ଶତ ପ୍ରତିଶତ ଭୋଟ୍‌ଦାନ ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନର ଅନନ୍ୟ ପ୍ରୟାସ

ବାଲେଶ୍ୱର, (ସରୋଜ ପଣ୍ଡା):ଶତ ପ୍ରତିଶତ ଭୋଟଦାନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ଶ୍ରୀ ଆଶୀଷ ଠାକରେଙ୍କ ତତ୍ତ୍ୱାବଧାନରେ ବାଲେଶ୍ୱର ଜିଲ୍ଲା ପ୍ରଶାସନର ଅନନ୍ୟ ପ୍ରୟାସ । ଅନ୍ତର୍ଭୁକ୍ତିକରଣ ନିର୍ବାଚନ ନିମନ୍ତେ ପ୍ରତୀକାତ୍ମକଭାବେ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିତ୍ୱ କରୁଥିବା ବୟସ୍କ ଭୋଟର, ଭିନ୍ନକ୍ଷମ, ମହିଳା ଓ କିନ୍ନର ମତଦାତାଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରିବା ପାଇଁ ଆହ୍ୱାନ ରଖିଛି ଜିଲ୍ଲା ପ୍ରଶାସନ । ଏହି ପରିପ୍ରେକ୍ଷୀରେ ଗତ ତା ୨୯ ରିଖ ସ୍ଥାନୀୟ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ, ବାଲେଶ୍ୱର ସଦର ବିଡ଼ିଓ ଶ୍ରୀ ସମରଜିତ କର, ଓରମାସର ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୌଶିକ ପାତ୍ର ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଏକ ଜନସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି I କୌଣସି ଭୋଟର ଯେପରି ପଛରେ ନପଡ଼ନ୍ତି ସେଥିପ୍ରତି ପ୍ରଶାସନର ନିଷ୍ଠାକୁ ଉପସ୍ଥିତ ବରିଷ୍ଠ ଅଧିକାରୀମାନେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଆଗାମୀ ନିର୍ବାଚନରେ ମତଦାନ କରିବା ପାଇଁ ସମସ୍ତ ଅତିଥିମାନେ ସଙ୍କଳ୍ପ ନେଇଥିଲେ। ନିଜ ନିଜ ସମ୍ପ୍ରଦାୟ ମଧ୍ୟରେ ମତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ମଞ୍ଚାସୀନ ଅଧିକାରୀମାନେ ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଆମ ଜିଲ୍ଲା ଓ ରାଜ୍ୟର ଭବିଷ୍ୟତ ଗଠନରେ ପ୍ରତ୍ୟେକ ଭୋଟର ଗୁରୁତ୍ୱ ରହିଛି। ପ୍ରତିବନ୍ଧକକୁ ଭାଙ୍ଗି ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାବେ ଭାଗ ନେବା ପାଇଁ ସମାଜର ସବୁ ବର୍ଗକୁ ସଶକ୍ତ କରିବା ଆବଶ୍ୟକ ବୋଲି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ ମତ ପ୍ରକାଶ କରିଥିଲେ I ଏଠାରେ ସୂଚନା ଥାଉ କି ଏହି ସଚେତନତା ସଭା ଜିଲ୍ଲାର ବ୍ୟାପକ ସ୍ବୀପ କାର୍ଯ୍ୟକ୍ରମ ଅନ୍ତର୍ଗତ ଆୟୋଜିତ କରାଯାଇଥିଲା ଯେଉଁ ଥିରେ ସମାଜର ବିଭିନ୍ନ ବର୍ଗର ୧୦୦ ରୁ ଉର୍ଦ୍ଧ୍ବ ଜଣ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ I ନିର୍ବାଚନକୁ ଦୃଷ୍ଟିରେ ରଖି ସମଗ୍ର ଜିଲ୍ଲାରେ ଏହି ଭଳି ଜନସଚେତନତା କାର୍ଯ୍ୟକ୍ରମ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ