ଶପଥ ନେଲେ ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ
ଅବସରପ୍ରାପ୍ତ ସୁପ୍ରିମ୍କୋର୍ଟ ବିଚାରପତି ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ଭାବରେ ଶପଥ ନେଇଛନ୍ତି। ସେ ମଙ୍ଗଳବାର ଭାରତର ପ୍ରଥମ ଲୋକପାଳ ନିଯୁକ୍ତ ହୋଇଥିଲେ।
ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ଉତ୍ସବକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରିଚାଳନା କରିଥିଲେ । ଏହି ଉତ୍ସବରେ ରାଷ୍ଟ୍ରପତିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଏବଂ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଯୋଗ ଦେଇଥିଲେ।
୨୦୧୪ ମସିହା ଜାନୁଆରୀ ୧୬ ତାରିଖରେ ଲୋକପାଳ ଆଇନ ପ୍ରଣୟନର ୫ ବର୍ଷ ପରେ ଲୋକପାଳ ନିଯୁକ୍ତି ଦିଆଯାଇଛି।ଲୋକପାଳ କମିଟିରେ ୪ ଜଣ ଜୁଡିସିଆଲ ସଦସ୍ୟ ଥିବା ବେଳେ ଆଉ ୪ ଜଣ ନନ୍ ଜୁଡିସିଆଲ ସଦସ୍ୟ ରହିଛନ୍ତି। ୪ ଜଣ ଜୁଡିସିଆଲ ସଦସ୍ୟମାନେ ହାଇକୋର୍ଟର ପୂର୍ବତନ ବିଚାରପତି ହୋଇଥିବା ବେଳେ ୪ ଜଣ ନନ୍ ଜୁଡିସିଆଲ ସଦସ୍ୟମାନେ ହେଉଛନ୍ତି ପୂର୍ବତନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ।
ଜୁଡିସିଆଲ ସଦସ୍ୟମାନେ ହେଲେ ଜଷ୍ଟିସ୍ ଦିଲ୍ଲୀପ ବି ଭୋସଲେ, ଜଷ୍ଟିସ୍ ପ୍ରଦୀପ କୁମାର ମହାନ୍ତି, ଜଷ୍ଟିସ୍ ଅଭିଳାଷା କୁମାରୀ ଓ ଜଷ୍ଟିସ୍ ଅଜୟ କୁମାର ତ୍ରିପାଠୀ। ସେହିପରି ନନ୍ ଜୁଡିସିଆଲ ସଦସ୍ୟମାନେ ହେଲେ ଦୀନେଶ କୁମାର ଜୈନ୍, ଅର୍ଚ୍ଚନା ରାମସୁନ୍ଦରମ, ମହେନ୍ଦ୍ର ସିଂହ ଓ ଡ. ଇନ୍ଦ୍ରଜିତ୍ ପ୍ରସାଦ ଗୌତମ।
ଏଥିପାଇଁ ଗଠିତ ଚୟନ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଏବଂ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ମଧ୍ୟ ସଦସ୍ୟ ରହିଥିଲେ। କଂଗ୍ରେସର ନେତା ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେ ଏଥିରେ ଯୋଗ ଦେଇନଥିଲେ।
୬୬ ବର୍ଷୀୟ ଜଷ୍ଟିସ୍ ଘୋଷ ୨୦୧୭ ମସିହା ମେ’ ମାସରେ ସୁପ୍ରିମ୍କୋର୍ଟରୁ ଅବସର ନେଇଥିଲେ। ଏହାପରେ ସେ ୨୦୧୭ ମସିହା ଜୁନ୍ ୨୯ରୁ ମାନବାଧିକାର କମିଶନ୍ରେ ସଦସ୍ୟ ଭାବେ କାର୍ୟ୍ୟ ଆରମ୍ଭ କରିଥିଲେ। ଏହା ପୂର୍ବରୁ ସେ କୋଲକତା ହାଇକୋର୍ଟର ବିଚାରପତି ଏବଂ ଆନ୍ଧ୍ର ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ ତୁଲାଇ ସାରିଛନ୍ତି।


