ଶନିବାର ଠାରୁ ସହରାଞ୍ଚଳରେ ପୁଣି ସ୍ବାସ୍ଥ୍ୟ ଯାଂଚ୍ କାର୍ଯ୍ୟ ଆରମ୍ଭ ହେବ

ଛତ୍ରପୁର, (ଓ୍ବାଇଏନ୍ଏସ୍): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଜିଲ୍ଲା ସ୍ତରୀୟ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର‌୍ୟ୍ୟ ନିର୍ବାହୀ ଅଧିକାରୀ, ଚିକିତ୍ସା ଅଧିକାରୀ ଓ ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କ ସହ କୋଭିଡ୍ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ବର୍ତ୍ତମାନ ଗୋଟିଏ ବ୍ଲକ୍ ରେ କେବଳ ଗୋଟିଏ ବ୍ଲକ୍ ସ୍ତରୀୟ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କାର‌୍ୟ୍ୟକ୍ଷମ ରହିବ । ଏଣୁ ଏ ଦିଗରେ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଏହି କାର‌୍ୟ୍ୟକୁ ତ୍ବରାନ୍ବୀତ କରନ୍ତୁ । ସାମାଜିକ ଦୂରତ୍ବ ବଜାୟ ରଖିବା ଦିଗରେ ଚଢାଉକୁ ଅଧିକ ଜୋରଦାର କରିବାନେଇ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେବା ସହ ଏଥି ସକାଶେ ତହସିଲଦାର ମାନେ ହିଁ ଉତ୍ତର ଦାୟୀ ରହିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଧାର୍ମିକ ଅନୁଷ୍ଠାନ ଗୁଡିକରେ ଜନ ଗହଳି ହେଉଥିବା ନଜର ଆସୁଛି । ଦୋକାନ ଗୁଡିକରେ ବାଉଁଶ ବଦଳରେ ଦଉଡି ବାନ୍ଧୁଥିବା ଦେଖାଯାଉଛି । ଏହା ଗ୍ରହଣୀୟ ନୁହେଁ । ଦଉଡି ବଦଳରେ ବାଉଁଶ ବାନ୍ଧି ସାମାଜିକ ଦୂରତ୍ବ ବଜାୟ ରଖିବାକୁ କୁହାଯାଇଛି । ପଞ୍ଚସୂତ୍ରକୁ ବ୍ୟାପକ କରିବାକୁ ଜଣାଇ ଦିଆଯାଇଛି । ସକାଳୁ ସକାଳୁ ଅଧିକାରୀଗଣ ଚଢାଉକୁ ବ୍ୟାପକ କରନ୍ତୁ କାରଣ ସେହି ସମୟରେ ହିଁ ଦୋକାନ ଗୁଡିକରେ ଅଧିକ ଭିଡ ଜମୁଛି ଏବଂ ନିୟମର ଖିଲାପ କରାଯାଉଛି । ଆଟୋରିକ୍ସା ଗୁଡିକରେ ଅଧିକ ଲୋକଙ୍କୁ ନେବା ମନା କରାଯାଇଛି । ଏହି ନିୟମକୁ ପାଳନ କରାଯାଉ ନାହିଁ । ସାମଗ୍ରୀ ନେବା ଆଣିବାରେ ଅଟୋ ବ୍ୟବହାର କରାଯାଇପାରିବ । ଲୋକଙ୍କୁ ନେବା ଆଣିବା କରନ୍ତୁ ନାହିଁ ବୋଲି ଅଟେରିକ୍ସା ଚାଳକଙ୍କୁ ଜଣାଇ ଦିଆଯାଉଅଛି ।
ସଂକ୍ରମିତ ବ୍ୟକ୍ତିଙ୍କୁ ୨୪ ଘଣ୍ଟା ମଧ୍ୟରେ ଆଡମିଶନ୍ କରନ୍ତୁ । ଚିକିତ୍ସା ଅଧିକାରୀଙ୍କ ନିଷ୍ପତ୍ତି ପ୍ରକାରେ ସଂକ୍ରମିତ ବ୍ୟକ୍ତିଙ୍କୁ ସ୍ଥାନାନ୍ତରୀତ କରନ୍ତୁ । ସ୍ଥାନାନ୍ତରୀତ କରୁଥିବା ସଂକ୍ରମିତ ବ୍ୟକ୍ତିଙ୍କ ସଠିକ ତଥ୍ୟ ସିଫ୍ଟିଂ ହେଉଥିବା ଦାୟୀତ୍ବରେ ଥିବା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଟେଲିଫୋନ୍ ଯୋଗେ ପୂର୍ବରୁ ଜଣାନ୍ତୁ । ତଦ୍ବାରା ସେହି ପ୍ରକାରେ ପୂର୍ବ ପ୍ରସ୍ତୁତି ଥାଇ ଚିକିତ୍ସା ସମ୍ଭବ ହୋଇପାରିବ । ସ୍ବାସ୍ଥ୍ୟ ଅଧିକାରୀଙ୍କ ନିଷ୍ପତ୍ତି ପ୍ରକାରେ ଡିସଚାର୍ଜ କରନ୍ତୁ ।
ପ୍ଲାଜମା ଦାତା ମାନଙ୍କର ତଥ୍ୟ ସଂଗ୍ରହ କରନ୍ତୁ । ସୁସ୍ଥ ହୋଇଥିବା ସଂକ୍ରମିତ ବ୍ୟକ୍ତି ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ପ୍ଲାଜମା ଦାନ ସକାଶେ ପ୍ରେରଣା ଦିଅନ୍ତୁ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଚିକିତ୍ସିତ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କ ସହିତ ଫୋନ୍ ଯୋଗେ କଥାବାର୍ତ୍ତା କରନ୍ତୁ । ସମସ୍ତ ବ୍ଲକ୍ ରେ ରହିଥିବା ଆମ୍ବୁଲାନ୍ସ ର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ପଚାରି ବୁଝିଥିଲେ । ଏଯାବତ୍ ଆମ୍ବୁଲାନ୍ସ ପରିଚାଳନା ସେଲ୍ କୁ ସମୁଦାୟ ୨୦୪ ଗୋଟି କଲ୍ ଆସିବା ବୈଠକରେ ଜଣାଯାଇଥିଲା । ଆମ୍ବୁଲାନ୍ସ ଆବଶ୍ୟକ କରୁଥିବା ବ୍ୟକ୍ତି ୦୬୮୧୧-୨୬୩୭୭୪ ନମ୍ବରକୁ ଟେଲିଫୋନ୍ କରି ୨୪ ଘଣ୍ଟିଆ ସେବା ପାଇପାରିବେ ।
ପ୍ରତ୍ୟେକ ଦିନ ସରପଞ୍ଚ ମାନଙ୍କ ସହିତ ଆଲେଚନା କରି ନିଜ ଅଞ୍ଚଳରେ କୋଭିଡ୍ ପରିଚାଳନା କରିବାକୁ ଜିଲ୍ଲାପାଳ ଜଣାଇଥିଲେ । ସହରାଞ୍ଚଳ ଗୁଡିକରେ ଆସନ୍ତା ଶନିବାର ଦିନଠାରୁ ଘରକୁ ଘର ବୁଲି ସ୍ବାସ୍ଥ୍ୟ ଟିମ୍ ଦ୍ବାରା ସ୍ବାସ୍ଥ୍ୟ ଯାଂଚ୍ ପୁନର୍ବାର ଆରମ୍ଭ କରାଯିବ ।
ପ୍ରତ୍ୟେକ ଦିନ ଚିକିତ୍ସିତ ହେଉଥିବା କୋଭିଡ୍ ଯୋଦ୍ଧା ମାନଙ୍କ ସହ ଫୋନ୍ ଯୋଗେ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ କଥାବାର୍ତ୍ତା କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବଂ ଅନ୍ୟାନ୍ୟ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବାପାଇଁ ଜିଲ୍ଲାପାଳ ଅବଗତ କରାଇଥିଲେ ।
ଭିଡିଓ କନଫରେନ୍ସିଂ ରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୋଲ୍ ପଟ୍ଟଓ୍ବାରୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡଃ ଆର୍ ଜଗଦୀଶ ପଟ୍ଟନାୟକ, ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ, ଆଞ୍ଚଳିକ ପରିବହନ ଅଧିକାରୀ ସଂଜୟ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ