ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହେଲେ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ସୁଶାସନରେ ଅନୁପ୍ରାଣିତ ହୋଇ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ଗ୍ରାମପଞ୍ଚାୟତର ଶତାଧିକ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏହି ଉପଲକ୍ଷେ ସାନମାଣିତିଆ ଠାରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡାଙ୍କ ନେତୃତ୍ୱରେ ଏକ ବୈଠକ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସାନମାଣିତିଆ ପଞ୍ଚାୟତର ଟାଣୁଆ କଂଗ୍ରେସ ନେତା ସଂଗ୍ରାମ ମଲିକ ଓ ପ୍ରତାପ ମଲିକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଏହି ମିଶ୍ରଣ ପର୍ବରେ ଯୋଗଦେଇ ବିଜୁ ଜନତା ଦଳରେ ସାମିଲ ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବାକୁ ଶପଥ ନେଇଥିଲେ । ସଭାପତି ଶ୍ରୀ ପରିଡା ବିଜେଡିରେ ଯୋଗଦେଇଥିବା କଂଗ୍ରେସ କର୍ମୀମାନଙ୍କୁ ଫୁଲହାର ଓ ବିଜେଡିର ଦଳୀୟ ଉତ୍ତରୀୟ ପ୍ରଦାନ କରି ସେମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳର ପ୍ରାର୍ଥୀମାନଙ୍କୁ ଆକୁଣ୍ଠ ସମର୍ଥନ ଦେଇ ଜୟଯୁକ୍ତ କରିବେ ବୋଲି ସେମାନେ ପ୍ରକାଶ କରିଥିଲେ ।