଙ୍କୁ ଆରାଧନା କରିବାରୁ ରାଜ୍ୟ ର କୋଣ ଅନୁକୋଣରେ ତନ୍ତ୍ର ପୂଜା ର ପ୍ରଚାର, ପ୍ରସାର ହୋଇ ପାରିଥିଲା। ମୈଥୁନ ତନ୍ତ୍ର ସାଧନା ଓ ପୂଜା ର ଏକ ପ୍ରମୁଖ ଅଙ୍ଗ ପାଲଟି ଯାଇଥିଲା।ଏହି କାରଣରୁ ମନ୍ଦିର ମାନଙ୍କରେ ଉଲଗ୍ନ ଓ ମୈଥୁନ ମୂର୍ତ୍ତୀ ମାନ ଦେଖିବାକୁ ମିଳେ। ପ୍ରାୟ ଷଷ୍ଠ ରୁ ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ତନ୍ତ୍ର ପୂଜା ଦେବୀ ପୂଜା ଭାବରେ ପ୍ରଭାବ ବିସ୍ତାର କରି ଥିଲା। ମୈଥୁନ କାରଣ କୁ ନେଇ କାପଳିକ ଓ ତାନ୍ତ୍ରିକ ମାନଙ୍କ ବ୍ୟଭିଚାର ବଢ଼ିବାରେ ଲାଗିଲା। ଏଣୁ ଜନ ସାଧାରଣ ଧୀରେ ଧୀରେ ତନ୍ତ୍ର ପୂଜା କୁ ପ୍ରତ୍ୟାଖାନ କରିବାକୁ ଲାଗିଲେ।ଗଙ୍ଗ ବଂଶ ଓ କେଶରୀ ବଂଶ ର ଶାସକ ମାନେ ଶାକ୍ତ ଧର୍ମ
ପରିବର୍ତ୍ତେ ଶୈବ ଧର୍ମ ଓ ବୈଷ୍ଣବ ଧର୍ମ କୁ ପୃଷ୍ଠପୋଷକତା କରିବାରୁ ତନ୍ତ୍ର ପୂଜା, ସାଧନା ଓ ଶିକ୍ଷା ହ୍ରାସ ପାଇବାରେ ଲାଗିଲା।୧୧ଶ ଶତାବ୍ଦୀ ବେଳକୁ ବୌଦ୍ଧ ତାନ୍ତ୍ରିକ ମାନେ ବାଧ୍ୟ ହୋଇ ଶୈବ ଧର୍ମ କୁ ଆପଣାଇ ବାରେ ଲାଗିଲେ। ଶକ୍ତି ପୀଠ ଓ ମୂର୍ତ୍ତୀ ଗୁଡ଼ିକୁ ହିନ୍ଦୁ ଧର୍ମାବଲମ୍ବୀ ମାନେ ନିଜ ଦେବୀ ଭାବେ ପୂଜା କରିବାରେ ଲାଗିଲେ। ଧୀରେ ଧୀରେ ଦେବୀ ମନ୍ଦିର ଓ ପୀଠ ଠାରେ ତନ୍ତ୍ର ପୂଜା ବନ୍ଦ ହୋଇଗଲା। ୧୧ଶ/୧୨ଶ ଶତାବ୍ଦୀରେ ଶୈବ ଧର୍ମ ଓ ବୈଷ୍ଣବ ଧର୍ମ ପ୍ରସାର ଲାଭ କରିବାରୁ ତନ୍ତ୍ର ପୂଜା, ସାଧନା ଓ ଶିକ୍ଷା ତାର ଅସ୍ତିତ୍ବ ହରାଇ ବସିଲା। ହିନ୍ଦୁ ଧର୍ମାବଲମ୍ବୀ ମାନେ ଶକ୍ତି ପୂଜା କୁ ଆପଣାଇ ନେବାରୁ ଅନେକ ତନ୍ତ୍ର ପୀଠ ( ଚଉରାଶି ଗ୍ରାମର ବରାହୀ ମନ୍ଦିର)
କେବଳ ଦେବୀ ପୀଠ ଭାବେ ପରିଚିତ ହେଲା। କିଛି ତନ୍ତ୍ର ପୀଠ (କାକଟପୁର ର ମା ମଙ୍ଗଳା ମନ୍ଦିର) ବୈଷ୍ଣବୀ ପୀଠ ରେ ପରିଣତ ହେଲା ଓ ସେଠାରେ ଚାଲି ଆସୁଥିବା ପଶୁ ପକ୍ଷୀ ବଳି ପ୍ରଥା ମଧ୍ୟ ବନ୍ଦ ହୋଇ ଗଲା। ତନ୍ତ୍ର ଦେବୀ ଗୁଡ଼ିକ ବିଭିନ୍ନ ସ୍ଥାନରେ ଗ୍ରାମ ଦେବତୀ (ମା ଦୂର୍ଗା ଙ୍କ ପ୍ରତିନିଧି) ଭାବେ ପୁଜା ପାଇବାକୁ ଲାଗିଲେ। ତନ୍ତ୍ର ଉପାସନା ଲୋକ ମାନଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇ ଥିଲେ ମଧ୍ୟ ଶକ୍ତି ଉପାସନା ରୁ ତନ୍ତ୍ର ପୂଜା ଅଲଗା ହୋଇ ପାରି ନ ଥିଲା। ଏଣୁ ଏବେ ବି ଶକ୍ତି ପୀଠ ଗୁଡ଼ିକ ରେ ଓ ଗ୍ରାମ ଦେବତୀ ପୀଠ ମାନଙ୍କ ରେ ଅନୁଷ୍ଠିତ ଶାରଦୀୟ ପାର୍ବଣ ପୂଜା ରେ ତନ୍ତ୍ର ର ଛାପ ଦେଖିବାକୁ ମିଳିଥାଏ.

ତୁଳସୀପୁର। ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ