ଶବକୁ ମଶାଣି ମନା : ସମାଧି ଉପରେ ତିଆରି ହେଲା ଖେଳ ପଡ଼ିଆ

ଧାମନଗର, (ସନ୍ତୋଷ ପ୍ରଧାନ) :-ଶବକୁ ମଶାଣି ମନା । କଥାଟି ଅଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ, ହେଲେ କଥାଟି ବାସ୍ତବ ସତ। ଉର୍ମିଳା ନାୟକ ଶେଷ ଇଚ୍ଛା ଥିଲା ସ୍ବାମୀଙ୍କ ସମାଧି ନିକଟରେ ତାଙ୍କର ସମାଧି ହେବ। ମୃତ୍ୟୁ ପୁର୍ବରୁ ଉର୍ମିଳା ତାଙ୍କ ପୁଅ ଓ ନାତିକୁ ଏକଥା କହିଥିଲେ । କିନ୍ତୁ ତାଙ୍କର ଶେଷ ଇଚ୍ଛା, କେବଳ ଇଚ୍ଛାରେ ହିଁ ରହିଗଲା । ମଶାଣି ବଦଳ ରେ ଘର ବାଡ଼ିରେ ତାଙ୍କର ଜୁଇ ଜଳିଲା । ରବିବାର ଏପରି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକରେ ଘଟିଛି । ପଞ୍ଚାୟତ ସମିତି ପକ୍ଷରୁ ମଶାଣିକୁ ଖେଳ ପଡିଆ କରାଯିବା ପରେ ଲୋକେ ଶେଷକୃତ୍ୟ କରିବାକୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଉର୍ମିଳାଙ୍କ ଦେହାନ୍ତ ହେଲା ପରିବାର ଲୋକ ଧାମନଗର ବ୍ଲକର ରାଧାବଲ୍ଲବ ପୁର ପଞ୍ଚାୟତ ଛତ୍ରପଦା ମଶାଣିରେ ଶବଦାହ କରିବାର ପ୍ରସ୍ତୁତ କରିଥିଲେ । ହେଲେ ଗାଁ ମଶାଣି ଯେ ଆଉ ନାହିଁ ଏକଥା ପରିବାର ଲୋକ ଜାଣିନଥିଲେ । ଶହ ଶହ ବର୍ଷର ପୁରୁଣା ମଶାଣୀ ଏବେ ମଶାଣି ନୁହେଁ ଖେଳ ପଡିଆ ପାଲଟିଯାଇଛି । ଶେଷରେ ପରିବାର ଲୋକେ ବାଧ୍ୟ ହୋଇ ନିଜ ଘରବାଡ଼ିରେ ଉର୍ମିଳାଙ୍କ ସମାଧି କଲେ । ପୂର୍ବରୁ ମଶାଣି ରେ ଥିବା ସହ ସହ ସମାଧି ଗୁଡିକୁ ଭଙ୍ଗାଯାଇ ତାହା ଉପରେ ଧାମନଗର ପଞ୍ଚାୟତ ସମିତି ତରଫରୁ ମାଟି ପକାଇ ଖେଳ ପଡିଆ ବନାଉଛି ।  ମଶାଣୀ ପଡିଆରେ ମନରେଗା ଯୋଜନାରେ କାମ ହେଉଛି । ଧାମନଗର ପଞ୍ଚାୟତ ସମିତିର ପୂର୍ବତନ ଅଧକ୍ଷ ଅଶୋକ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ବାଳ ଓ ସ୍ଥାନୀୟ ସମିତି ସଭ୍ୟ ସୁର୍ଯ୍ୟକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ଉକ୍ତ ମଶାଣିକୁ ଭାଙ୍ଗି ଖେଳ ପଡିଆ ନିର୍ମାଣ ପାଇଁ ନଡ଼ିଆ ବାଡେଇ ଭିତ୍ତିପ୍ରସ୍ତର ପକାଇଛନ୍ତି ।  ନେତାଙ୍କ ଶୁଭଦେବା ଦୁଇଦିନ ପରେ ମଶାଣିରେ ଖେଳପଡିଆ କାର୍ଯ୍ୟ ଆରମ୍ଭ ହୋଇଥିଲା । ମନେରେଗା ଯୋଜନାରେ କାମ ହେଉଥିବା କୁହାଯାଉଥିବା ବେଳେ ଦିନ ରାତି ବିନା ଶ୍ରମିକରେ ଡ୍ରୋଜର ଓ ଟ୍ରାକ୍ଟର ସହାଯ୍ୟରେ ଠିକାଦାରମାନେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଶ୍ମଶାନ ଏପରି କାର୍ଯ୍ୟ କରିବା ନେଇ ସ୍ଥାନୀୟ ସରପଞ୍ଚ କହିଛନ୍ତି ଯେ, ଏହା ପଞ୍ଚାୟତ ସମିତି କାର୍ଯ୍ୟ ତେଣୁ ମୁଁ ସେ ବିଷୟରେ କିଛି କହି ପାରିବିନି ଓ ଏ କାର୍ଯ୍ୟକୁ ବିରୋଧ କଲେ ଗ୍ରାମବାସୀମାନଙ୍କ ସହ ସମ୍ପର୍କ ଖରାପ ହେବ।  ସେଥିପାଇଁ ମୁଁ ଚୁପ୍ ରହିଛି। ଅନ୍ୟପଟେ ଧାମ ନଗର ବିଡ଼ିଓ ଦୁର୍ଗା ଚରଣ ମୁର୍ମୁ କହିଛନ୍ତି ଯେ, ଏପରି କାର୍ଯ୍ୟ ହେଉଛି ବୋଲି ଅଭିଯୋଗ ଆସିଛି। ଖୁବଶୀଘ୍ର ତଦନ୍ତ କରି କାର୍ଯାନୁଷ୍ଟାନ ନିଆଯିବ।  ତେବେ ପୂର୍ବ ପୁରୁଷରୁ ରହି ଆସିଥିବା ମଶାଣି ଏବେ ଖେଳ ପଡିଆ ହେଉଛି। ଗ୍ରାମରେ ଶବଦାହ ପାଇଁ ଆଉ ବିକଳ୍ପ ଯାଗା ନାହିଁ, ତେଣୁ ଲୋକମାନେ ଏବେ କେଉଁଠି ନିଜ ପ୍ରିୟଜନଙ୍କ ଶବସତ୍କାର କରି-ବେ ତାହା ଏକ ବଡ ପ୍ରଶ୍ନ । ମଶାଣି, ଖେଳ ପଡିଆରେ ପରିବର୍ତ୍ତନ ହେବା ଘଟଣା ଧାମନଗର ଅଞ୍ଚଳରେ ବେସ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଛତ୍ରପଦା ଗ୍ରାମରେ ଏମିତିବି ପରିବାର ଅନେକ ଅଛନ୍ତି ଯାହାଙ୍କର ଘରଡିହ ଖଣ୍ଡେ ଛାଡିଲେ ଆଉ ଜାଗା ନାହିଁ ତାହେଲେ ସେମାନେ ଶବଦାହ କୋଉଁଠି କରିବେ? ଏବେ ଦେଖିବାକୁ ବାକି ରହିଲା ଏପରି କାର୍ଯ୍ୟ କରୁଥିବା ଠିକାଦାରଙ୍କ ଉପରେ ବ୍ଲକ ପ୍ରଶାସନ କିପରି କାର୍ଯାନୁଷ୍ଠାନ ନେଉଛି । ମଶାଣିରେ ଲାଗିଥିବା ଫଳକରେ ଲେଖା ହୋଇଛି ଯେ, ଏହି କାର୍ଯ୍ୟ ମନେରଗା ଯୋଜନା ଅଧିନରେ ହେଉଛି । କାର୍ଯ୍ୟର ନାମ ଛତ୍ରପଦା ଖେଳ ପଡିଆର ଉନ୍ନତିକରଣ ସହିତ ସୌନ୍ଦର୍ଯ୍ୟକରଣ ରଖାଯାଇଛି । ପଞ୍ଚାୟତ ସମିତି ପକ୍ଷରୁ କାମ ହେଉଥିବା ବେଳେ ଏଥିପାଇଁ ୯ ଲକ୍ଷ ଟଙ୍କା ଅଟକଳ ମୂଲ୍ୟ ରଖାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ