ଶକ୍ତି ରୁପେଣ ସଂସ୍ଥିତା
ଥାନା ଆଗରେ ପ୍ରବଳ ଭିଡ଼ ଫୁଲକୁ ଦେଖିବାକୁ. ଫୁଲ ନାମକ ନାରୀ କେବେ ମଣିଷ ମାରିପାରେନା, ଏକଥା କହିବାର ସତସାହାସ ନଥିଲା ଫୁଲର. ସମସ୍ତେ ତାକୁ ଦେଖୁଥିଲେ ଘୃଣ୍ୟ ନଜରରେ. ସେ ମଣିଷ ମାରିଛି, ପୁଣି ନିଜ ସ୍ୱାମୀଙ୍କୁ. କିଏ ତା ମୁହଁକୁ ନଣ୍ଡେ ଛେପ ପକାଉ ଥାଏ ତ କିଏ ଥୁ କହି ନାରୀ ଜାତିର କଳଙ୍କ କହୁଥିଲା ବେଳେ ତା ଦୃଷ୍ଟି ନିବଦ୍ଧ ଥାଏ ସେହି ଦୂର କଳା କାଉଟି ଉପରେ. ସତରେ କାଉ କଳା ହେଲେ ମଧ୍ୟ ତା ପାଖରେ କେତେ ଭଲ ଗୁଣ ଅଛି. କୋଇଲିର ଛୁଆ ଫୁଟେଇ ତାକୁ ଆଧାର ଦେଇ ବଡ଼ କରିବା ସହ ଶନିଙ୍କ ରୂପେ ଚାଉଳ ଓ ପାଣି ପିଇ ବୋଉ ହାତରୁ ଦୁରକୁ ଉଡ଼ିଗଲା ବେଳେ ବୋଉ କହେ ଉଡ଼ିଗଲୁ.. ଉଡ଼ିଗଲୁ.. ଶୁଭ ବାର୍ତ୍ତା ଦେଇଗଲୁ. ସେ ଶୁଭ ବାର୍ତ୍ତା ତା ନିଜ ପାଇଁ, ପୁତ୍ର ପ୍ରାପ୍ତି ପାଇଁ. ଥରକୁ ଥର ପେଟ ଆଉଁସି ଆଉଁସି ଅସମାପ୍ତ ଥିବା ଚାରି ଚାରିଟା କନ୍ୟା ସନ୍ତାନର ଜନନୀର ଆକୁଳତା ମାପିଛି ଫୁଲ.
ମାଆ ହେବା ଆଗରୁ ସେ ନାରୀ ରୂପେ ବଧୂଟିଏ. ବଧୂ ହେବା ଆଗରୁ କାହା ଝିଅଟିଏ. ଝିଅଟି ଆଖିରେ ଆଖିଏ ସ୍ବପ୍ନ ନେଇ ବଞ୍ଚିବାକୁ ଚାହୁଁଥିଲା ବେଳେ କଣ ନଦେଖିଛି ତା ଆଖି. ସେ ମଧ୍ୟ ତା ବାପମାଆଙ୍କର ଚତୁର୍ଥ କନ୍ୟା ସନ୍ତାନ ଥିଲା. ପୁଅଟିଏ ପାଇଁ ବାପା ମାଆ ଚାରିଗୋଟି କନ୍ୟା ସନ୍ତାନ ଜନ୍ମ କରି ମଧ୍ୟ ପୁଅଟିଏ ଆସିବା ପର୍ଯ୍ୟନ୍ତ ସନ୍ତାପିତ ନହୋଇ ଧର୍ଯ୍ୟର ସହ ଅପେକ୍ଷା କରିଥିଲେ. ପୁଅକଢେଇ ଝିଅ ବୋଲି ବାପା ତାକୁ ଖୁବ ଭଲ ପାଉଥିଲେ. ଝିଅ ପୁଅ ଭିତରେ କେବେ ପ୍ରଭେଦ ଦେଖୁନଥିବା ପିତାମାତାଙ୍କ ଭାଗ୍ୟରେ କିଛି ଅଲଗା ଲେଖା ଥିଲା ନିଶ୍ଚୟ. ସାନ ଭାଇ ଯେତିକି ବଡ଼ ହେଉଥାଏ ସେତିକି ବଡ଼ମାସି ବଢୁଥାଏ. ଉପର ତିନିଭଉଣୀଙ୍କୁ ଦୁଖେ ସୁଖେ ବାହା କରିବା ପରେ ସେମାନେ ସୁଖରେ ଥାଆନ୍ତି.ଆଉ ସାନ ଭାଇଟି ହୋଇଯାଇଥାଏ ଅଳସୁଆ, ଜିଦଖୋର. ସେଦିନ ଜିଦ କରି ମୋବାଇଲ କିଣିବ କହି ବାପାଙ୍କୁ ପଇସା ମାଗିଥିଲା. ଏମିତି ଅନେକ ଥର ମାଗିସାରିଥିବା ଭାଇକୁ ବାପା କଥା ଦେଇଥିଲେ ଏ ସନ ଧାନ ଅମଳ ପରେ, ମଣ୍ଡିରୁ ଟଙ୍କା ପାଇବା ସଙ୍ଗେ ସଙ୍ଗେ ତତେ ନିଶ୍ଚୟ ସ୍ମାର୍ଟ ମୋବାଇଲ ଫୋନ କିଣିଦେଵି. କିଛି ଶୁଣି ନଥିଲା ଭାଇ, ବୋଉର ପଟେ କାନ ଫୁଲ ଝିଙ୍କି ନେଇ ଦୌଡୁଥିଲା ବେଳେ ବାପା ଧରିଥିବା କଟୁରୀ ଭାଇ ଆଡକୁ ଫିଙ୍ଗିଥିଲେ. ବୋଉତ ମଲା,ଭାଇଟା ଫୁଲର ପଙ୍ଗୁ ହୋଇଗଲା. ତାକୁ ନିଜ ହାତରେ ପଙ୍ଗୁ କରିଥିବା ଦୁଃଖରେ ବାପା ବି ଚାଲିଗଲେ. ଏହି ମଉକାରେ ହରିଆର ହାତ ଧରିବାକୁ ବାଧ୍ୟ ହୋଇଥିଲା ଫୁଲ କିନ୍ତୁ ଭାଇଟା କୁଆଡେ ଯେ ଗଲା ତାର ପତ୍ତା ଠିକଣା ମିଳୁନଥିବା ବେଳେ ତିନି ତିନିଥର ତା କୋଳରେ ଜନମ ଲଭି ଥିବା କନ୍ୟାମାନଙ୍କୁ ହରିଆ ଯେବେ ଉଠେଇ ନିଏ ତାକୁ ହରିଆ କଂସ ରୂପେ ପ୍ରତୀୟମାନ ହୁଏ. ଏମିତି ଦୁଃଖ ପରେ ଦୁଃଖ ତାର ଭାଗ୍ୟରେ ବିହି ଲେଖିଥିଲା ଯେ ଚତୁର୍ଥ କନ୍ୟାଟିକୁ ସେ ଜମା ଦେଉନଥିଲା ହରିଆ ହାତକୁ. ଯେତେ ନେହୁରା ହେଲେ ମଧ୍ୟ ଶୁଣିଲାନି ହରିଆ. ଭିଡି ନେଲା କୋଳରୁ ଝିଅ କିନ୍ତୁ ବଞ୍ଚିଗଲା. ନିଃସନ୍ତାନ ଦମ୍ପତ୍ତି ଥିବା ଗାଁ ସରପଞ୍ଚ ଝିଅକୁ ବୁଦା ମୂଳରୁ ଉଠାଇ ନେବା ଦେଖିଥିଲା ହରିଆ ତ ଲୁଟିଲା ତାଙ୍କୁ. ଭୋଟରେ ହାରିବା ପରେ ସେ ଆଉ ଟଙ୍କା ପଇସା ଦେଇ ନପାରିବାରୁ ହରିଆ ଝିଅକୁ ଆଣି ପଙ୍ଗୁ କରି ରୋଜଗାର କରିବା କଥା ବାପା ହରିଆ ମୁହଁରୁ ଶୁଣିଫୁଲ କେମିତି ମାଆ ହୋଇ ସହିଥାଆନ୍ତା! ହୃଦୟ ଫାଟି ଯାଉଥିଲା. ଆଖି ଆଗରେ ନାଚି ଯାଉଥିଲା ସେହି ସବୁ କରୁଣ ଦୃଶ୍ୟ.ଯେତେବେଳେ ହରିଆ ସରପଞ୍ଚଙ୍କ ସାଆନ୍ତାଣୀଙ୍କ କୋଳରୁ ଝିଅକୁ ତାର ଭିଡି ଆଣୁଥିଲା ସରପଞ୍ଚ ପକାଇଥିଲେ କାଠଫାଳିଆ ପାହାର ହରିଆ ମୁଣ୍ଡକୁ ଆଉ ଝିଅ ତାର ବଞ୍ଚିଯାଉ ଦୁନିଆଁରେ ଜଣଙ୍କ ମଧ୍ୟରେ ଜଣେ ହେଉ ବୋଲି ଭାବି ତ ପୋଲିସ ଆସିବା ବେଳେ ସେହି କାଠଫାଳିଆ ନିଜେ ଧରି ସେ କହିଥିଲା ମୁଁ ମାରିଛି ହାରିଆକୁ କାରଣ ହରିଆ ପ୍ରଜା ହୋଇ ରାଜା ଝିଅକୁ ସାଆନ୍ତାଣୀଙ୍କ କୋଳରୁ ଭିଡି ନେଇଯିବା ଦୃଶ୍ୟ ସେ ସହିଥାଆନ୍ତା କିପରି?
ହତ୍ୟାର କାରଣ ଓ ଉଦେଶ୍ୟ ଜଣାପଡିନଥିଲେ ମଧ୍ୟ ଫୁଲର ନୀରବତା ତାକୁ ଦୋଷୀ ସାବ୍ୟସ୍ତ କଲାବେଳେ ତା ଟିକି ଝିଅ ମୁହଁ ଦେଖାଯାଉଥିଲା ତାକୁ. ଭଗବାନ ସବୁ ଦେଖୁଥାଆନ୍ତି. ପ୍ରାରବ୍ଧ କର୍ମଫଳ ଭୋଗିବାକୁ ପଡୁଥିଲେ ମଧ୍ୟ ଶେଷ ଆଶ୍ରା ତ ତାଙ୍କରି ବାହୁ ବଳ. ସରପଞ୍ଚ ଫୁଲକୁ ଜାମିନୀରେ ଘରକୁ ନେଲେ. ଝିଅର ଦେଖାଶୁଣା ପାଇଁ ନିୟୋଜିତ କଲେ. ଦଶହରା ପୂଜାରେ ସୀମାଞ୍ଚଳ ବୁଲାଇ ନେଲାବେଳେ ସେଠି ଫୁଲ ଦେଖିଥିଲା ତା ଭାଇକୁ. ପଙ୍ଗୁ ଗୋଡ଼ ତାର ପ୍ଲାଷ୍ଟିକ ସର୍ଜ୍ଜରୀ ହୋଇସାରିଥିଲା ତ ଫୁଲ କହୁଥିଲା ମାଆ ଦୁର୍ଗେ ଦୁର୍ଗତିନାଶିନୀ ମାଆ ଦେବୀ, ତୁ ହିଁ ଭରସା.ଏବେ ଫୁଲ ହତ୍ୟାକାରୀ ନୁହେଁ ମଙ୍ଗଳମୟୀ ଦେବୀ ପାଲଟି ଯାଇଥିଲା ବେଳେ ପୁଣି ତାକୁ ଥାନାରୁ ଡାକରା ଆସିଥିଲା. ସରପଞ୍ଚ ଭରସା ଦେଇଥିଲେ. ଫୁଲକୁ କୋର୍ଟ ଚାଲାଣ ବେଳେ ଭାଇ ସହ ବାବୁଙ୍କ ଝିଅ କାନ୍ଦୁଥିଲା ଖୁବ ସମସ୍ତେ ଶିଶୁର ସୁରକ୍ଷା ନେଉଥିବା ବେଳେ ମାଆ ଦୁର୍ଗାଙ୍କ କରୁଣାରୁ ଫୁଲ ଶୀଘ୍ର ଖଲାସ ହୋଇଥିଲା.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ