ଶପଥ ନେଲେ ୪୭ ଜଣ ଶିକ୍ଷାନବୀଶ ସିଭିଲ୍ ଜଜ୍

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଓଡ଼ିଶା ନ୍ୟାୟିକ ଏକାଡେମୀସ୍ଥିତ ୨୦୧୯ ବ୍ୟାଚ୍ ର ନବନିଯୁକ୍ତ ୪୭ ଜଣ ଶିକ୍ଷାନବୀଶ ଦେୱାନୀ ନ୍ୟାୟାଧୀଶ (ସିଭିଲ ଜଜ୍‌)ମାନଙ୍କ ଶପଥ ଗ୍ରହଣ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ତଥା ଓଡ଼ିଶା ନ୍ୟାୟିକ ଏକାଡେମୀର ମୁଖ୍ୟ ପୃଷ୍ଠପୋଷକ ନ୍ୟାୟମୂର୍ତି ଡକ୍ଟର ଏସ୍‌. ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିବା ସହିତ ୪୭ ଜଣ ନବନିଯୁକ୍ତ ଶିକ୍ଷାନବୀଶ ଦେୱାନୀ ନ୍ୟାୟାଧୀଶମାନଙ୍କୁ ଶପଥ ପାଠ କରାଇଥିଲେ ଏବଂ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ମୁଖ୍ୟ ବିଚାରପତି, ଓଡ଼ିଶା ନ୍ୟାୟିକ ଏକାଡେମୀ ସମିତିର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ଦ୍ୱାରା ‘ପ୍ରଶିକ୍ଷଣ ପାଠ୍ୟ ପୁସ୍ତିକା’ ଉନ୍ମୋଚନ କରାଯାଇଥିଲା ।ଏହି ଉତ୍ସବରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ତଥା ଓଡ଼ିଶା ନ୍ୟାୟିକ ଏକାଡେମୀ ତାଲିମ ସମିତିର ଅଧ୍ୟକ୍ଷ ନ୍ୟାୟମୂର୍ତି ସଂଜୟ କୁମାର ମିଶ୍ର ସ୍ୱାଗତ ସମ୍ଭାଷଣ ପାଠ କରିବା ସହିତ ପ୍ରଶିକ୍ଷଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ଭନ୍ଧରେ ଆଲୋକପାତ କରିଥିଲେ ଏବଂ ନବନିଯୁକ୍ତ ଶିକ୍ଷାନବୀଶ ଦେୱାନୀ ନ୍ୟାୟାଧୀଶମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ବିଶ୍ୱଜିତ ମହାନ୍ତି, ବି. ଆର. ଷଡ଼ଙ୍ଗୀ, ଏସ୍‌.କେ. ସାହୁ, ବି.ପି. ରାୟତରାଏ, ସଂଜୀବ କୁମାର ପାଣିଗ୍ରାହୀ ଏବଂ ଅଧିକାରୀଗଣ ଏବଂ ଅନ୍ୟ ଅତିଥିଗଣ ଉପସ୍ଥିତ ଥିଲେ । ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ଏବଂ ଓଡ଼ିଶା ନ୍ୟାୟିକ ଏକାଡେମୀର ସଦସ୍ୟ ନ୍ୟାୟମୂର୍ତି ଦେବବ୍ରତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ